ଭୁବନେଶ୍ୱର: ଦେଶର ପଶ୍ଚିମ ଉପକୂଳରେ ମୌସୁମୀର ଦ୍ରୁତ ଅଗ୍ରଗତି ଓଡ଼ିଶା ପାଇଁ ଚିନ୍ତା ବଢ଼ାଇ ଦେଇଛି। ମାୟାନଗରୀ ମୁମ୍ବାଇ ଠିକ୍ ସମୟରେ ବର୍ଷାରେ ଭିଜିବାକୁ ପ୍ରସ୍ତୁତ ହେଉଥିବା ବେଳେ, ଓଡ଼ିଶାର ଚାଷୀ ଓ ସାଧାରଣ ଜନତାଙ୍କୁ କିନ୍ତୁ ଜୁନ୍ ୧୪ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ସହିବାକୁ ପଡ଼ିବ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ପ୍ରତିକୂଳ ସ୍ଥିତି ରାଜ୍ୟର କୃଷି ଓ ଜନଜୀବନ ଉପରେ ଏବେଠାରୁ ବଡ଼ ପ୍ରଭାବ ପକାଇବା ଆରମ୍ଭ କଲାଣି।
ସାଧାରଣତଃ ଜୁନ୍ ୧୦ ସୁଦ୍ଧା ମୌସୁମୀ ବାୟୁ ଓଡ଼ିଶା ଛୁଇଁଥାଏ, ଯାହା ପରେ ରାଜ୍ୟରେ ଖରିଫ ଚାଷ ପାଇଁ ଅନୁକୁଳ ପରିବେଶ ସୃଷ୍ଟି ହୁଏ। ମାତ୍ର ଚଳିତ ବର୍ଷ ବଙ୍ଗୋପସାଗରର ଉତ୍ତର ଶାଖାରେ କୌଣସି ସକ୍ରିୟ ଘୂର୍ଣ୍ଣିବଳୟ କିମ୍ବା ପାଣିପାଗ ନିୟାମକ ସୃଷ୍ଟି ହୋଇପାରି ନାହିଁ।
ବାୟୁମଣ୍ଡଳର ସମସ୍ତ ଶକ୍ତି ଆରବ ସାଗର ଏବଂ ଉତ୍ତର-ପୂର୍ବ ଭାରତ ଆଡ଼କୁ ଆକର୍ଷିତ ହୋଇଯାଇଥିବାରୁ ଓଡ଼ିଶା ଏହି ମୁଖ୍ୟ ପ୍ରବାହରୁ ବାଦ୍ ପଡ଼ିଛି। ଫଳରେ ଜଳୀୟବାଷ୍ପପୂର୍ଣ୍ଣ ପବନ ଓଡ଼ିଶା ମାଟିକୁ ଆସିପାରୁ ନାହିଁ।
ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ କେବଳ ସ୍ଥାନୀୟ କାଳବୈଶାଖୀ ଜନିତ ବର୍ଷା ଦେଖିବାକୁ ମିଳୁଛି। ଏହି ବର୍ଷା କିଛି ସମୟ ପାଇଁ ତାପମାତ୍ରା କମାଉଥିଲେ ମଧ୍ୟ ଏହା ଦ୍ୱାରା ଭୂତଳ ଜଳସ୍ତର ବୃଦ୍ଧି ପାଏନାହିଁ କିମ୍ବା ଚାଷ କାମ ଆଗେଇ ପାରେନାହିଁ। ଚାଷ ଅନୁକୂଳ ମୌସୁମୀ ବର୍ଷା ପାଇଁ ଓଡ଼ିଶାବାସୀଙ୍କୁ ଜୁନ୍ ଦ୍ୱିତୀୟ ସପ୍ତାହ ଶେଷ ପର୍ଯ୍ୟନ୍ତ ଚାତକ ଭଳି ଚାହିଁ ରହିବାକୁ ପଡ଼ିବ।
ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ, ଜୁନ୍ ୧୪ ରୁ ୧୭ ତାରିଖ ମଧ୍ୟରେ ଓଡ଼ିଶାରେ କୌଣସି ଅତି ଭୟଙ୍କର ଗ୍ରୀଷ୍ମ ପ୍ରବାହର ଆଲର୍ଟ ନଥିଲେ ମଧ୍ୟ ସ୍ଥିତି ସହଜ ରହିବ ନାହିଁ। ଏହି ସମୟରେ ରାଜ୍ୟର ହାରାହାରି ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ପ୍ରାୟ ୧.୬°ସେଲସିୟସରୁ ୩°ସେଲସିୟସ ପର୍ଯ୍ୟନ୍ତ ଅଧିକ ରହିବ। ଜଳୀୟବାଷ୍ପର ମାତ୍ରା ବଢ଼ିବା ଯୋଗୁଁ ଅସହ୍ୟ ଗୁଳୁଗୁଳି ଓ ଝାଞ୍ଜି ପବନ ଓଡ଼ିଶାବାସୀଙ୍କୁ ନାକେଦମ୍ କରିବ।
ପାଣିପାଗ ବିଶେଷଜ୍ଞଙ୍କ ମତରେ, ଯେପର୍ଯ୍ୟନ୍ତ ବଙ୍ଗୋପସାଗରରେ ଏକ ଦୃଢ଼ ଲଘୁଚାପ କିମ୍ବା ସାମୁଦ୍ରିକ ହଲଚଲ ସୃଷ୍ଟି ହୋଇ ଓଡ଼ିଶା ମୁହାଁ ହୋଇନାହିଁ, ସେପର୍ଯ୍ୟନ୍ତ ମୌସୁମୀ ବାୟୁ ରାଜ୍ୟ ଭିତରକୁ ପ୍ରବେଶ କରିପାରିବ ନାହିଁ। ତେଣୁ ଜୁନ୍ ୧୪ ପରେ ହିଁ ଓଡ଼ିଶାରେ ମୌସୁମୀ ବର୍ଷା ନେଇ ଚିତ୍ର ସ୍ପଷ୍ଟ ହେବ।