ଭୁବନେଶ୍ୱର: କୋଭିଡ୍ ଟିକାକରଣ ପାଇଁ ତୟାର ଓଡ଼ିଶା । ଆଉ କିଛି ସମୟ ପରେ ଆରମ୍ଭ ହେବ ମହାଅଭିଯାନ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଏହାର ଶୁଭାରମ୍ଭ ହେବ । ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ସହ ବିଭାଗର ବହୁ ବରିଷ୍ଠ ଅଧିକାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ।
ରାଜ୍ୟରେ ୧୬୧ଟି ଭ୍ୟାକସିନ କେନ୍ଦ୍ରରେ ହେବ ଟିକାକରଣ । ପ୍ରତିଦିନ ପୂର୍ବାହ୍ନ ୯ଟାରୁ ଅପରାହ୍ନ ୫ଟା ଯାଏଁ ଟିକାଦାନ କାର୍ଯ୍ୟକ୍ରମ ହେବ । ଆଜି ଗୋଟିଏ ଦିନରେ ୧୬ ହଜାରରୁ ଅଧିକ ସ୍ୱାସ୍ଥ୍ୟକର୍ମୀଙ୍କ ଟିକାକରଣ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୯୨ ହଜାର ୫୫୫ ଜଣଙ୍କୁ ମିଳିବ କୋଭିଡ୍ ଟିକା ।
ରାଜ୍ୟରେ ଆଜି ଟିକାକରଣ ପରେ ଫିଡବ୍ୟାକ୍ ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାକରଣ ବ୍ୟବସ୍ଥା ବାବଦରେ ପଚାରି ବୁଝିବା ସହ ସେମାନଙ୍କର ମତାମତ ମାଗିବେ ମୁଖ୍ୟମନ୍ତ୍ରୀ ।
ଗର୍ଭବତୀ, ସ୍ତନ୍ୟପାନ କରାଉଥିବା ମହିଳା, ୧୮ବର୍ଷରୁ କମ୍ ପିଲା, ଅସୁସ୍ଥ ରୋଗୀଙ୍କୁ ଟିକା ନେବା ମନା । ସେହିପରି ମେଡିକାଲରେ ଚିକିତ୍ସାଧୀନ ରୋଗୀ ଏବଂ ୧୪ ଦିନ ଭିତରେ ଟିକା ନେଇଥିବା ବ୍ୟକ୍ତିଙ୍କୁ ଦିଆଯିବ ନାହିଁ କୋଭିଡ୍ ଟିକା ।
Comments are closed.