ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଜଣେ ଲିମ୍ଫୋମା ରୋଗୀଙ୍କ ଶରୀରରେ ସଫଳତାର ସହ ଅଟୋଲଗସ୍ ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣ କରାଯାଇଛି । ଜଟିଳ ବୋନ୍ମ୍ୟାରୋ ପ୍ରତ୍ୟାରୋପଣ ଦ୍ୱାରା ଓ ଅତ୍ୟାଧୁନିକ କ୍ରାଇଓପ୍ରିଜରଭେସନ୍ ପ୍ରକ୍ରିୟାରେ ଜଣେ ୩୩ ବର୍ଷୀୟ ଲିମ୍ଫୋମା (ଏକ ପ୍ରକାର ରକ୍ତ କର୍କଟ ରୋଗ)ରେ ପୀଡ଼ିତ ଯୁବକଙ୍କ ସଫଳ ଚିକିତ୍ସା କରାଯାଇଛି । ଏହି ସୂଚନା ଦେଇଛନ୍ତି ହସ୍ପିଟାଲ୍ର କ୍ଲିନିକାଲ ହେମାଟୋଲୋଜି ଏବଂ ହେମାଟୋ ଅଙ୍କୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ପ୍ରିୟଙ୍କା ସାମଲ ।
ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣ ପ୍ରକ୍ରିୟା ବ୍ୟବହାର କରିବାରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ହେଉଛି ଓଡ଼ିଶାର ପ୍ରଥମ ହସ୍ପିଟାଲ୍ । ଯଦିଓ ସମ୍ରେ ୨୦୧୮ରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି ତେବେ ପ୍ରଥମ ଥର ପାଇଁ ଜଣେ ଲିମ୍ଫୋମା ରୋଗୀଙ୍କ ଶରୀରରେ କ୍ରାଇଓପ୍ରିଜରଭେସନ୍ ଜରିଆରେ ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣ କରାଯାଇଛି ବୋଲି ପ୍ରଫେସର ସାମଲ କହିଛନ୍ତି ।
କୋଭିଡ ମହାମାରୀ ଯୋଗୁଁ ଅନେକ ମାସ ଧରି ବିଭିନ୍ନ ସ୍ୱାସ୍ଥ୍ୟସେବାରେ ବ୍ୟାହତ ହୋଇଥିଲା । ତଥାପି ଗତ ୧୮ ମାସ ମଧ୍ୟରେ ମାଇଲୋମା ଏବଂ ଲ୍ୟୁକୋମିଆ ଭଳି ରକ୍ତ ଜନିତ କ୍ୟାନ୍ସର ଥିବା ୨୫ ଜଣ ରୋଗୀଙ୍କ ଶରୀରରେ ଏହି ଡାକ୍ତରଖାନାରେ ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣ କରାଯାଇଥିବା ପ୍ରଫେସର ସାମଲ କହିଛନ୍ତି ।
ଏହି ପ୍ରକ୍ରିୟାରେ ଚିକିତ୍ସିତ ହୋଇଥିବା ସମସ୍ତ ରୋଗୀ ବର୍ତମାନ ପର୍ୟ୍ୟନ୍ତ ସୁସ୍ଥ ଅଛନ୍ତି । ଏହି ପ୍ରତ୍ୟାରୋପଣ ଟିମ୍ ନିରନ୍ତର ଗୁଣାବତା ତଦାରଖ କରିବା ସହ କ୍ରାଇଓପ୍ରିଜରଭେସନ୍ ପ୍ରକ୍ରିୟାରେ ଚିକିତ୍ସା କରିଥିଲେ । କ୍ରାୟୋପ୍ରିଜରଭେସନ୍ ଏଭଳି ଏକ ପ୍ରକ୍ରିୟା ଯେଉଁଥିରେ ଶରୀରର ସେଲ୍ ଏବଂ ଟିସ୍ୟୁଗୁଡ଼ିକ ମାଇନସ୍ ୮୦ ଡିଗ୍ରୀ ସେଲ୍ସିୟସ୍ ଭଳି ଅତି କମ୍ ତାପମାତ୍ରାରେ ଭବିଷ୍ୟତରେ ବ୍ୟବହାର ପାଇଁ ସଂରକ୍ଷିତ କରି ରଖାଯାଇଥାଏ । ଶରୀରର କୋଷିକାଗୁଡ଼ିକ ଦୁଇ କିମ୍ବା ତିନି ଦିନ ପାଇଁ ବ୍ୟବହାର ଯୋଗ୍ୟ ମାତ୍ର ଏହି ପ୍ରକ୍ରିୟାରେ ଅନେକ ମାସ ପର୍ଯ୍ୟନ୍ତ ଏହା ସଂରକ୍ଷିତ କରି ରଖାଯାଇପାରେ ବୋଲି ସେ କହିଛନ୍ତି ।
ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମ୍ ହସ୍ପିଟାଲ୍ର ମେଡିକାଲ୍ ସୁପରିଟେଣ୍ଡେନ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଟ୍ରାନ୍ସଫ୍ୟୁସନ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ଗିରିଜା ନନ୍ଦିନୀ କାନୁନ୍ଗୋ ଏବଂ ହେମାଟୋଲୋଜି ଆଇସିୟୁର ଇନ୍ଚାର୍ଜ ଡାକ୍ତର ସନ୍ତୋଷ କୁମାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରକ୍ରିୟା ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ପ୍ରଫେସର ସାମଲ କହିଥିଲେ ଯେ, ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣରେ କୌଣସି ଅସ୍ତ୍ରୋପଚାରର ଆବଶ୍ୟକତା ପଡ଼ିନଥାଏ । ଷ୍ଟେମ୍ ସେଲ୍ ଗୁଡ଼ିକ ବୋନ୍ମ୍ୟାରୋରେ ଥାଏ ଏବଂ ଶରୀରର ପୁରୁଣା ଏବଂ କ୍ଷୟ ପାଇଥିବା ରକ୍ତକଣିକା ଗୁଡ଼ିକ ସ୍ଥାନରେ ନୂତନ ରକ୍ତକଣିକା ସୃଷ୍ଟି କରେ । ଷ୍ଟେମ୍ ସେଲ୍ ସୃଷ୍ଟି ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି ହେଲେ ରକ୍ତ କର୍କଟ ଭଳି ରୋଗ ଦେଖାଦେଇଥାଏ ବୋଲି ସେ କହିଥିଲେ ।
ଏହି ଚିକିତ୍ସାରେ ରକ୍ତ କର୍କଟ ଆକ୍ରାନ୍ତ ବ୍ୟକ୍ତିଙ୍କ ଶରୀରରେ ଅଧିକ ଶକ୍ତି ବିଶିଷ୍ଟ କେମୋଥେରାପି ପ୍ରୟୋଗ କରି ଶରୀରର ସମସ୍ତ ଷ୍ଟେମ୍ ସେଲ୍କୁ ନଷ୍ଟ କରିଦିଆଯିବା ପରେ ଉତ୍ତମ ବୋନ୍ମ୍ୟାରୋ ସେଲ୍କୁ ଶରୀର ମଧ୍ୟକୁ ପ୍ରବେଶ କରାଇ ଦିଆଯାଏ । ଏହାକୁ ଅଟୋଲୋଗସ ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣ କୁହାଯାଏ । ଯେତେବେଳେ ଏହି ଷ୍ଟେମ୍ ସେଲ୍କୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ଠାରୁ ଗ୍ରହଣ କରି ରୋଗୀ ଠାରେ ବ୍ୟବହାର କରାଯାଏ ଏହାକୁ ଆଲୋଜେନିକ ପ୍ରତ୍ୟାରୋପଣ ବୋଲି କୁହାଯାଇଥାଏ ।
ପ୍ରଫେସର ସାମଲ କହିଲେ ଯେ ସମ୍ ହସ୍ପିଟାଲ ପ୍ରତ୍ୟାରୋପଣ ଉପଯୋଗୀ ସମସ୍ତ ରକ୍ତକର୍କଟ ରୋଗୀଙ୍କୁ ଏହି ସୁବିଧା ଯୋଗାଇବାକୁ ପ୍ରସ୍ତୁତ । ଏହି ପ୍ରକ୍ରିୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି କ୍ରାୟୋପ୍ରିଜରଭେସନ୍ ବ୍ୟବସ୍ଥାରେ ସଂଗୃହୀତ ଷ୍ଟେମ୍ ସେଲ୍ ଗୁଡ଼ିକୁ ଭବିଷ୍ୟତରେ ବ୍ୟବହାର ନିମନ୍ତେ ସୁରକ୍ଷିତ କରି ରଖିବା । ଡିପାର୍ଟମେଂଟ ଅଫ୍ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ଏହି ଦାୟିତ୍ୱ ତୁଲାଇଥାଏ ବୋଲି ବିଭାଗର ମୁଖ୍ୟ ପ୍ରଫେସର କାନୁନ୍ଗୋ କହିଥିଲେ । ଏଥିପାଇଁ ଅତ୍ୟନ୍ତ ଉଚ୍ଚସ୍ତରର ଉତ୍କର୍ଷ ଓ ଦାୟିତ୍ୱବଦ୍ଧତା ଆବଶ୍ୟକ ହୋଇଥାଏ ବୋଲି ସେ କହିଥିଲେ ।
ପ୍ରଫେସର ସାମନ୍ତସିଂହାର କହିଥିଲେ ଯେ, ଡାକ୍ତରଖାନାର ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍, ଲ୍ୟାବ ହେମାଟୋଲୋଜି, ମାଇକ୍ରୋବାଇଓଲୋଜି ଓ ଆଇସିୟୁ ଆଦି ବିଭାଗ ଗୁଡ଼ିକର ମିଳିତ ଉଦ୍ୟମରେ ଏହି ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣ କରାଯାଇପାରୁଛି ଓ ଏହା ସମସ୍ତଙ୍କ ନିମନ୍ତେ ଉପଲବ୍ଧ କରିବା ନିମନ୍ତେ ଖର୍ଚ୍ଚ ମଧ୍ୟ କମ୍ ରଖାଯାଉଛି ।
Comments are closed.