ଭୁବନେଶ୍ବର: ୬ମାସିଆ ଛୁଟିରୁ ଫେରି କାର୍ଯ୍ୟରେ ଯୋଗ ଦେଇଛନ୍ତି ଆଇଏଏସ ସୁଜାତା କାର୍ତ୍ତିକେୟନ । ଗତକାଲି ରାଜ୍ୟ ସରକାର ସୁଜାତାଙ୍କର ଆଉ ୬ମାସ ଛୁଟି ଆବେଦନକୁ ଅଗ୍ରାହ୍ୟ କରି ଦେଇଥିଲେ । ଏହାପରେ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଦାୟିତ୍ବ ନେଇଛନ୍ତି ୨୦୦୦ବ୍ୟାଚର ଆଇଏଏସ ଅଧିକାରୀ ସୁଜାତା କାର୍ତ୍ତିକେୟନ । ତେବେ ସବୁଠୁ ବଡ଼ ପ୍ରଶ୍ନ, ସୁଜାତା ଏବେ କରିବେ କଣ? ବିଜେଡି ସରକାରରେ କ୍ଷମତାକେନ୍ଦ୍ର ରହିଥିବା ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ବେଶ୍ ସେତେବେଳେ ବେଶ୍ ପ୍ରଭାବଶାଳୀ ଥିଲେ । ଏପରିକି ଏବେ କ୍ଷମତାରେ ଥିବା ବିଜେପି ସେତେବେଳେ ତାଙ୍କୁ ଲଗାତର ଟାର୍ଗେଟ୍ କରିଆସୁଥିଲା । ତେଣୁ ବିଜେପି ସରକାର ଅଧୀନରେ କେମିତି କାମ କରିବେ ସୁଜାତା? ରାଜ୍ୟ ସରକାର ତାଙ୍କୁ ବିଶ୍ବାସକୁ ନେବେ କି ? ସୁଜାତାଙ୍କୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଆଭିମୁଖ୍ୟ କେମିତି ରହିବ?
କ’ଣ କରିବେ ସୁଜାତା?
ଜୁନ୍ ୪ତାରିଖରେ ବାହାରିଥିଲା ରାଜ୍ୟ ନିର୍ବାଚନ ଫଳାଫଳ ।୨୪ବର୍ଷ ଧରି କ୍ଷମତାରେ ରହିଥିବା ବିଜେଡିକୁ ବିରୋଧୀ ଆସନରେ ବସାଇଥିଲେ ଜନତା । ଫଳାଫଳ ପ୍ରକାଶ ପାଇବାର ଦିନକ ପରେ ଅର୍ଥାତ ୬ତାରିଖରେ ସାଧାରଣ ପ୍ରଶାସନ ବିଭାଗ ସୁଜାତାଙ୍କ ଛୁଟି ମଂଜୁର କରିଥିବା ଜଣାପଡିଥିଲା । ପିଛିଲା ଭାବେ ମେ ୩୧ରୁ ଲାଗୁ ହୋଇଥିଲା ଛୁଟି । ସୁଜାତାଙ୍କ ସ୍ବାମୀ ଭିକେ ପାଣ୍ଡିଆନ ବିଜେଡି ସରକାରରେ କ୍ଷମତା କେନ୍ଦ୍ର ଥିଲେ । ସୁଜାତାଙ୍କ କାଟତି ବି ବେଶ୍ ଅଧିକ ଥିଲା। ତେଣୁ ସରକାର ପରିବର୍ତ୍ତନ ପରେ ସୁଜାତା ଜାଣିଶୁଣି ଛୁଟିରେ ଯାଇଥିବା ଚର୍ଚ୍ଚା ହୋଇଥିଲା । ଏବେ ଆଉ ୬ମାସ ଛୁଟିକୁ ସରକାର ନା କହିବା ପରେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ତେବେ କେତେଦିନ କାମ କରିପାରିବେ? ସ୍ବେଚ୍ଛାକୃତ ଅବସର ନେବେ କି? ସେନେଇ ଚର୍ଚ୍ଚା ହେଉଛି ।
ବିଜେପି ଟାର୍ଗେଟରେ ଥିଲେ ସୁଜାତା
ନିର୍ବାଚନ ପୂର୍ବରୁ ବିଜେପି ନିଶାନାରେ ଥିଲେ ସୁଜାତା । ବିଜେଡି ସରକାରରେ ମିଶନ ଶକ୍ତି ବିଭାଗ ମୁଖ୍ୟ ଥିବା ସୁଜାତା କାର୍ତ୍ତିକେୟନ ବିଜେଡି ସପକ୍ଷରେ ଭୋଟ୍ ହାତେଇବାକୁ ସରକାରୀ କଳର ଅପବ୍ୟବହାର କରୁଥିବା ବିଜେପି ଅଭିଯୋଗ କରିଥିଲା। ସରକାରୀ ଅର୍ଥରେ ମିଶନ ଶକ୍ତି ସଦସ୍ୟାଙ୍କ ମାଧ୍ୟମରେ ବିଜେଡିର ରାଜନୈତିକ କାର୍ଯ୍ୟ ପରିଚାଳନା କରୁଥିବା ବି କୁହାଯାଉଥିଲା । ନିର୍ବାଚନ କମିଶନଙ୍କ ନିକଟରେ ବିଜେପି ଫେରାଦ ହେବା ପରେ ସୁଜାତାଙ୍କୁ ମିଶନ ଶକ୍ତି ବିଭାଗ ଦାୟିତ୍ବରୁ ବାହାର କରି ଅର୍ଥ ବିଭାଗ ସ୍ବତନ୍ତ୍ର ସଚିବ ଦାୟିତ୍ବ ଦିଆଯାଇଥିଲା ।
ବିଶ୍ବାସ କରିବେ ତ ମୋହନ ସରକାର?
