Latest Odisha News

BREAKING NEWS

ପୁଣି ବର୍ଷା ଆଲର୍ଟ: ଭିଜିବ ଓଡ଼ିଶା, ଉଛୁଳିବ ନଈନାଳ; ୫ ଜିଲ୍ଲାକୁ ଅତି ସତର୍କ ରହିବାକୁ ପାଣିପାଗ ବିଭାଗର ଚେତାବନୀ

ଭୁବନେଶ୍ୱର: ରାଜ୍ୟରେ ଏବେ ଲଘୁଚାପର ବର୍ଷା ବିତ୍ପାତ। ଲଗାଣ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଲାଗିରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବିଶେଷ କରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧି ପାଇବାର ଆଶଙ୍କା ଥିବାରୁ ରାଜ୍ୟର ୫ଟି ଜିଲ୍ଲା ପାଇଁ ଆଇଏମଡି ‘ଅରେଞ୍ଜ ୱାର୍ଣ୍ଣିଂ’ ଜାରି କରିଛି, ଯେଉଁଠାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

 

ପାଣିପାଗ ବିଭାଗର ତାଜା ରିପୋର୍ଟ ଅନୁଯାୟୀ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଏବଂ ନୂଆପଡ଼ା ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଦିଆଯାଇଛି। ଏହି ସବୁ ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ଭୟଙ୍କର ଘଡ଼ଘଡ଼ି ଓ ବଜ୍ରପାତର ଆଶଙ୍କା ରହିଛି। ସେହିପରି ରାଜ୍ୟର ଅନ୍ୟ ୧୭ଟି ଜିଲ୍ଲା- ଦେବଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କନ୍ଧମାଳ, କଳାହାଣ୍ଡି ଏବଂ ନବରଙ୍ଗପୁର ପାଇଁ ‘ୟେଲୋ ୱାର୍ଣ୍ଣିଂ’ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକର କିଛି ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ସହ ବିଜୁଳି ମାରିବାର ସମ୍ଭାବନା ରହିଛି।

 

ଲଗାଣ ବର୍ଷା କାରଣରୁ ତଳିଆ ଅଞ୍ଚଳରେ ପାଣି ଜମିବା, ସହରାଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଓ ରାସ୍ତାଘାଟରେ ଯାତାୟାତ ବାଧାପ୍ରାପ୍ତ ହେବାର ଆଶଙ୍କା ଥିବାରୁ ସମ୍ପୃକ୍ତ ଜିଲ୍ଲା ପ୍ରଶାସନମାନଙ୍କୁ ସମ୍ପୂର୍ଣ୍ଣ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରବଳ ବର୍ଷା ଏବଂ ବିଜୁଳି ଘଡ଼ଘଡ଼ି ସମୟରେ ପଦାକୁ ନବାହାରିବାକୁ କିମ୍ବା ବଡ଼ ଗଛ ତଳେ ଆଶ୍ରୟ ନନେବାକୁ ବିଶେଷଜ୍ଞମାନେ ସତର୍କ କରାଇଛନ୍ତି। ଆଗାମୀ ୪୮ ଘଣ୍ଟା ରାଜ୍ୟବାସୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ସମସ୍ତଙ୍କୁ ପାଣିପାଗ ବିଭାଗର ଅପଡେଟ୍ ପ୍ରତି ନଜର ରଖିବାକୁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.