Latest Odisha News

BREAKING NEWS

ଦୁର୍ଘଟଣାସ୍ଥଳରୁ ମେଡିକାଲ୍ ଯାଇ ଆହତଙ୍କୁ ଭେଟିଲେ ପିଏମ୍ ମୋଦି, କହିଲେ ‘ଛାଡ଼ ପାଇବେନି ଦୋଷୀ’

ବାଲେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ଉଦ୍ଧାର ଓ ମରାମତି କାର୍ଯ୍ୟର ସମୀକ୍ଷା ପରେ ପିଏମ୍ ମୋଦି ବାଲେଶ୍ୱର ହସ୍ପିଟାଲରେ ଆହତଙ୍କୁ ଭେଟିଛନ୍ତି । ମେଡିକାଲରେ ଆହତଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ଡାକ୍ତର, ରୋଗୀଙ୍କ ସହ କଥା ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଓ ସଚିବଙ୍କୁ ଫୋନ୍ କରି ଉତ୍ତମ ଚିକିତ୍ସା ପାଇଁ ସହଯୋଗ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଦୁର୍ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏତେ ବଡ଼ ଦୁର୍ଘଟଣା ପାଇଁ ଯେଉଁମାନେ ଦାୟୀ ବା ଭୁଲ୍ ଥିବ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

ବାହାନଗା ଦୁର୍ଘଟଣାରେ ଏକାଧିକ ରାଜ୍ୟର ଯାତ୍ରୀ ମୃତାହତ ହୋଇଛନ୍ତି । ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଲୋକ ଓ ରାଜ୍ୟ ସରକାରଙ୍କ ସହଯୋଗ ପାଇଁ ପ୍ରଶଂସା କରିବା ସହ କୃତଜ୍ଞତା ଜଣାଇଛନ୍ତି ।

ଭାରତୀୟ ରେଳବାଇ ମଧ୍ୟ ସମ୍ପୂର୍ଣ୍ଣ ସାମର୍ଥ୍ୟର କାର୍ଯ୍ୟରେ ଲାଗି ଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଯେଉଁଭଳି ଦୁର୍ଘଟଣା ଘଟିଛି ତାକୁ ବର୍ଣ୍ଣନା କରିବା ଲାଗି ପାଖରେ ଶବ୍ଦ ନଥିବା କହିଛନ୍ତି ସେ । ଦୁର୍ଘଟଣାରୁ ଶିକ୍ଷା ଲାଭ କରିବା ସହ ବ୍ୟବସ୍ଥାକୁ ଲୋକଙ୍କ ସୁରକ୍ଷା ଲାଗି ଆହୁରି ସୁଦୃଢ଼ କରାଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଶୁକ୍ରବାର ରାତିରେ ୩ଟି ଟ୍ରେନ୍ ଦୁର୍ଘଟଣାରେ ୨୬୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯୦୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ସରିଥିବା ବେଳେ ଟ୍ରାକ୍ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Leave A Reply

Your email address will not be published.