ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମାଷ୍ଟର ପ୍ଲାନ୍। ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ବିକାଶ ଏବଂ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ଗତ ମାର୍ଚ୍ଚ ମାସରେ ସବ୍ସିଡି ଜନିତ ସମସ୍ୟା କାରଣରୁ ଭୁବନେଶ୍ୱରରୁ ପ୍ରାୟ ୧୧ଟି ରୁଟ୍ରେ ବିମାନ ଚଳାଚଳ ବନ୍ଦ ହୋଇଯାଇଥିଲା, ଯାହାଫଳରେ ଯାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତେବେ ଏବେ ସେହି ଅଚଳାବସ୍ଥା ଦୂର ହେବାକୁ ଯାଉଛି । ସରକାର ପୁଣି ଥରେ ୧୦ଟି ନୂଆ ରୁଟ୍ରେ ବିମାନ ଉଡ଼ାଣ ପାଇଁ ପ୍ରସ୍ତୁତି ଶେଷ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ରାଜଧାନୀ ଭୁବନେଶ୍ୱରରୁ ୪ଟି ଗୁରୁତ୍ୱପୂର୍ଣ୍ଣ ସହରକୁ ବିମାନ ସେବା ଯୋଗାଇ ଦିଆଯିବ। ସେଗୁଡ଼ିକ ହେଲା ତିରୁପତି, ଶିରିଡ଼ି, ସୁରତ, ଭୋପାଳ । ସରକାରଙ୍କ ଏହି ନିଷ୍ପତ୍ତି ପଛରେ ଏକ ବଡ଼ ଯୋଜନା ରହିଛି । ବିଶେଷ କରି ତିରୁପତି ଓ ଶିରିଡ଼ି ଭଳି ଧାର୍ମିକ ସ୍ଥଳକୁ ଓଡ଼ିଶାରୁ ପ୍ରତିବର୍ଷ ହଜାର ହଜାର ଶ୍ରଦ୍ଧାଳୁ ଟ୍ରେନ୍ ଯୋଗେ ଯାତ୍ରା କରିଥାନ୍ତି । ଏହି ରୁଟ୍ରେ ବିମାନ ଚଳାଚଳ ଆରମ୍ଭ ହେଲେ ଏକ ‘ଆଧ୍ୟାତ୍ମିକ କରିଡର’ ସୃଷ୍ଟି ହେବ ।
ଏହାଦ୍ୱାରା କେବଳ ଓଡ଼ିଶାର ଲୋକ ବାହାରକୁ ଯିବେ ନାହିଁ, ବରଂ ଦକ୍ଷିଣ ଓ ପଶ୍ଚିମ ଭାରତରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ର ପୁରୀକୁ ଆସିବାରେ ସହଜ ହେବ । ଗୁଜରାଟର ସୁରତ ସହରରେ ଲକ୍ଷ ଲକ୍ଷ ଓଡ଼ିଆ ବାସ କରୁଛନ୍ତି । ସେମାନଙ୍କ ଯାତାୟତକୁ ସୁଗମ କରିବା ପାଇଁ ସୁରତକୁ ସିଧାସଳଖ ବିମାନ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି । ସେହିପରି କେନ୍ଦ୍ରୀୟ ଭାରତ ସହ ଯୋଗାଯୋଗ ବୃଦ୍ଧି ପାଇଁ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳକୁ ମଧ୍ୟ ବିମାନ ଉଡ଼ିବ । କେବଳ ଭୁବନେଶ୍ୱର ନୁହେଁ, ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ଝାରସୁଗୁଡ଼ାରୁ ମଧ୍ୟ ନୂଆ ବିମାନ ସେବା ଆରମ୍ଭ ହେବ । ପୂର୍ବରୁ ଇଣ୍ଡିଗୋ ଏୟାରଲାଇନ୍ସ ଏହି ରୁଟ୍ଗୁଡ଼ିକରେ ସେବା ଯୋଗାଉଥିଲେ ମଧ୍ୟ ପରେ ତାହା ବନ୍ଦ ହୋଇଯାଇଥିଲା । ଏବେ ଝାରସୁଗୁଡ଼ାରୁ ଅହମଦାବାଦ, ଜୟପୁର ଏବଂ ପୁଣେକୁ ବିମାନ ଚଳାଚଳ କରିବା ପାଇଁ ବ୍ୟବସ୍ଥା କରାଯାଉଛି ।
Comments are closed.