Latest Odisha News

BREAKING NEWS

କୋଟିଆ ପରେ ଲାଉଗୁଡ଼ା ଉପରେ ଆନ୍ଧ୍ରର ଆଖି, ମନରେଗାରେ ଖୋଳିଲା ପୋଖରି

ଗୁଣପୁର: କୋରାପୁଟର କୋଟିଆ ପରେ ରାୟଗଡ଼ାର ଲାଉଗୁଡ଼ା ଉପରେ ଆଖି ପକାଇଛି ଆନ୍ଧ୍ରପ୍ରଦେଶ । ରାୟଗଡ଼ା ରାମନାଗୁଡ଼ା ବଲସୁଲୁଡ଼ି ମୌଜା ଲାଉଗୁଡ଼ାରେ ଆନ୍ଧ୍ରପ୍ରଦେଶର ମନମାନି ଦେଖିବାକୁ ମିଳିଛି । ଓଡ଼ିଶା ସୀମାରେ ପଶି ମନରେଗା ଯୋଜନା ଅଧିନରେ ଆନ୍ଧ୍ର ପୋଖରି ଖୋଳୁଥିବା ନେଇ ଗ୍ରାମବାସୀଙ୍କ ଅଭିଯୋଗ ପରେ ପ୍ରଶାସନ ହସ୍ତକ୍ଷେପ କରି କାମକୁ ବନ୍ଦ କରିଛି । ତେବେ ପୋଖରି ଖୋଳା ଯାଉଥିବା ସ୍ଥାନରେ ଆନ୍ଧ୍ର ପକ୍ଷରୁ କୌଣସି ଫଳକ ନିର୍ମାଣ କରାଯାଇ ନାହିଁ ।

ଆନ୍ଧ୍ର ପକ୍ଷରୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ପୋଖରି ଖୋଳା ଯାଉଥିବା ନେଇ ଲୋକେ ପ୍ରଶାସନକୁ ଜଣାଇଥିଲେ । ଅଭିଯୋଗ ପରେ ରାମନାଗୁଡ଼ା ବିଡିଓ ଓ ତହସିଲଦାର ଘଟଣାସ୍ଥଳକୁ ଯିବା ସହ ଆନ୍ଧ୍ର ଗୁମ୍ମା ଲକ୍ଷ୍ମୀପୁର ମଣ୍ଡଳମ ବିଡିଓ ଓ ତହସିଲଦାରଙ୍କ ସହ ଆଲୋଚନା କରି କାମ ବନ୍ଦ କରିଛି । ସୀମା ଚିହ୍ନଟ ଯାଏ କାମ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ତେବେ ଏନେଇ ଆନ୍ଧ୍ର ଓ ଓଡ଼ିଶାର ପ୍ରଶାସନିକ ଅଧିକାରୀ କିଛି ମନ୍ତବ୍ୟ ଦେଇ ନାହାଁନ୍ତି ।

ଅନ୍ୟପଟେ ସୀମାନ୍ତରେ ରହୁଥିବା ଓଡ଼ିଆ ଲୋକ ପ୍ରଶାସନ ବିରୋଧରେ ଅଭିଯୋଗ ଆଣିଛନ୍ତି । ଆନ୍ଧ୍ରର ଅନୁପ୍ରବେଶ ନେଇ ଲୋକେ ବାରମ୍ବାର ପ୍ରଶାସନ ସହ ରାଜନେତାଙ୍କୁ ଜଣାଉଥିଲେ ମଧ୍ୟ ସମସ୍ତେ ଚୁପ୍ ରହୁଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା । ସୀମାନ୍ତ ଲୋକଙ୍କ ପାଖରେ ପ୍ରଶାସନ ଅପହଞ୍ଚ ହୋଇ ରହିଥିବା ବେଳେ ଲୋକେ ସରକାରୀ ଜଙ୍ଗଲ ଜମିକୁ ସେମାନଙ୍କ ନାଁରେ କରିବାକୁ ଦାବି କରୁଛନ୍ତି ।

Leave A Reply

Your email address will not be published.