Latest Odisha News

BREAKING NEWS

ରାଜ୍ୟରେ ଲାଗୁ ହେବ ୟୁସିସି ! ବଦଳିବ ବହୁତ ନିୟମ, ସମସ୍ତଙ୍କୁ ମିଳିବ ସମାନ ଅଧିକାର

ଭୁବନେଶ୍ୱର: ୨୦୨୯ ସୁଦ୍ଧା ଏନ୍‌ଡ଼ିଏ ନେତୃତ୍ୱାଧୀନ ୨୧ ଟି ରାଜ୍ୟରେ ସମାନ ନାଗରିକ ସଂହିତା ବା ୟୁସିସି ଲାଗୁ ହେବା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଛନ୍ତି। ଏହା ଘୋଷଣା ପରେ ଓଡ଼ିଶାରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଓଡ଼ିଶାରେ ୟୁସିସି ପ୍ରକ୍ରିୟା ଆରମ୍ଭ ହେବାର ସମ୍ଭାବନା ବଢ଼ିଛି। ରାଜ୍ୟ ଆଇନ ବିଭାଗ ଏଥିପାଇଁ ନୋଡାଲ ବିଭାଗ ଭାବେ କାର୍ଯ୍ୟ କରିବ। ପ୍ରଥମେ ୫ରୁ ୬ ଜଣିଆ ବିଶେଷଜ୍ଞ କମିଟି ଗଠନ ହୋଇ ୟୁସିସିର ରୂପରେଖ ପ୍ରସ୍ତୁତ କରିବ।

ଏଥିରେ ଅବସରପ୍ରାପ୍ତ ବିଚାରପତି, ପ୍ରାଶାସନିକ ଅଧିକାରୀ, ସମାଜସେବୀ ଓ ଆଇନ ବିଭାଗର ଅଧିକାରୀ ସାମିଲ ହେବେ। ୟୁସିସି ଲାଗୁ ହେଲେ ବିବାହ, ଛାଡ଼ପତ୍ର, ଭରଣପୋଷଣ, ଉତ୍ତରାଧିକାର, ପୋଷ୍ୟ ସନ୍ତାନ ଗ୍ରହଣ ଓ ଲିଭ୍‌-ଇନ୍‌ ସମ୍ପର୍କ ପାଇଁ ଧର୍ମ ନିର୍ବିଶେଷରେ ସମାନ ଆଇନ ଲାଗୁ ହେବାର ଆଶା ରହିଛି। ତେବେ ଓଡ଼ିଶାର ୨୨.୮୫% ଜନଜାତି ଜନସଂଖ୍ୟା ଓ ସେମାନଙ୍କର ବିଭିନ୍ନ ପାରମ୍ପରିକ ଆଇନକୁ ନେଇ ଚ୍ୟାଲେଞ୍ଜ ରହିପାରେ।

ୟୁସିସି ଲାଗୁ ହେଲେ ଧର୍ମ ନୁହେଁ, ବରଂ ନାଗରିକ ଭାବେ ଆଇନଗତ ଅଧିକାର ମିଳିବ। ବିବାହରୁ ବିଚ୍ଛେଦ, ପୋଷ୍ୟରୁ ଉତ୍ତରାଧିକାରୀ ପର୍ଯ୍ୟନ୍ତ ନିୟମ ବଦଳିବ। ବିଭିନ୍ନ ଧର୍ମ ପାଇଁ ଥିବା ଭିନ୍ନ ଭିନ୍ନ ଆଇନ ଲାଗୁ ହେବନି। କୌଣସି ନାଗରିକ ଏକାଧିକ ବିବାହ କରିପାରିବେନି। ସମସ୍ତଙ୍କ ପାଇଁ ଆଇନଗତ ବିବାହ ପଞ୍ଜୀକରଣ ବାଧ୍ୟତାମୂଳକ ହେବ। ସବୁ ଧର୍ମ ପାଇଁ ଛାଡ଼ପତ୍ର କ୍ଷେତ୍ରରେ ବି ସମାନ ନିୟମ ଲାଗୁ ହେବ। ଘର, ଜମି, ପୈତୃକ ସମ୍ପତ୍ତି ଓ ଅନ୍ୟାନ୍ୟ ସମ୍ପତ୍ତି କ୍ଷେତ୍ରରେ ଉତ୍ତରାଧିକାରୀ ନିୟମ ସମାନ ରହିବ। ପୁଅ, ଝିଅଙ୍କୁ ସମାନ ଅଧିକାରୀ ମିଳିବ। ପୋଷ୍ୟ ସନ୍ତାନ ଗ୍ରହଣ ବ୍ୟବସ୍ଥା ବି ଏକ ପ୍ରକାରର ହେବ।

ଲିଭ୍‌ ଇନ୍‌ରେ ରହିଲେ, ସେମାନଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ କରାଯିବ। ବିବାହ ବିଚ୍ଛେଦ ପରି ଲିଭ୍‌ ଇନ୍‌ରେ ବି ସମ୍ପର୍କ ତୁଟାଇ ହେବ। ଲିଭ୍‌ ଇନ୍‌ରେ ଥିବାବେଳେ କୌଣସି ସନ୍ତାନସନ୍ତତି ଥିଲେ, ସେମାନଙ୍କୁ ବି ହକ୍ ମିଳିବ। ଏହି ଆଇନ ଲାଗୁ କରିବାକୁ ଆଇନ ବିଭାଗ ନୋଡାଲ ବିଭାଗ ଭାବେ କାର୍ଯ୍ୟ କରିବ। ଓଡ଼ିଶାରେ ଚିଠା ଆଇନ ପ୍ରସ୍ତୁତ ପାଇଁ ପ୍ରଥମେ ଏକ ବିଶେଷଜ୍ଞ କମିଟି ଗଠନ ହେବ। ୫ରୁ ୬ଜଣିଆ ବିଶେଷଜ୍ଞ କମିଟି ରୂପରେଖ ପ୍ରସ୍ତୁତ କରିବ। ଏହାର ଅଧ୍ୟକ୍ଷ ଜଣେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ରହିବେ। ଓଡ଼ିଶାର ୯୬ ଲକ୍ଷ ଜନଜାତିଙ୍କ ପାଇଁ ଚ୍ୟାଲେଞ୍ଜ ହୋଇପାରେ।

 

Comments are closed.