Latest Odisha News

BREAKING NEWS

ଦିଲ୍ଲୀ ଦରବାରରେ ଚମକିଲା ଓଡ଼ିଶା: ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ପ୍ରଥମ ପୁରସ୍କାର

ଭୁବନେଶ୍ୱର: ପ୍ରଥମ ସ୍ଥାନ ହାସଲ କଲା ଓଡ଼ିଶା ପ୍ରଜ୍ଞାପନ ମେଢ । ଗଣତନ୍ତ୍ର ଦିବସରେ ପରେଡରେ ଚଳିତ ଥର ସ୍ଥାନ ପାଇଥିବା ଓଡ଼ିଶାର ପ୍ରଜ୍ଞାପନ ପ୍ରଥମ ସ୍ଥାନ ହାସଲ କରିଛି । ନାରୀ ସଶକ୍ତିକରଣ ଉପରେ ଅଧାରିତ ଓଡ଼ିଶାର ପ୍ରଜ୍ଞାପନ ମେଢ ବିଚାରକ ମଣ୍ଡଳି ଦ୍ବାରା ଶ୍ରେଷ୍ଠ ବିବେଚନା କରାଯାଇଛି । ବିଚାରକମଣ୍ଡଳୀ ଓଡ଼ିଶାର ପ୍ରଜ୍ଞାପନ ମେଢକୁ ପ୍ରଥମ ସ୍ଥାନ ପ୍ରଦାନ କରିଛନ୍ତି। ସେହିପରି ଗୁଜରାଟ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ତାମିଲନାଡୁ ତୃତୀୟ ସ୍ଥାନରେ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଗଣତନ୍ତ୍ର ଦିବସରେ ଦିଲ୍ଲୀର କର୍ତ୍ତବ୍ୟପଥର ଶୋଭା ବଢ଼ାଇଥିଲା ଓଡ଼ିଶାର ପ୍ରଜ୍ଞାପନ ମେଢ । ଓଡ଼ିଶାର ଥିମ୍ ଥିଲା ବିକଶିତ ଭାରତରେ ନାରୀ ସଶକ୍ତିକରଣ । ଏଥର ଓଡିଶାର ପ୍ରଜ୍ଞାପନ ମେଢରେ ଓଡିଶାର କଳା କାରିଗରୀ ଦେଖିବାକୁ ମିଳିଥିଲା । ପଟ୍ଟଚିତ୍ର ସହିତ ହସ୍ତଶିଳ୍ପ ଏବଂ କୁଟୀର ଶିଳ୍ପକୁ ପ୍ରଜ୍ଞାପନ ମେଢରେ ଦର୍ଶାଯାଇଥିଲା । ସମୃଦ୍ଧ ରଘୁରାଜପୁର ପଟ୍ଟଚିତ୍ର, ହସ୍ତଶିଳ୍ପ ଓ କୁଟୀର ଶିଳ୍ପ ମାଧ୍ୟମରେ ଗ୍ରାମାଞ୍ଚଳର ମହିଳାଙ୍କ ଅର୍ଥନୈତିକ ଉନ୍ନତି ଓ ସଶକ୍ତିକରଣର ବାର୍ତ୍ତା ପ୍ରଦର୍ଶିତ ହୋଇଥିଲା ।

୪୫ ଫୁଟ ଦୈର୍ଘ୍ୟ ୧୪ ଫୁଟ ପ୍ରସ୍ଥ ଓ ୧୬ ଫୁଟ ଉଚ୍ଚତା ବିଶିଷ୍ଟ ମେଢ଼ ଉପରେ ଓଡ଼ିଶା ମହିଳା ହସ୍ତଶିଳ୍ପୀମାନେ ଚାନ୍ଦୁଆ ଓ ପଟ୍ଟଚିତ୍ର ପ୍ରସ୍ତୁତି ପ୍ରଦର୍ଶନ କରିଥିଲେ । ଉଭୟ ପାର୍ଶ୍ୱରେ ବାଲେଶ୍ୱର ଜିଲ୍ଲା ଗୋପାଳପୁରର ଲାକ୍ଷ କଳାବିକାଶ କେନ୍ଦ୍ରର ମହିଳାମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ଯାହାକି ଏବେ ଦିଲ୍ଲୀ ଦରବାରରେ ପ୍ରଥମ ସ୍ଥାନ ଅକ୍ତିଆର କରିଛି । ଏଥର ଜାତୀୟ ପରେଡରେ ଓଡ଼ିଶା ସମେତ ୧୬ଟି ରାଜ୍ୟ ଓ ୯ଟି ମନ୍ତ୍ରଣାଳୟର ୨୬ଟି ପ୍ରଜ୍ଞାପନ ମେଢ଼ ଅଂଶଗ୍ରହଣ କରିଥିଲେ। ତେବେ ମନ୍ତ୍ରଣାଳୟଗୁଡିକର ପ୍ରଜ୍ଞାପନ ମେଢ ମଧ୍ୟରେ ସଂସ୍କୃତି ମନ୍ତ୍ରଣାଳୟ ପ୍ରଥମ ସ୍ଥାନରେ ରହିଛି । ଶିଖ୍ ରେଜିମେଣ୍ଟର ମାର୍ଚିଂ କଣ୍ଟିଜେଣ୍ଟ୍ ପ୍ରଥମ ସ୍ଥାନ ଅକ୍ତିଆର କରିଛି ।

Leave A Reply

Your email address will not be published.