ଭୁବନେଶ୍ୱର: ମଦ ନେଉଛି ବହୁ ନୂଲ୍ୟ ଜୀବନ । ତେବେ ମଦ କାରଣରୁ ଓଡିଶାରେ ମୃତ୍ୟୁ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଇଛି । ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ (ଏମ୍ଓଆରଟିଏଚ୍) ଦ୍ୱାରା ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛିଯେ, ଦେଶରେ ମଦ ପିଇ ଗାଡ଼ି ଚଳାଇ ଦୁର୍ଘଟଣା ଜନିତ ମୃତ୍ୟୁରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି ।
ସେହିପରି, ଗାଡ଼ି ଚଲାଇଲାବେଳେ ମୋବାଇଲ୍ ଫୋନ୍ରେ ଗପି ଦୁର୍ଘଟଣା କରି ମରିବାରେ ତୃତୀୟ ସ୍ଥାନରେ ରହିଛି ଓଡିଶା ।
ଏମଓଆରଟିଏଚ୍ ରିପୋର୍ଟରେ ପ୍ରକାଶିତ ତଥ୍ୟ ଅନୁସାରେ, ୨୦୨୨ରେ ମଦ ପିଇ ଗାଡ଼ି ଚାଳାଇ ଦୁର୍ଘଟଣାରେ ପ୍ରଥମ ସ୍ଥାନରେ ରହିଛି ଉତ୍ତର ପ୍ରଦେଶ । ଏହି ରାଜ୍ୟରେ ୧୮୨୨ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଓଡିଶାରେ ୩୦୧ ଜଣଙ୍କର ଜୀବନ ଯାଇଛି । ୨୦୨୩ରେ ଏହି ସଂଖ୍ୟା ୨୫୪କୁ ହ୍ରାସ ପାଇ ମଧ୍ୟ ଓଡ଼ିଶା ଦେଶର ଦ୍ୱିତୀୟ ସ୍ଥାନରେ ରହିଛି । ୨୦୨୨ ମସିହା ତୁଳନାରେ ୨୦୨୩ରେ ୧୫% କମ୍ ଲୋକ ମରିଛନ୍ତି । ଏହା ସତ୍ବେ ଆମ ରାଜ୍ୟ ଦ୍ୱିତୀୟ ସ୍ଥାନରେ ରହିଛି ।
ଏମଓଆରଟିଏଚ୍ ରିପୋର୍ଟ ଅନୁଯାୟୀ, ମୋବାଇଲ୍ ଫୋନରେ କଥା ହୋଇ ଗାଡ଼ି ଚଳାଇ ଦୁର୍ଘଟଣାରେ ମୃତ୍ୟୁ ବରଣ କରିବାରେ ଓଡ଼ିଶା ତୃତୀୟ ସ୍ଥାନ ଅଧିକାର କରିଛି । ପ୍ରଥମରେ ଉତ୍ତରପ୍ରଦେଶ । ଏହି ରାଜ୍ୟରେ ୧୮୧୫ ଜଣଙ୍କର ମୃତ୍ୟୁ ହୋଇଥିଲା । ଦ୍ୱିତୀୟ ସ୍ଥାନରେ ରହିଛି ମଧ୍ୟପ୍ରଦେଶ । ୨୦୨୩ରେ ମୋବାଇଲ ଫୋନରେ ଗପି ଗାଡ଼ି ଚଳାଇ ଦୁର୍ଘଟଣାରେ ୧୮୫ ଜଣଙ୍କର ମୃତ୍ୟୁ ହୋଇଥିଲା । ୨୦୨୨ରେ ଓଡ଼ିଶାରେ ଏଭଳି ୩୪୭ଟି ଦୁର୍ଘଟଣା ଘଟିଥିଲାବେଳେ ୧୨୦ ଜଣଙ୍କର ଜୀବନ ଯାଇଥିଲ । ୨୦୨୩ରେ ଫୋନ୍ରେ କଥା ହୋଇ ୪୩୩ ଦୁର୍ଘଟଣା ହୋଇଥିଲା । ୨୦୨୩ ମସିହାରେ ଏହି ସଂଖ୍ୟା ୩୫% ବୃଦ୍ଧି ପାଇଥିଲା ।
ତେବେ ଏମଭି ଆକ୍ଟ ୨୦୧୯ର ଧାରା ୧୮୫ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ମଦ ପିଇ ଗାଡ଼ି ଚଳାଇ ଧରାପଡ଼ିବେ ତା’ହେଲେ ପୋଲିସ ଗାଡ଼ି ଜବତ କରିବା ସହ ୧୦ ହଜାର ଟଙ୍କା ଜରିମାନା କରିପାରିବ । ଖାଲି ସେତିକି ନୁହେଁ ୬ ମାସ ପର୍ଯ୍ୟନ୍ତ ଜେଲଦଣ୍ଡର ନିୟମ ମଧ୍ୟ ରହିଛି । ଦ୍ୱିତୀୟ ଥର ସମାନ ଅପରାଧ କଲେ ୧୫ ହଜାର ଟଙ୍କା ଜରିମାନା କିମ୍ୱା ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡର ବ୍ୟବସ୍ଥା ରହିଛି । ପୋଲିସ ଏମଭିଆଇ ଯଦି ଏହି ନିୟମକୁ କଡ଼ାକଡ଼ି କରିବେ ତା’ହେଲେ ମଦ୍ୟପାନ ଜନିତ ଦୁର୍ଘଟଣା ସଂଖ୍ୟା କମିବ ।
ସେହିପରି, ଫୋନ୍ ରେ କଥା ହୋଇ ଗାଡ଼ି ଚଳାଉଥିବା ବ୍ୟକ୍ତି ପ୍ରଥମ ଥର ଧରାପଡିଲେ ୫ ହଜାର ଟଙ୍କା ଓ ଦ୍ୱିତୀୟ ଥର ଧରାପଡିଲେ ୧୦ ହଜାର ଟଙ୍କା ଜରିମାନାର ବ୍ୟବସ୍ଥା ରହିଛି । ଏନେଇ ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ମଦ୍ୟପାନ କରି ଗାଡି ଚାଳନା ବିଷୟରେ ବିଭାଗ କଠୋର ଚେତାବନୀ ଜାରି କରିଆସୁଛି । ମଦ ପିଇ ଗାଡ଼ି ଚଳାଇ ଦୁର୍ଘଟଣା ଘଟାଇଲେ ଭାରତୀୟ ନ୍ୟାୟ ସଂହିତା ୨୦୨୩ର ଧାରା ୧୦୫ ଅନୁଯାୟୀ ମାମଲା ରୁଜୁ ହୋଇପାରେ ।
Comments are closed.