ନୂଆଦିଲ୍ଲୀ: ବିଶ୍ୱ ମଞ୍ଚରେ ନିଜର ଶକ୍ତି ପ୍ରଦର୍ଶନ କରିବା ସହିତ ଶତ୍ରୁମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ମିଳିତ ଜାତିସଂଘ ସାଧାରଣ ସଭାକୁ ସମ୍ବୋଧିତ କରିବା ବେଳେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ନିଜର ଭାଷଣ ଦେଉଥିବା ସମୟରେ ହଠାତ୍ ନେତାନ୍ୟାହୁ ଏକ ପେଜର ବାହାର କରି ସଭାରେ ଉପସ୍ଥିତ ଥିବା ପ୍ରତିନିଧିମାନଙ୍କୁ ଦେଖାଇଥିଲେ । ଏହା କେବଳ ଏକ ଉପକରଣ ନଥିଲା, ବରଂ ଇରାନ ସମର୍ଥିତ ଆତଙ୍କବାଦୀ ସଙ୍ଗଠନ ହିଜବୁଲ୍ଲା ଏବଂ ଇରାନ ପାଇଁ ଏକ ସ୍ପଷ୍ଟ ବାର୍ତ୍ତା ଥିଲା ।
ସେପ୍ଟେମ୍ବର ୨୦୨୪ ରେ ଲେବାନନରେ ଘଟିଥିବା ଏକ ଯୁଗାନ୍ତକାରୀ ଏବଂ ରହସ୍ୟମୟ ଅପରେସନର ସ୍ମୃତିକୁ ତାଜା କରିବା ପାଇଁ ନେତାନ୍ୟାହୁ ଏହି ପେଜରର ବ୍ୟବହାର କରିଥିଲେ । ଇସ୍ରାଏଲର ଗୁପ୍ତଚର ସଂସ୍ଥା ମୋସାଦ ଏହି ଅପରେସନକୁ ଏତେ ଚତୁରତାର ସହ କାର୍ଯ୍ୟକାରୀ କରିଥିଲା ଯେ, ଲେବାନନରେ ଏକାସାଙ୍ଗରେ ୩ ହଜାରରୁ ଅଧିକ ପେଜରରେ ବିସ୍ଫୋରଣ ଘଟିଥିଲା । ଏହି ଘଟଣାରେ ହିଜବୁଲ୍ଲାର ପ୍ରାୟ ୪୦ ଜଣ ଆତଙ୍କବାଦୀ ନିହତ ହେବା ସହ ପ୍ରାୟ ତିନି ହଜାର ଲୋକ ଆହତ ହୋଇଥିଲେ । ନେତାନ୍ୟାହୁ ଏହି ବିସ୍ଫୋରଣକୁ ଅନୁମୋଦନ ଦେଇଥିବା ନେଇ ସ୍ୱୀକାର ମଧ୍ୟ କରିଛନ୍ତି । ସୂଚନାଯୋଗ୍ୟ, ଇସ୍ରାଏଲ୍ ଟ୍ରାକିଂରୁ ବର୍ତ୍ତିବା ପାଇଁ ହିଜବୁଲ୍ଲା ନିଜ ସଦସ୍ୟମାନଙ୍କୁ ସ୍ମାର୍ଟଫୋନ୍ ବଦଳରେ ପେଜର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିଲା, କିନ୍ତୁ ମୋସାଦ ଏହି ଉପକରଣ ଗୁଡ଼ିକ ହିଜବୁଲ୍ଲା ନିକଟରେ ପହଞ୍ଚିବା ପୂର୍ବରୁ ହିଁ ସେଥିରେ ଅତ୍ୟାଧୁନିକ ବିସ୍ଫୋରକ ଖଞ୍ଜି ଦେଇଥିଲା ।
ଜାତିସଂଘରେ ନେତାନ୍ୟାହୁ ଇରାନକୁ ମଧ୍ୟ ତୀବ୍ର ସମାଲୋଚନା କରିଥିଲେ । ସେ ଇରାନକୁ ଏକ “ହତ୍ୟାକାରୀ ଏକଛତ୍ରବାଦୀ ରାଷ୍ଟ୍ର” ଭାବେ ଅଭିହିତ କରି କହିଥିଲେ ଯେ ଇସ୍ରାଏଲ ଓ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ ହିଁ ତେହେରାନକୁ ପରମାଣୁ ଅସ୍ତ୍ରଶସ୍ତ୍ର ବିକାଶରୁ ଦୂରେଇ ରଖିବାରେ ସଫଳ ହୋଇଛି । ଯେକୌଣସି ପରିସ୍ଥିତିରେ ଇରାନକୁ ପରମାଣୁ ବୋମା ତିଆରି କରିବାକୁ ଦିଆଯିବ ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।
ନେତାନ୍ୟାହୁଙ୍କ ଏହି ଭାଷଣ ସମୟରେ ଅନେକ ଦେଶର ପ୍ରତିନିଧିମାନେ ତାଙ୍କ ନୀତିକୁ ବିରୋଧ କରି ସଭାଗୃହ ଛାଡି ଚାଲିଯାଇଥିଲେ । ଏହାର କଡ଼ା ଜବାବ ଦେଇ ନେତାନ୍ୟାହୁ ସେମାନଙ୍କୁ “ନୈତିକ କାପୁରୁଷ” ଆଖ୍ୟା ଦେଇଥିଲେ ଏବଂ କହିଥିଲେ ଯେ ଆମେ ନିଜକୁ ସୁରକ୍ଷା ଦେବା ସହ ଆପଣମାନଙ୍କୁ ମଧ୍ୟ ଆତଙ୍କବାଦରୁ ସୁରକ୍ଷା ଦେଉଛୁ । ନିଜ ସମ୍ବୋଧନରେ ସେ ଆମେରିକାର ନ୍ୟୁୟର୍କ ମେୟର ଜୋହରାନ ମମଦାନୀ ଏବଂ ତୁର୍କୀ ତଥା କତାର ଭଳି ରାଷ୍ଟ୍ରଗୁଡ଼ିକୁ ମଧ୍ୟ ଇସ୍ରାଏଲ ବିରୋଧରେ ମିଥ୍ୟା ପ୍ରଚାର କରୁଥିବା ନେଇ ସିଧାସଳଖ ଟାର୍ଗେଟ୍ କରିଥିଲେ ।

