ଭୁବନେଶ୍ବର: କିଛି ଦିନର କାଳବୈଶାଖୀ ଆଶ୍ବସ୍ତି ପରେ ରାଜ୍ୟରେ ପୁଣି ଆରମ୍ଭ ହୋଇଯାଇଛି ଗ୍ରୀଷ୍ମ ପ୍ରବାହ । ଆସନ୍ତା ୫ ଦିନ ରାଜ୍ୟରେ ଭୀଷଣ ଗ୍ରୀଷ୍ମଲହରୀ ବହିବା ସହ ଗୁଳୁଗୁଳି ମଧ୍ୟ ପ୍ରବଳ ମାତ୍ରାରେ ଅନୁଭବ ହେବ । ଆସନ୍ତା୧୪ ତାରିଖ ଯାଏଁ ପ୍ରଚଣ୍ଡ ତାତିରୁ ନିସ୍ତାର ମିଳିବନି ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
ତେବେ ୧୧, ୧୨ ଓ ୧୩ ତାରିଖରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମଲହରି ବହିପାରେ । ୧୪ ତାରିଖ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମଲହରି ବହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଅନ୍ୟପଟେ, ଆଜି ରାଜ୍ୟରେ ରେକର୍ଡ ତାପମାତ୍ରା ଅନୁଭୂତ ହେବା ସହ ସମ୍ବଲପୁରରେ ୪୨.୭ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି । ଏହାପରେ ହୀରାକୁଦରେ ଆଜି ତାପମାତ୍ରା ୪୧.୭ ଡିଗ୍ରି ରେକର୍ଡ ହୋଇଥିବାବେଳେ ଝାରସୁଗୁଡ଼ାରେ ୪୧.୬ ଡିଗ୍ରି, ଭୁବନେଶ୍ୱରରେ ୪୦.୨ ଡିଗ୍ରି, ବାଲେଶ୍ୱରରେ ୩୯.୭ ଡିଗ୍ରି, ରାଉରକେଲାରେ ୩୯.୬ ଡିଗ୍ରି ଓ ଚାନ୍ଦବାଲିରେ ୩୯.୪ ଡିଗ୍ରି ରେକର୍ଡ ହୋଇଛି ।
ତେବେ ଏହା ସତ୍ତ୍ବେ ଭଲ ଖବର ମଧ୍ୟ ରହିଛି ମେ ୨୭ ବେଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳ ଛୁଇଁବ ବୋଲି ଆକଳ କରିଛି ଆଇଏମଡି ।
ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ ‘ଏକ୍ସ’ ରେ ଲେଖିଛନ୍ତି ଯେ, ଏଥର ସଅଳ ମୌସୁମୀ ଆସିବ । ୨୭ ମେ’ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦେଶର ମୁଖ୍ୟ ଭୂଖଣ୍ଡକୁ କେରଳ ନିକଟରେ ଛୁଇଁବା ସମ୍ଭାବନା । ମଡେଲଜନିତ ତ୍ରୁଟି ପାଇଁ ୪ ଦିନ ଆଗପଛ ହୋଇପାରେ ।
Comments are closed.