ଦିନେ ବିଜେଡି ସରକାରର ପ୍ରଭାବଶାଳୀ ଅଧିକାରୀ ତଥା ବିଜେଡି କ୍ଷମତାକେନ୍ଦ୍ର ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ଏବେ ବିଜେପି ସରକାର ଅଧୀନରେ କାମ କରିବେ । ଦାୟିତ୍ବ ସମ୍ଭାଳିବା ସୁଜାତାଙ୍କ ପାଇଁ ଯେତିକି ଚ୍ୟାଲେଞ୍ଜ ତାଙ୍କ ଉପରେ ଭରସା କରିବା ମୋହନ ସରକାରଙ୍କ ପାଇଁ ବି ସେତିକି କଠିନ ହେବ । ସୁଜାତାଙ୍କୁ ବିଶ୍ବାସ କରିନପାରନ୍ତି ବିଜେପି ସରକାର । କାରଣ ବିଜେଡି ସପକ୍ଷରେ ସରକାରୀ କଳର ଦୁରୁପଯୋଗ କରିବା ନେଇ ତାଙ୍କ ନାଁରେ ଅଭିଯୋଗ ଆଣିଥିଲା ବିଜେପି । ଏବେ ତାଙ୍କୁ ସରକାରଙ୍କ ଗୋପନୀୟ ଫାଇଲ୍ ଦେବା ପୂର୍ବରୁ ନିଶ୍ଚୟ ଚିନ୍ତା କରିବେ । ବିଜେଡି କ୍ଷମତାରୁ ଯିବା ପରେ ନିଜେ ପାଣ୍ଡିଆନ ପ୍ରତ୍ୟକ୍ଷ ରାଜନୀତିରୁ ନିଜକୁ ପ୍ରତ୍ୟାହାର କରିଥିଲେ । ହେଲେ ଏବେବି ସେ ପରଦା ପଛରୁ ଗୋଟି ଚଳାଉଥିବା ନେଇ ଚର୍ଚ୍ଚା ହେଉଛି । ଏଭଳି ସ୍ଥିତିରେ ତାଙ୍କ ପତ୍ନୀ ବରିଷ୍ଠ ସରକାରୀ ଅଧିକାରୀ ରହିଲେ ବିଜେପି ସରକାରଙ୍କ ଆଶଙ୍କା ରହିବ । ନୂଆ ସରକାର ଆସିବା ପରେ ରାଜ୍ୟ ଶାସନ କଳରେ ଅଦଳବଦଳ ହୋଇଛି ସତ ହେଲେ ଏବେବି ବିଜେଡି ଲିଙ୍କର ଅଧିକାରୀ କାର୍ଯ୍ୟପାଳିକାରେ ରହିଛନ୍ତି । ସୁଜାତା ବିଜେଡି ତରଫରୁ ବ୍ୟାଟିଂ କଲେ ସରକାର କ୍ଷତିରେ ପଡିପାରନ୍ତି । ସେପଟେ ଦିନେ ଅଖଣ୍ଡ କ୍ଷମତା ରଖିଥିବା ସୁଜାତା କାର୍ତ୍ତିକେୟନଙ୍କ ପାଇଁ ବିଜେପି ସରକାରରେ ଫିଟ୍ ହେବା ସହଜ ହେବନି । ମିଶନ ଶକ୍ତି ବିଭାଗକୁ ନେଇ ବି ଅଡୁଆ ବଢିପାରେ । ସେପଟେ ସୁଜାତାଙ୍କ କାଟତି କମିବା ପରେ ତାଙ୍କ ପ୍ରତି ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ଆଭିମୁଖ୍ୟ କିଭଳି ରହିବ? ବିଜେପି ସରକାର ସୁଜତାଙ୍କ ଉପରେ ପୁରୁଣା ରାଗ ଶୁଝାଇବେ ନା ଚୁପ୍ ରହିବେ ? ତାଉପରେ ନଜର ରହିବ ।