Latest Odisha News

BREAKING NEWS

କେନ୍ଦ୍ରକୁ ଚିଠି ଲେଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ, ‘ଦ୍ୱିତୀୟ ଡୋଜ୍ ପାଇଁ ଜଲଦି ଦିଅ ୨୫ ଲକ୍ଷ କୋଭିସିଲ୍ଡ’

ଭୁବନେଶ୍ୱର: ଓଡ଼ିଶାରେ ଟିକା ଅଭାବ ଲାଗି ରହିଛି । ଆଜି ୫ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି । ତେବେ, ପର୍ଯ୍ୟାପ୍ତ ଭ୍ୟାକ୍ସିନ୍ ନଥିବାରୁ ଅଧିକାଂଶ ସ୍ଥାନରେ ଲୋକେ ପ୍ରଥମ ଡୋଜ୍ ତ ଛାଡ଼ନ୍ତୁ ଦ୍ୱିତୀୟ ଡୋଜ୍ ଟିକା ନେବାରୁ ବଞ୍ଚିତ ହେଉଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ରାଜ୍ୟରେ କୋଭିସିଲ୍ଡ ନଥିବାରୁ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇ ପାରୁନଥିବା ସେ ଦର୍ଶାଇଛନ୍ତି ।

ଏପ୍ରିଲ୍ ୩୦ ସୁଦ୍ଧା ରାଜ୍ୟ ସରକାର ମୋଟ ୫୩ ଲକ୍ଷ ୩୨ ହଜାର ୮୭୦ ଡୋଜ୍ ଟିକା ପାଇଛନ୍ତି । ରାଜ୍ୟରେ ୨୯ ତାରିଖ ସୁଦ୍ଧା ୧.୦୬ ଲକ୍ଷ କୋଭିସିଲ୍ଡ ଉପଲବ୍ଧ ରହିଛି । ଏପ୍ରିଲ୍ ୨୦ରୁ ୨୯ ତାରିଖ ମଧ୍ୟରେ ତିନିଥରରେ କେନ୍ଦ୍ର ଓଡ଼ିଶାକୁ ମାତ୍ର ୨.୯ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା ଦେଇଛି । ଯାହାକି ରାଜ୍ୟରେ ଟିକାକରଣ ଲାଗି ପର୍ଯ୍ୟାପ୍ତ ନୁହେଁ । ଭ୍ୟାକ୍ସିନ୍ ନିଅଣ୍ଟ ଯୋଗୁଁ ରାଜ୍ୟର ପ୍ରାୟ ୧୧୦୦ରୁ ଅଧିକ କେନ୍ଦ୍ରରେ ଚିକାକରଣ ହୋଇପାରିନାହିଁ ।

ଆଜି ଯାଏ ସରକାର ୪୩ ଲକ୍ଷ ୨ ହଜାର ୯୪ ଜଣ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ପ୍ରଥମ ଡୋଜ୍ ଟିକା ଦେଇଥିବା ବେଳେ ୫ ଲକ୍ଷ ୪ ହଜାର ୩୫୮ ଜଣ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି । ୨୯ ତାରିଖ ସୁଦ୍ଧା ୭ ଲକ୍ଷ ୫୨ ହଜାର ୫୯୦ ଜଣ ଦ୍ୱିତୀୟ ଡୋଜ୍ ଟିକା ନେବା କଥା । ତେବେ ଟିକା ନଥିବାରୁ ଦିଆଯାଇପାରିନାହିଁ । ଏସବୁକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ଶୀଘ୍ର ୨୫ ଲକ୍ଷ ଡୋଜ୍ କୋଭିସିଲ୍ଡ ଯୋଗାଇ ଦେବାକୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

Leave A Reply

Your email address will not be published.