Latest Odisha News

ଅଗଷ୍ଟ ୧୫ରେ ଆସିବ ସୁଭଦ୍ରା ଯୋଜନା ଏସଓପି

ଭୁବନେଶ୍ୱର: ଅଗଷ୍ଟ ୧୫ ତାରିଖରେ ବହୁ ଚର୍ଚ୍ଚିତ ‘ସୁଭଦ୍ରା ଯୋଜନା’ ପାଇଁ ଓଡିଶା ସରକାର ଜାରି କରିବ ଏସଓପି। ଏଥିରେ କିଏ ପାଇବେ ଓ କିଏ ପାଇବେନି ତାର ସ୍ପଷ୍ଟ ଚିତ୍ର ରହିବ। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଗଣମାଧ୍ୟମକୁ କହିଛନ୍ତି ଯେ ଏସଓପି ରିଲିଜ ହେବା ପରେ ଏହି ଯୋଜନାର ମୋଡାଲିଟି ଏବଂ ଫର୍ମାଟ ବିଷୟରେ ଏକ ସ୍ପଷ୍ଟ ଚିତ୍ର ପ୍ରକାଶ ପାଇବ।

ଏହି ଯୋଜନା ଅଧୀନରେ ଲାଭ ପାଇବା ପାଇଁ ଯୋଗ୍ୟତା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି। ତେଣୁ ମହିଳାଙ୍କୁ ଭ୍ରମିତ ନହେବାକୁ ଅପିଲ୍ କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ସେପ୍ଟେମ୍ବର ୧୭ରେ ସୁଭଦ୍ରା ଯୋଜନା ରାଜ୍ୟରେ ଲାଗୁ ହେବ। ରାଜ୍ୟର ବିଜେପି ସରକାର ନିଜର ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରି ଆସନ୍ତା ସେପ୍ଟେମ୍ବର ୧୭ତାରିଖରୁ ରାଜ୍ୟରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବା ନିମନ୍ତେ ନିଷ୍ପତ୍ତି ନେଇଛି ।

ଏହି ଯୋଜନା ଅଧୀନରେ ଯେଉଁମାନେ ଆୟକର ଦେଉଛନ୍ତି ସେମାନେ ଲାଭରୁ ବଞ୍ଚିତ ହେବାର ସମ୍ଭାବନା ଥିବା ଦର୍ଶାଇ ମହିଳା ଏବଂ ଶିଶୁ ବିକାଶ ପୋର୍ଟଫୋଲିଓ ମଧ୍ୟ ରଖିଥିବା ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଯୋଜନାର ଲାଭ ପାଇବା ପାଇଁ ଆଧାର କାର୍ଡ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ତେବେ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ତାରିଖରେ ହୋଇଥିବାରୁ ଉକ୍ତ ଦିନ ହିଁ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାକୁ କାର୍ଯ୍ୟକାରୀ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଥିଲେ।

ଯଦିଓ ବଜେଟରେ ଏହି ଯୋଜନା ପାଇଁ ୧୦ ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଛି, ଆବଶ୍ୟକ ହେଲେ ଏହି ପରିମାଣ ବୃଦ୍ଧି କରାଯାଇପାରେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଉକ୍ତଦିନ ଓଡ଼ିଶା ଆସି ଏହି ଯୋଜନାର ଲୋକାର୍ପଣ କରିବେ। ଉକ୍ତଦିନ ୫ଲକ୍ଷ ମହିଳାଙ୍କୁ ଏହି ଯୋଜନାର ଭାଉଚର ଯୋଗାଇ ଦିଆଯିବ। ରାଜ୍ୟ ସରକାର ନିଜର ୧୦୦ ଦିନର କାର୍ଯ୍ୟକ୍ରମରେ ସୁଭ୍ରଦା ଯୋଜନା ଓ ଚାଷୀଙ୍କୁ ୩୧୦୦ ଟଙ୍କାର ଏମଏସପି ଦେବାକୁ ପ୍ରତିଶ୍ରୁତି ବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମାଝୀ କହିଥିଲେ।

ଓଡିଶାରେ ଏହି ଯୋଜନା ଆରମ୍ଭ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି। ଯେଉଁଥିରେ ମହିଳାମାନେ ପ୍ରତ୍ୟେକଙ୍କୁ ୫୦,୦୦୦ ଟଙ୍କା ନଗଦ ଭାଉଚର ପାଇବେ। ଏହି କାର୍ଯ୍ୟକ୍ରମରେ ପ୍ରାୟ ୫ ଲକ୍ଷ ମହିଳା ଯୋଗଦେବେ। ସୂଚନଯୋଗ୍ୟ, ବିଜେପି ସରକାର ରାଜ୍ୟରେ ସୁଭଦ୍ରା ଯୋଜନାରେ ପ୍ରତ୍ୟେକ ମହିଳାଙ୍କୁ ଦୁଇବର୍ଷ ପାଇଁ ୫୦ହଜାର ଟଙ୍କାର ଭାଉଚର ଯୋଗାଇ ଦେବେ । ଯାହାକୁ ମହିଳାମାନେ ନିଜର ଇଚ୍ଛା ଓ ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରିପାରିବେ।

Comments are closed.