ମୟୂରଭଞ୍ଜ: ତିନି ଦଫା ଦାବି ନେଇ ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଓଡ଼ିଶା ରାଜ୍ୟ ଉଜ୍ଜ୍ଵଳା ଦିଦି ସଂଘ ମୟୂରଭଞ୍ଜ ଜିଲ୍ଲା ତରଫରୁ ଆଜି ବର୍ଷାରେ ଭିଜି ଭିଜି ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତିଟି ଗରିବ ଲୋକଙ୍କ ଘରେ ଉଜ୍ଜ୍ୱଳା ଗ୍ୟାସ ଯୋଗାଇ ଦିଆଯିବା ଫଳରେ କୋଟି କୋଟି ଲୋକ ଏଥିରୁ ଉପକୃତ ହେଉଛନ୍ତି। ସେହିଭଳି ଓଡ଼ିଶାରେ ମଧ୍ୟ ଏହି କାର୍ଯ୍ୟକୁ ସାକାର କରିବା ପାଇଁ ଉଜ୍ଜ୍ୱଳା ଦିଦିମାନଙ୍କୁ କାର୍ଯ୍ୟ ଭାର ଦାୟିତ୍ବ ଦିଆଯାଇଥିଲା।
ସେମାନେ ମଧ୍ୟ ଏହି ଦାୟିତ୍ୱକୁ ଠିକ୍ ଭାବରେ ତୁଲାଇଥିଲେ ସୁଦ୍ଧା ତାଙ୍କୁ ଅଣଦେଖା କରୁଛି ସରକାର। ଏନେଇ ଓଡ଼ିଶା ରାଜ୍ୟ ଉଜ୍ଜ୍ୱଳା ଦିଦି ସଂଘ ପକ୍ଷରୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି। ଉଜ୍ଜ୍ୱଳା ଦିଦିମାନଙ୍କର ତିନିଗୋଟି ଦାବି ଯେପରିକି ଉଜ୍ଜ୍ଵଳା ଦିଦିମାନଙ୍କୁ କାର୍ଯ୍ୟ ଦେବା ସମୟରେ ଯେଉଁସବୁ ପ୍ରତିଶୃତି ଦିଆଯାଇଥିଲା ତାହା କାର୍ଯ୍ୟକାରୀ କରାଯିବା, ସମସ୍ତ ଉଜ୍ଜ୍ଵଳା ଦିଦିମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଗାଇ ଦିଆଯିବା ଏବଂ ଉଜ୍ଜ୍ଵଳା ଦିଦିମାନଙ୍କୁ କର୍ମ ନିଯୁକ୍ତି ଯୋଜନାରେ କାମ ଯୋଗାଇ ଦେବା ସହ ପାରିଶ୍ରମିକ ଯୋଗାଇ ଦିଆଯିବା ଭଳି ଦାବି କରାଯାଇଛି।
ଦାବି ପୂରଣ ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବା ସହିତ ଜୋରଦାର ବିକ୍ଷଭ ପ୍ରଦର୍ଶନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଓଡ଼ିଶା ରାଜ୍ୟ ଉଜ୍ଜ୍ଵଳା ଦିଦି ସଂଘର ରାଜ୍ୟ ସଂଯୋଜିକା ବୀଣାପାଣି ବେହେରା।
Comments are closed.