Latest Odisha News

ରାଜ୍ୟ କ୍ୟାବିନେଟରେ ୧୪ଟି ପ୍ରସ୍ତାବ ଉପରେ ଲାଗିଛି ମୋହର  

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ବୈଠକରେ ୧୨ଟି ବିଭାଗର ୧୪ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । କ୍ୟାବିନେଟ ବୈଠକରେ ୧୨ ଟି ବିଭାଗର ୧୫ ଟି ପ୍ରସ୍ତାବ ଆଗତ କରାଯାଇଥିବା ବେଳେ ୧୪ ଟି ପ୍ରସ୍ତାବ ପାରିତ ହୋଇଛି । ଅନ୍ୟ ଗୋଟିଏ ପ୍ରସ୍ତାବ ପରବର୍ତ୍ତୀ ଆଲୋଚନା ପାଇଁ ରଖାଯାଇଛି।

ଶିଳ୍ପ ବିଭାଗର ୨ଟି, କୃଷି, ପରିବହନ, ଅବକାରୀ, ମତ୍ସ୍ୟ ଏବଂ ପଶୁ ସମ୍ପଦ, ଖାଦ୍ୟ ଯୋଗାଣ, ଗୃହ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ଏମଏସଏମଇ, ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା, ବିଜ୍ଞାନ ଏବଂ କାରିଗରୀ ବିଭାଗର ଗୋଟିଏ ଲେଖାଏଁ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି । ରାଜ୍ୟରେ କଫି ଚାଷ ବୃଦ୍ଧି ନେଇ ପ୍ରସ୍ତାବକୁ ମଞ୍ଜୁରୀ ମଳିଛି । କଫି ଚାଷକୁ ୧ ଲକ୍ଷ ଏକରକୁ ସଂପ୍ରସାରଣ କରାଯିବ । କୋରାପୁଟ, ରାୟଗଡା, କଳାହାଣ୍ଡି ପାରି ୬ ଜିଲ୍ଲାରେ ହେବ ଏହି କଫି ଚାଷ । ଏଥିପାଇଁ ଖର୍ଚ୍ଚ ହେବ ୧୧୪୪ କୋଟି ।

ସେହିପରି ରାଜସ୍ବ ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ ମୋହର ବାଜିଛି । ଲିଜ ଜମିକୁ ସ୍ଥିତିବାନ କରିବା ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ସ୍ଥିତିବାନ ସ୍ବତ୍ତ୍ବ ପାଇଁ ପୂର୍ବରୁ ଜମି ମୂଲ୍ୟର ୧୦% ଦେୟ ପଡୁଥିଲା । ବର୍ତ୍ତମାନର କ୍ୟାବିନେଟ ନିଷ୍ପତ୍ତି ପରେ ଉକ୍ତ ଜମିର ପାଖ ଜମି ମୂଲ୍ୟ ଅନୁସାରେ ଦେୟ ଦେବାକୁ ପଡ଼ିବ । ପାଖ ଜମିର ବେଞ୍ଚମାର୍କ ମୂଲ୍ୟର ମାତ୍ର ୩% ଦେୟରେ ହେବ କନଭରସନ । ଓଡ଼ିଶା ବାୟୋଟେକ୍ନୋଲୋଜି ପଲିସି- ୨୦୨୪କୁ ମଧ୍ୟ ମିଳିଛି କ୍ୟାବିନେଟ ମଞ୍ଜୁରୀ ।

ଅନୁଷ୍ଠିତ ପ୍ରେସ ବିବୃତ୍ତି ସମୟରେ ରାଜସ୍ବ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ଶାସନ ସଚିବ ଚିତ୍ରା ଆରୁମୁଗମ ଉପସ୍ଥିତ ଥିଲେ।

Comments are closed.