ସର୍ବନିମ୍ନ ମଜୁରୀ ଦେବାରେ ଓଡ଼ିଶା ଦେଶର ଅନ୍ୟତମ ଖରାପ ରାଜ୍ୟ
ଏସବିଆଇ (SBI) ପକ୍ଷରୁ ପ୍ରକାଶିତ ସଦ୍ୟତମ ଶ୍ରମ ରିପୋର୍ଟ (Labour Report 2026) ଅନୁଯାୟୀ, ସର୍ବନିମ୍ନ ମଜୁରୀ ପ୍ରଦାନ କ୍ଷେତ୍ରରେ ଓଡ଼ିଶାର ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ।
ଏସବିଆଇ (SBI) ପକ୍ଷର
ଭୁବନେଶ୍ୱର/ନୂଆଦିଲ୍ଲୀ: ଓଡ଼ିଶାରେ ଶ୍ରମିକମାନଙ୍କୁ ସେମାନଙ୍କର ନ୍ୟାଯ୍ୟ ମଜୁରୀ ମିଳୁନାହିଁ। ଏସବିଆଇ ରିସର୍ଚ୍ଚର ସଦ୍ୟତମ ରିପୋର୍ଟ ଅନୁଯାୟୀ, ସର୍ବନିମ୍ନ ମଜୁରୀ ଆଇନର ଉଲ୍ଲଂଘନ କ୍ଷେତ୍ରରେ ଓଡ଼ିଶା ଦେଶର ଦ୍ୱିତୀୟ ଖରାପ ରାଜ୍ୟ ଭାବେ ଉଭା ହୋଇଛି।
ଓଡ଼ିଶାରେ ପ୍ରାୟ ୬୬% କାଜୁଆଲ୍ ଶ୍ରମିକ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସର୍ବନିମ୍ନ ମଜୁରୀଠାରୁ କମ୍ ଟଙ୍କା ପାଉଛନ୍ତି।
ଏହି ତାଲିକାରେ ଛତିଶଗଡ଼ (୭୦%) ସବୁଠାରୁ ଖରାପ ସ୍ଥିତିରେ ଥିବାବେଳେ ଓଡ଼ିଶା (୬୬%) ଏବଂ ଝାଡ଼ଖଣ୍ଡ (୬୫%) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।
ସର୍ବନିମ୍ନ ମଜୁରୀ ପାଉନଥିବା ଶ୍ରମିକଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ଅଧିକ। ମୋଟ ଅଣ-ନିୟମିତ ଶ୍ରମଶକ୍ତିର ୨୫% ମହିଳା ହୋଇଥିଲେ ସୁଦ୍ଧା, କମ୍ ମଜୁରୀ ପାଉଥିବା ଶ୍ରମିକଙ୍କ ମଧ୍ୟରେ ସେମାନଙ୍କ ଅଂଶ ୪୫% ରହିଛି।
ରିପୋର୍ଟ ଅନୁଯାୟୀ, ଅଣସଂଗଠିତ କ୍ଷେତ୍ରରେ ବ୍ୟାପକ ଶ୍ରମିକ ନିୟୋଜିତ ଥିବାବେଳେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଶ୍ରମ ଆଇନର କଠୋର ଅନୁପାଳନ ହୋଇପାରୁନାହିଁ। ବିଶେଷ କରି ପୂର୍ବ ଭାରତର ରାଜ୍ୟଗୁଡ଼ିକରେ ଏହି ସମସ୍ୟା ଅଧିକ ଜଟିଳ। ଅନ୍ୟପକ୍ଷରେ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ଭଳି ରାଜ୍ୟରେ ମଜୁରୀ ନିୟମର ଅନୁପାଳନ ସ୍ଥିତି ବେଶ୍ ଭଲ ରହିଛି।
ରାଜ୍ୟ ସରକାର ସମୟ ସମୟରେ ସର୍ବନିମ୍ନ ମଜୁରୀ ହାର ସଂଶୋଧନ କରୁଥିଲେ ସୁଦ୍ଧା, ତୃଣମୂଳ ସ୍ତରରେ ଶ୍ରମିକମାନେ ଏହାର ସୁଫଳ ପାଉନାହାଁନ୍ତି। ଏହି ରିପୋର୍ଟ ଏବେ ଓଡ଼ିଶାରେ ଶ୍ରମିକ ସୁରକ୍ଷା ଏବଂ ମଜୁରୀ କାର୍ଯ୍ୟକାରିତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
Comments are closed.