ଓଡ଼ିଶା କୋଭିଡ୍ ଟୀକାକରଣ ଯୋଜନା ଚୂଡାନ୍ତ: ୩୦ ହଜାର ସ୍ଥାନ ଚିହ୍ନଟ

ଭୁବନେଶ୍ବର: ଓଡ଼ିଶା କୋଭିଡ୍ ଟୀକାକରଣ ଯୋଜନା ଚୂଡାନ୍ତ ହୋଇଛି । ଟୀକାକରଣ ପାଇଁ ୩୦ ହଜାର ସ୍ଥାନ ଚିହ୍ନଟ କରାଯାଇଛି । ଟୀକାକରଣ ପାଇଁ ୮ ହଜାର ୩ଶହ ଜଣ କର୍ମଚାରୀ ତାଲିକାଭୁକ୍ତ ହୋଇଛନ୍ତି । କ୍ୟାବିନେଟ୍ ସଚିବଙ୍କ ପ୍ରସ୍ତୁତି ବୈଠକରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।

ମୁଖ୍ୟ ଶାସନ ସଚିବ କହିଛନ୍ତି କୋଭିଡ୍ ଟିକା ପ୍ରଦାନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ । ଟିକା ପ୍ରଦାନ ନେଇ ଓଡ଼ିଶାରେ ତାଲିକା ପ୍ରସ୍ତୁତ ହୋଇସାରିଛି । ଏଥିପାଇଁ ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରରେ କମିଟି ବୈଠକ ହୋଇଛି । ଜିଲ୍ଲା ଟାକ୍ସ ଫୋର୍ସ କମିଟିର ବୈଠକ ସଂପୃକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଛି । ସେହିପରି ବିଡିଓଙ୍କ ଅଧ୍ୟକ୍ଷତାରେ ବ୍ଲକ ସ୍ତରୀୟ ଟାକ୍ସ ଫୋର୍ସ କମିଟି ଗଠନ କରାଯାଇଛି । ଏହା ସହ ରାଜ୍ୟସ୍ତରୀୟ କଣ୍ଟ୍ରୋଲ ରୁମ୍ କରାଯାଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ ।

ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରାଯିବ । ସେହିପରି ଟିକାର ସଂରକ୍ଷଣ ଓ ପରିବହନ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ । କ୍ୟାବିନେଟ୍ ସଚିବଙ୍କ ପ୍ରସ୍ତୁତି ବୈଠକରେ ଆଡିସିନାଲ ଚିଫ୍ ସେକ୍ରେଟାରୀ ହେଲଥ୍ ଆଣ୍ଡ ଫେମିଲି ୱେଲଫେୟାର ଓ ଏସଆରସି ମଧ୍ୟ ଉପସ୍ଥିତ ଥିଲେ ।