Latest Odisha News

BREAKING NEWS

ନକଲି ଶିକ୍ଷାନୁଷ୍ଠାନ ଉପରେ ଲାଗିବ ଅଙ୍କୁଶ; ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସରକାର

ଭୁବନେଶ୍ୱର: ରାଜ୍ୟରେ ଏବେ ଛତୁ ଫୁଟିଲା ପରି ଗଢି ଉଠୁଛି ଶହ ଶହ ସଂଖ୍ୟାରେ ଶିକ୍ଷାନୁଷ୍ଠାନ । ସେଥିମଧ୍ୟରେ କେଉଁଟା ଅସଲି କେଉଁଟା ନକଲି ଅନୁଷ୍ଠାନ ତାହା ଶିକ୍ଷାର୍ଥୀ ଜାଣିବା କଷ୍ଟକର ବ୍ୟାପାର ହୋଇପଡ଼ିଛି । ତେଣୁ ରାଜ୍ୟ ଏବଂ ରାଜ୍ୟ ବାହାରେ କେତେ ନକଲି ଶିକ୍ଷାନୁଷ୍ଠାନ ରହିଛି ସେ ସମ୍ପର୍କରେ ଅନୁଧ୍ୟାନ କରି ରିପୋର୍ଟ ଦାଖଲ କରିବାକୁ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି । ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ସୁଧାର ଆଣିବା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନବରତ ଉଦ୍ୟମ ଜାରି ରହିଛି । କେବଳ ଉନ୍ନତ ଭିତ୍ତିଭୂମି କିମ୍ବା ଗୁଣାତ୍ମକ ଶିକ୍ଷା ନୁହେଁ ଶ୍ରେଣୀ ପାଠପଢ଼ାକୁ ଯେପରି ଛାତ୍ରଛାତ୍ରୀମାନେ ଅଧିକ ଗୁରୁତ୍ୱ ଦେବେ ସେଥିଲାଗି ଗୁରୁତ୍ୱ ଦେଉଛି ବିଭାଗ । ସେଥିପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଇଥିବା ବେଳେ ଏବେ ନକଲି ଶିକ୍ଷାନୁଷ୍ଠାନ ଧରିବା ପାଇଁ ବ୍ଲୁପ୍ରିଣ୍ଟସ୍ ପ୍ରସ୍ତୁତ ହୋଇଛି ।

