Latest Odisha News

ଓଡ଼ିଶା ସାଂସଦ ଭର୍ତ୍ତୃହରି ମହତାବ ପାଇବେ ‘୨୦୨୦ ସଂସଦ ରତ୍ନ ପୁରସ୍କାର’

ଚେନ୍ନାଇ: କଟକ ସାଂସଦ ଭର୍ତ୍ତୃହରି ମହତାବ ୨୦୨୦ ସଂସଦ ରତ୍ନ ପୁରସ୍କାର ପାଇବା ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି । ଶ୍ରୀ ମହତାବଙ୍କ ସମେତ ଲୋକସଭାର ୮ଜଣ ସଦସ୍ୟ ଏବଂ ୨ଜଣ ରାଜ୍ୟସଭା ସଦସ୍ୟ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ।

୧୭ତମ ଲୋକସଭାର ପ୍ରଥମ ବର୍ଷ ଲାଗି ପ୍ରଦର୍ଶନକୁ ଭିତ୍ତିକରି ଏହି ପୁରସ୍କାର ବିଭିନ୍ନ ବିଭାଗ ଲାଗି ପ୍ରଦାନ କରାଯିବ, ଏନେଇ ବୁଧବାର ଦିନ ସୂଚନା ଦେଇଛି ପ୍ରାଇମ୍ ପଏଣ୍ଟ ଫାଉଣ୍ଡେସନ ।

ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ ମହତାବ ୬ଥର ଲାଗି ସାଂସଦ ରହିଛନ୍ତି । ସେ ସଫଳତାର ସହିତ କଟକ ସଂସଦୀୟ ନିର୍ବାଚନ ମଣ୍ଡଳୀରୁ ୧୯୯୮, ୧୯୯୯, ୨୦୦୪, ୨୦୦୯, ୨୦୧୪ ଏବଂ ୨୦୧୯ରେ ନିର୍ବାଚିତ ଲଢି ବିଜୟ ହାସଲ କରିପାରିଛନ୍ତି ।

ଭାରତର ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଏ ପି ଜେ ଅବଦୁଲ୍ କାଲାମଙ୍କ ନିର୍ଦ୍ଦେଶରେ ୨୦୧୦ ମସିହାରୁ ଏହି ସଂସଦ ରତ୍ନ ପୁରସ୍କାର ପ୍ରଦାନ କରାଯାଉଥିବା ନେଇ ପ୍ରାଇମ୍ ପଏଣ୍ଟ ଫାଉଣ୍ଡେସନ ସୂଚନା ପ୍ରଦାନ କରିଛି ।

ପ୍ରାଇମ୍ ପଏଣ୍ଟ ଫାଉଣ୍ଡେସନର ସୂଚନାନୁଯାୟୀ, ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ (ବିଜେଡ଼ି), ସୁପ୍ରିୟା ସୁଲେ (ଏନସିପି), ସୁବାଷ ରାମରାଓ ଭାମ୍ରେ (ବିଜେପି), ହୀନା ଗଭିତ (ବିଜେପି), ଅମୋଲ ରାମସିଂହ କୋଲେ୍‌ହ (ଏନସିପି), ଶଶି ଥରୁର୍ (କଂଗ୍ରେସ), ନିଶିକାନ୍ତ ଦୁବେ (ବିଜେପି), ଅଜୟ ମିଶ୍ର (ବିଜେପି), ରାମମୋହନ ନାଇଡୁ (ଟିଡ଼ିପି) ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ।

ଏହାବ୍ୟତୀତ, ଯେଉଁ ୨ ଜଣ ରାଜ୍ୟସଭା ସଦସ୍ୟ ଏହି ସମ୍ମାନଜନକ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ସେମାନେ ହେଲେ ବିଶ୍ୱମ୍ଭର ପ୍ରସାଦ ନିଶଦ (ସମାଜବାଦୀ ପାର୍ଟି) ଏବଂ ଛାୟା ବର୍ମା (କଂଗ୍ରେସ) ।

Comments are closed.