Latest Odisha News

ଦୁର୍ଗମ ରାସ୍ତାରେ ଗର୍ଭବତୀ ମହିଳାଙ୍କୁ ୫ କିଲୋମିଟର କାନ୍ଧେଇ ହସ୍ପିଟାଲ୍ ନେଲେ ବିଧାୟକ !

ପାପଡ଼ାହାଣ୍ଡି: ଗତବର୍ଷ ନିର୍ବାଚନରେ ବିଜୟ ଲାଭ କରିଥିଲେ ମଧ୍ୟ ଡାବୁଗାଁ ବିଧାୟକ ମନୋହର ରାନ୍ଧାରୀ ନିଜର ପ୍ରଶଂସନୀୟ କାର୍ଯ୍ୟ ଯୋଗୁଁ ସମଗ୍ର ଓଡ଼ିଶାବାସୀଙ୍କ ହୃଦୟ ଜିତିଯାଇଛନ୍ତି । ବିଧାୟକ ମନୋହର ଦୁର୍ଗମ ରାସ୍ତାରେ ଜଣେ ଗର୍ଭବତୀ ମହିଳାଙ୍କୁ ତାଙ୍କ ସହଯୋଗୀଙ୍କ ସହିତ କାନ୍ଧେଇ ନେଇଯାଇଥିଲେ ଡାକ୍ତରଖାନାକୁ । ଯେଉଁ ରାସ୍ତାରେ ଗାଡ଼ି ମଟର ଯିବା ଦୂରର କଥା ଖାଲିପାଦରେ ଚାଲିବା ମଧ୍ୟ କଷ୍ଟକର ସେହି ରାସ୍ତାରେ ଆମ୍ବୁଲାନ୍ସ ଆସିବା ଅସମ୍ଭବ । ଏହା ଜାଣିପାରି ବିଧାୟକ ଜଣକ ନିଜେ କିଛି ସହଯୋଗୀଙ୍କ ସହିତ ଖଟିଆରେ ସେହି ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ନେବାକୁ ପ୍ରଚେଷ୍ଟା କରିଥିଲେ

ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡିରେ ଥିବା ମଇଦଳପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଏହି ମହିଳାଙ୍କୁ ପାହାଡ଼ିଆ ଦୁର୍ଗମ ପଥଦେଇ ବିଧାୟକ ଜଣକ ନେଇ ଆସିଥିଲେ ।

ମିଳିଥିବା ସୂଚନାନୁଯାୟୀ, ମଇଦଳପୁର ପଞ୍ଚାୟତ ଅନ୍ତର୍ଗତ କୁସୁମିଖୁଣ୍ଟି ଗ୍ରାମର ଜେମା ବେହେରା ନାମ୍ନୀ ଜଣେ ମହିଳା ପ୍ରସବ ବେଦନା ଯୋଗୁଁ ଯନ୍ତ୍ରଣା ପାଉଥିଲେ । ତାଙ୍କୁ ତୁରନ୍ତ ଡାକ୍ତରୀ ଚିକିତ୍ସା ଆବଶ୍ୟକ ପଡୁଥିବା ବେଳେ ଦୀର୍ଘ ୫ କିଲୋମିଟର ଦୂରରେ ଥିଲା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର । ବଣ ଜଙ୍ଗଲ ଘେରା ପାହାଡ଼ିଆ ଦୁର୍ଗମ ସରୁ ରାସ୍ତାରେ ଗାଡ଼ି ଯିବା ଅତ୍ୟନ୍ତ କଷ୍ଟକର । ଏହା ଜାଣିପାରି ମହିଳାଙ୍କ ଘର ନିକଟରେ ବିଧାୟକ ମନୋହର ପହଞ୍ଚିଲେ । କାଳ ବିଳମ୍ବ ନକରି ବିଧାୟକ ସ୍ଥାନୀୟ ବାସିନ୍ଦାଙ୍କ ସାହାଯ୍ୟରେ ଗର୍ଭବତୀ ମହିଳା ଜଣକଙ୍କୁ ଖଟିଆରେ କାନ୍ଧେଇ ନେଇଯାଇଥିଲେ ।

ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ମହିଳାଙ୍କ ପ୍ରାଥମିକ ଚିକିତ୍ସାପରେ ବିଧାୟକ ନିଜର କାରରେ ପୀଡ଼ିତା ଜଣକଙ୍କୁ ପାପଡ଼ାହାଣ୍ଡି ଡାକ୍ତରଖାନାକୁ ଅଧିକ ଚିକିତ୍ସା ଲାଗି ନେଇଯାଇଥିଲେ ।

ତାଙ୍କ ସହିତ ଡାବୁଗାଁ ବ୍ଲକ ଉପାଧ୍ୟକ୍ଷ ତ୍ରିନାଥ ପ୍ରଧାନ, ଆରସିଏମସି ସଭାପତି ସୁଶାନ୍ତ ବେହେରା ଏବଂ ପୀଡ଼ିତା ଜେମାଙ୍କ ପରିବାର ବର୍ଗ ମଧ୍ୟ ରହିଥିଲେ ।

ପରବର୍ତ୍ତୀ ସମୟରେ ଗ୍ରାମବାସୀମାନଙ୍କୁ ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି ଯେ, ନିଶ୍ଚିତ ଭାବେ ଗ୍ରାମରେ ପକ୍କା ସଡ଼କ ନିର୍ମାଣ ହେବ । ଏଥିଲାଗି ସେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ ।

ଡାବୁଗାଁ ବିଧାୟକଙ୍କ ଏହିପରି ପ୍ରଶଂସନୀୟ କାର୍ଯ୍ୟକୁ ସବୁ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.