ପ୍ରକାଶଥାଉ କି, ରାଜ୍ୟରେ ୮୫୦ରୁ ଅଧିକ ଡିଗ୍ରୀ କଲେଜ ରହିଛି । ସେହିପରି ୩୫୦ରୁ ଅଧିକ ସେଲ୍ଫଫାଇନ୍ସାସ କଲେଜ ଚାଲିଛି । ଏହାବ୍ୟତୀତ ବିଇଡି, ସିଟି ଭଳି ଶିକ୍ଷାଦାନ ଲାଗି ଅନେକ ଅନୁଷ୍ଠାନ ରହିଛି । ଏହାବ୍ୟତୀତ ରାଜ୍ୟବାହାରେ ମାଟ୍ରିକ, +୨ ଏବଂ ଡିଗ୍ରୀ କଲେଜ ମଧ୍ୟ ରହିଛି । ଗତକିଛି ବର୍ଷ ହେବ ରାଜ୍ୟର ବିଭିନ୍ନ ବିଭାଗରେ କାର୍ଯ୍ୟକରୁଥିବା କର୍ମଚାରୀ ଏବଂ ଅଧିକାରୀଙ୍କ ମଧ୍ୟକରୁ କେତେକଙ୍କ ଶିକ୍ଷାଗତ ଯୋଗ୍ୟତା ସାର୍ଟିଫିକେଟରେ ତାଳମେଳ ନଥିବା ଧରାପଡ଼ିଛି । ରାଜ୍ୟରେ ନକଲି ଶିକ୍ଷକ ଧରାପଡୁଥିବା ବେଳେ ଆଉକିଛି ବିଭାଗରେ ଉଚ୍ଚଶିକ୍ଷା ସାର୍ଟିଫିକେଟ ପ୍ରଦାନ କରିଥିବା କିଛି କର୍ମାଚାରୀଙ୍କ ଶିକ୍ଷାଗତ ଉପରେ ସନ୍ଦେହ ସୃଷ୍ଟି ହୋଇଛି । ଏହାବ୍ୟତୀତ ରାଜ୍ୟ ଏବଂ ରାଜ୍ୟ ବାହାରେ ନକଲି ଶିକ୍ଷାନୁଷ୍ଠାନର ପ୍ରଭାବ ଛାତ୍ରଛାତ୍ରୀଙ୍କ ଉପରେ ପଡ଼ୁଛି । ଅନେକ ଗରୀବ ମେଧାବୀ ଲକ୍ଷାଟଙ୍କା ପୈଠ କରି ଠକାମିର ଶିକାରଛନ୍ତି । ତେବେ ରାଜ୍ୟରେ ପ୍ର୍ରାୟ ୬୫ରୁ ଅଧିକ ନକଲି ଶିକ୍ଷାନୁଷ୍ଠାନ ଉଚ୍ଚଶିକ୍ଷା ପ୍ରଦାନ କରୁଥିବା ବେଳେ ୧୫୦ରୁ ଅଧିକ ଘରୋଇ ଶିକ୍ଷାନୁଷ୍ଠାନ ବାହାର ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ତଥା ଅନୁଷ୍ଠାନରୁ ସ୍ୱିକୃତୀ ଆଣି ଇନ୍ଷ୍ଠିଚ୍ୟୁଟ ଚଳାଇଛନ୍ତି । ଏହି ସବୁ ନକଲି ଅନୁଷ୍ଠାନକୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି । ତେଣୁ ରାଜ୍ୟ ଏବଂ ରାଜ୍ୟ ବାହାରେ କେଉଁ ଅନୁଷ୍ଠାନ ନକଲି ତାହାର ଅନୂଧ୍ୟାନ କରି ଏକ ତାଲିକା ପ୍ରସ୍ତୁତ କରିବାକୁ ଓସେପା (ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ରାଜ୍ୟରେ ଥିବା ନକଲି ସ୍କୁଲ, କଲେଜ, ଡିଗ୍ରୀ କଲେଜ, ବିଶ୍ୱବିଦ୍ୟାଳୟ ସମେତ ସବୁ ଘରୋଇ ଇନ୍ଷ୍ଠିଚୁୃ୍ୟଟଗୁଡିକର ତାଲିକା ପ୍ରସ୍ତୁତ କରି ସେସବୁ ନକଲି ନା ଅସଲି ସେ ସମ୍ପର୍କରେ ୟୁଜିସି କର୍ତ୍ତୃପକ୍ଷଙ୍କ ଠାରୁ ତଥ୍ୟ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନେକ ସମୟମରେ ଇକ୍ୟୁଭାଲାନ୍ସି ସାର୍ଟିଫିକେଟ୍ ଯୋଗାଇଥିବା ଅନୁଷ୍ଠାନ ପିଲାଙ୍କ ଠାରୁ ବହୁ ଅର୍ଥ ଆଦାୟ କରିଥାଏ । ମାତ୍ର ସେଥିରୁ ଅନେକ ଶିକ୍ଷାନୁଷ୍ଠାନ ଫେକ୍ ବୋଲି ମଧ୍ୟ ଜଣାପଡ଼ିଛି । ରାଜ୍ୟରେ ବିଭିନ୍ନ ବିଷୟର ଇକ୍ୟୁଭାଲାନ୍ସି ସାର୍ଟିଫିକେଟ ଦେଉଥିବା ଇନ୍ଷ୍ଟିଚ୍ୟୁଟର ତଥ୍ୟ ଉଚ୍ଚଶିକ୍ଷା ବିଭାଗ ପାଖରେ ନାହିଁ । ତେଣୁ ବିଭିନ୍ନ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଠାରୁ ସଂଗ୍ରହ କରିବାକୁ ମଧ୍ୟ ଚିଠିରେ ଦର୍ଶାଯାଇଛି । ଏହାବ୍ୟତୀତ ରାଜ୍ୟରେ ଥିବା ଶିକ୍ଷାନୁଷ୍ଠାନଗୁଡିକ ମଧ୍ୟରୁ କେଉଁ ଶିକ୍ଷାନୁଷ୍ଠାନ ରାଜ୍ୟ ସରକାରଙ୍କ ଠାରୁ ସ୍ୱିକୃତିପ୍ରାପ୍ତ ତାହାର ତାଲିକା କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଆନ୍ଧ୍ର, ଚେନ୍ନାଇ, ଉତ୍ତରପ୍ରଦେଶ, ଦୀଲ୍ଲୀ, ହରିଆଣା, ପଞ୍ଜାବ ସମେତ କିଛି ନିଦ୍ଧିଷ୍ଟ ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟରୁ ସ୍ୱିକୃତୀ ଆଣି ରାଜ୍ୟରେ ଇନ୍ଷ୍ଟିଚ୍ୟୁଟ ଚଳାଉଥିବା କର୍ତ୍ତୃପକ୍ଷଙ୍କ ତାଲିକା ପ୍ରସ୍ତୁତ କରାଯିବ । ବହାର ରାଜ୍ୟର ବିଶ୍ୱବିଦ୍ୟାଳୟ ଅଧିନରେ କେଉଁ ଶିକ୍ଷାନୁଷ୍ଠାନ ରାଜ୍ୟରେ ଚାଲିଛି ଏବଂ କେଉଁ ବିଷୟରେ ଶିକ୍ଷାଦାନ ଦେଉଛି ତାହାର ଯାଞ୍ଚ ରିପୋର୍ଟ ଦେବାକୁ ମଧ୍ୟ କୁହାଯାଇଛି । ରାଜ୍ୟରେ ନକଲି ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ନକଲି ଶିକ୍ଷାନୁଷ୍ଠାନ ଚଳାଉଥିବା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜଣାପଡ଼ିଛି ।

Leave A Reply

Your email address will not be published.