Latest Odisha News

BREAKING NEWS

ଓଡ଼ିଶା ପହଞ୍ଚିଲେ ଜଗା-କାଳିଆ

ଭୁବନେଶ୍ୱର: କନ୍ଧମାଳର ଚର୍ଚ୍ଚିତ ଯୋଡାମୁଣ୍ଡ ଶିଶୁ ଜଗା-କାଳିଆ ଦିଲ୍ଲୀରୁ ଆସି ଓଡ଼ିଶାରେ ପହଞ୍ଚିଛନ୍ତି । ସେମାନେ ନୂଆଦିଲ୍ଲୀରୁ ରାଜଧାନୀ ଏକ୍ସପ୍ରେସ ଯୋଗେ କଟକରେ ଆସି ପହଞ୍ଚିଛନ୍ତି ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ ଦୁଇଦିନ ପୂର୍ବେ ଓଡ଼ିଶା ଏସସିବିରୁ ଦୁଇଜଣିଆ ଡାକ୍ତରୀ ଟିମ ଦିଲ୍ଲୀ ପହଞ୍ଚି ଏମ୍ସର କତ୍ତୃପକ୍ଷଙ୍କ ସହ ଜଗା-କାଳିଆଙ୍କ ଫେରିବା ନେଇ ଆଲୋଚନା କରିଥିଲେ । ଶୁକ୍ରବାର ଦିନ ୧୨ଟାରେ ଜଗା-କାଳିଆଙ୍କ ଫେରିବା ନେଇ ଏମ୍ସର ପ୍ରେସମିଟ ହୋଇଥିଲା । ଏହାପରେ ଓଡ଼ିଶା ଏସସିବିର ଦୁଇଜଣିଆ ଡାକ୍ତରୀ ଟିମ ଓ ଏମ୍ସ ଡାକ୍ତର ଦଳ ଜଗା-କାଳିଆଙ୍କୁ ନେଇ ସେଠାରୁ ଶୁକ୍ରବାର ସନ୍ଧ୍ୟାରେ ରାଜଧାନୀ ଏକ୍ସପ୍ରେସରେ କଟକ ବାହାରିଥିଲେ। ଦିଲ୍ଲୀ ଏମ୍ସର ନ୍ୟୁରୋ ସର୍ଜରୀ ବିଭାଗ ମୁଖ୍ୟ ଡାକ୍ତର ଦୀପକ ଗୁପ୍ତା ଓ ନ୍ୟୁରୋ ଆନାସ୍ଥେସିଆ ବିଭାଗ ଡାକ୍ତର ଗିରିଜା ରଥଙ୍କୁ ମିଶାଇ ମୋଟ ୧୧ ଜଣ ଜଗା-କାଳିଆଙ୍କ ସହ ଓଡ଼ିଶା ଆସିଛନ୍ତି।

ପ୍ରାୟ ଦୁଇ ବର୍ଷପରେ ଦିଲ୍ଲୀରୁ ଓଡ଼ିଶା ଆସିଥିବା ଜଗା-କାଳିଆଙ୍କ ରହିବା ପାଇଁ କଟକ ବଡ଼ ଡାକ୍ତରଖାନାରେ ବିଶେଷ ବ୍ୟବସ୍ଥା ହୋଇଛି । ଦୁଇ ଶିଶୁଙ୍କୁ ଏସ୍‌ସିବିର ସର୍ଜରି ବିଭାଗର ୧ ନମ୍ବର କ୍ୟାବିନ୍‌ରେ ରଖାଯିବା ସହ ସେମାନଙ୍କ ଚିକିତ୍ସା ପାଇଁ ୬ଜଣିଆ ବିଶେଷଜ୍ଞ ଡାକ୍ତରୀ ଦଳ ଗଠନ କରାଯାଇଛି । ଉକ୍ତ ଡାକ୍ତରୀ ଟିମ୍‌ ଦୁଇ ଜଣଙ୍କ ଉପରେ ଚବିଶ ଘଣ୍ଟିଆ ନଜର ରଖିବେ ।

ସୂଚନାଯୋଗ୍ୟ, ୨୦୧୭ ଜୁଲାଇ ୧୪ ତାରିଖରେ କନ୍ଧମାଳ ଜିଲ୍ଲା ମିଲିପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଅଭିଜ୍ଞ ଡାକ୍ତରୀ ଟିମ୍ ଦ୍ୱାରା ସଫଳତାର ସହ ଅସ୍ତ୍ରୋପଚାର କରି ଦୁଇ ଶିଶୁଙ୍କୁ ଅଲଗା କରାଯାଇଥିଲା।

Leave A Reply

Your email address will not be published.