Latest Odisha News

BREAKING NEWS

୧୦ ଦିନିଆ ଇଡି ରିମାଣ୍ଡରେ ଜଗବନ୍ଧୁଙ୍କ ବନ୍ଧୁ ଖଗେଶ୍ୱର, ଖୋଲିବ କି ଗୁମର ?

ଭୁବନେଶ୍ୱର: ଖଗେଶ୍ୱର ଖୋଲିବ ଗୁମର । କେଉଁଠୁ ଆସୁଥିଲା କଳା ଟଙ୍କା ? କେମିତି ହନିଟ୍ରାପରେ ଫସାଇ ଅର୍ଚ୍ଚନା ଓ ଜଗବନ୍ଧୁ ଠୁଳ କରୁଥିଲେ ବ୍ଲାକମନି । ଗିରଫ ପରେ ଆଜି ଖଗେଶ୍ୱର ପାତ୍ରଙ୍କୁ ଇଡି ଖୋର୍ଦ୍ଧା ଜିଲ୍ଲା ଅଦାଲତରେ ହାଜର କରିଥିଲା । ଖଗେଶ୍ୱର ପାତ୍ରଙ୍କୁ ୧୫ ଦିନ ରିମାଣ୍ଡରେ ନେବାକୁ ଇଡି ଆବେଦନ କରିଥିବା ବେଳେ କୋର୍ଟ ୧୦ ଦିନିଆ ରିମାଣ୍ଡ ଲାଗି ଅନୁମତି ଦେଇଛନ୍ତି ।

ଗତକାଲି ଅର୍ଚ୍ଚନା ନାଗ ହନିଟ୍ରାପ୍ ମାମଲାରେ ଇଡି ରାଜ୍ୟର ୮ଟି ସ୍ଥାନରେ ରେଡ୍ କରିଥିଲା । ଖଗେଶ୍ୱରଙ୍କ ପୈତୃକ ଘରେ ରେଡ୍ ପରେ ସନ୍ଧ୍ୟାରେ ଖଗେଶ୍ୱରଙ୍କୁ ଉଠାଇ ଆଣି ପଚରାଉଚରା କରିଥିଲା ଇଡି । ସୂଚନା ଅନୁସାରେ, ୨୦୧୦ରୁ ୨୦୧୯ ଯାଏ ଖଗେଶ୍ୱର ଏକ ପୁରୁଣା କାର ଶୋ ରୁମ୍ ଚଳାଉଥିଲେ । ଆଉ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସମ୍ପର୍କରେ ଆସିବା ପରେ ବଢ଼ିଥିଲା ଖଗେଶ୍ୱରଙ୍କ ବ୍ୟବସାୟ ।

ତଦନ୍ତ ବେଳେ ଇଡି, ଅର୍ଚ୍ଚନା ଓ ଖଗେଶ୍ୱରଙ୍କ ମଧ୍ୟରେ ହୋଇଥିବା ବ୍ୟାଙ୍କ ଦେଣନେଣର ସମସ୍ତ ପ୍ରମାଣ ପାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣା ପଡ଼ିଛି । ପୂର୍ବରୁ ଇଡି ଅର୍ଚ୍ଚନା, ଜଗବନ୍ଧୁ, ଖଗେଶ୍ୱରଙ୍କ ସହ ଶ୍ରଦ୍ଧାଞ୍ଜଳିଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା ।

ଗୁରୁବାର ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହ ସମ୍ପୃକ୍ତ ୮ଟି ସ୍ଥାନରେ ଚଢ଼ାଉ କରିଥିଲା ଇଡି । ଅର୍ଚ୍ଚନାଙ୍କ କେସିଙ୍ଗା ସ୍ଥିତ ପୈତୃକ ଘର ସହ ଭୁବନେଶ୍ୱରସ୍ଥିତ ସତ୍ୟ ବିହାର ବାସଭବନ ଓ ଜଳେଶ୍ୱର ସ୍ଥିତ ଶାଶୂଘର ଇଡି ଛାପା ମାରିଥିଲା ।

ରାଜନେତାଙ୍କ ସମେତ ହାଇପ୍ରୋଫାଇଲ ଲୋକଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରି ମାତ୍ର ୪ ବର୍ଷ ମଧ୍ୟରେ ଅର୍ଚ୍ଚନା-ଜଗବନ୍ଧୁ ୩୦ କୋଟିରୁ ଅଧିକ ଟଙ୍କା ଆୟ କରିଥିବା ଅଭିଯୋଗ ହୋଇଛି । ଇଡି ଏହି ମାମଲାରେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କସହ ଖଗେଶ୍ବର ପାତ୍ର ଏବଂ ଖଣ୍ଡଗିରି ଥାନାରେ ଏତଲା ଦେଇଥିବା ଯୁବତୀ ଶ୍ରଦ୍ଧାଞ୍ଜଳୀ ବେହେରାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରିଛି । ଗିରଫ ପରେ ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦ ଜେଲରେ ଅଛନ୍ତି ।

ଏବେ ଇଡି ଖଗେଶ୍ୱରଙ୍କୁ ଗିରଫ କରିବା ପରେ ଅର୍ଚ୍ଚନାଙ୍କ ସହ ସମ୍ପୃକ୍ତ ଅନ୍ୟମାନଙ୍କ ହାର୍ଟବିଟ୍ ବଢ଼ିଲାଣି । ଆଗକୁ ଇଡି ଆଉ କାହାକୁ ଗିରଫ କରିବ ତାକୁ ନେଇ ନାନା ଚର୍ଚ୍ଚା ଚାଲିଛି ।

Leave A Reply

Your email address will not be published.