Latest Odisha News

BREAKING NEWS

ଅନୁସୂଚିତ ଜନଜାତି ଓ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ଗ୍ରାମୀଣ-ସହରାଞ୍ଚଳ ମଧ୍ୟରେ ଶିକ୍ଷାଗତ ବିଭାଜିକାକୁ ଦୂର କରିଛି ‘ଅନ୍ୱେଷା’

ଭୁବନେଶ୍ବର: ଆଦିବାସୀ ଛାତ୍ରଛାତ୍ରୀଙ୍କ ବୃତ୍ତିଗତ ବିକାଶ ଏବଂ ବିଶ୍ୱର ଆହ୍ୱାନର ମୁକାବିଲା କରିବା ପାଇଁ ମାଗଣା ଇଂରାଜୀ ମାଧ୍ୟମରେ ଶିକ୍ଷା ନିଶ୍ଚିତ କରିବା ପାଇଁ ହଷ୍ଟେଲ ସୁବିଧା ସହ ଶୈକ୍ଷିକ ଗୁଣାତ୍ମକ ମାନ ଯୋଡିଛି ସହରାଞ୍ଚଳ ଶିକ୍ଷା କାର୍ଯ୍ୟକ୍ରମ – “ଅନ୍ୱେଷା”।  ଅନନ୍ୟ ପୃଷ୍ଠଭୂମିରେ ପର୍ଯ୍ୟବେଶିତ ଏହି ବ୍ୟବସ୍ଥା ମାଧ୍ୟମରେ ସହରାଞ୍ଚଳରେ ଅବସ୍ଥିତ ସର୍ବୋତ୍ତମ ଇଂରାଜୀ ମାଧ୍ୟମ ଶିକ୍ଷାନୁଷ୍ଠାନରେ ଦୁର୍ଗମ ଗ୍ରାମାଞ୍ଚଳର ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଅନ୍ତର୍ନିହିତ ପ୍ରତିଭାକୁ ପୋଷଣ କରିବା ପାଇଁ ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରିଛି ।

ଆଦିବାସୀ ପିଲାମାନଙ୍କୁ ପ୍ରତିଯୋଗିତା ଓ ଶ୍ରେଷ୍ଠତା ପଥରେ ସାମିଲ କରିବାରେ ସହାୟତା କରୁଥିବା ‘ଅନ୍ୱେଷା’ ଏବେ ଓଡ଼ିଶାର ୧୭ଟି ଜିଲ୍ଲାରେ କାର୍ଯ୍ୟକ୍ଷମ ହେଉଛି । ଏପର୍ଯ୍ୟନ୍ତ ୧୬୩ଟି ବିଦ୍ୟାଳୟ ଓ ୯୮ଟି ହଷ୍ଟେଲରେ ୨୨ ହଜାର ୩୪୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇସାରିଛନ୍ତି ।

ଅତୀତରେ “ସହରାଞ୍ଚଳ ହଷ୍ଟେଲ କମ୍ପ୍ଲେକ୍ସ ସୃଷ୍ଟି ଏବଂ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କୁ ସରକାରୀ ବିଦ୍ୟାଳୟରେ ପଢ଼ିବା ପାଇଁ ଟ୍ୟୁସନ ଫି ଛାଡ଼” ଶୀର୍ଷକ ପାଇଲଟ୍ ପ୍ରୋଜେକ୍ଟ ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରର ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମ ବର୍ଷରେ ଏହି ଯୋଜନା ଅଧୀନରେ ୨୨୦ ଜଣ ଛାତ୍ରଛାତ୍ରୀ ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲେ । ଯେଉଁମାନେ ସୁଲଭ ମୂଲ୍ୟରେ ସେମାନଙ୍କ ପିଲାମାନଙ୍କୁ ସରକାରୀ ଏବଂ ବିଦ୍ୟାଳୟରେ ପାଠ ପଢାଇ ପାରୁ ନଥିଲେ ସେଭଳି ଗରିବ ଅଭିଭାବକଙ୍କ ଆକାଂକ୍ଷା ପୂରଣ କରିବାରେ “ଅନ୍ୱେଷା” ସହାୟକ ହୋଇଥିଲା ।

ଦ୍ବିତୀୟତଃ ଦୁର୍ଗମ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ରହିବା ପାଇଁ ହଷ୍ଟେଲ ନିର୍ମାଣ କରିବା ଏବଂ ଯୁବ ପ୍ରତିଭାଙ୍କୁ ପୋଷଣ କରିବା ପାଇଁ ଏକ ବିକଶିତ ଧାରା ଯୋଗାଇବା ଏହି ପ୍ରଚେଷ୍ଟାର ଅନ୍ୟ ଏକ ପ୍ରମୁଖ ବୈଶିଷ୍ଟ୍ୟ ଥିଲା ।

ପ୍ରାରମ୍ଭରେ ୨୦୧୫-୧୬ ରୁ ୨୦୧୯-୨୦ ପାଇଁ ଆରମ୍ଭ ହୋଇଥିବା “ଅନ୍ୱେଷା” କୁ ୨୦୨୦ ରୁ ୨୦୨୫ ମସିହା ପର୍ଯ୍ୟନ୍ତ ବୃଦ୍ଧି କରି ୫୬୯.୯୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା । ଲଟେରୀ ବ୍ୟବସ୍ଥା ମାଧ୍ୟମରେ କେବଳ ବିପିଏଲ୍ ପରିବାରରୁ ଚୟନ କରାଯାଇଥିବା ଅନୁସୂଚିତ ଜାତି, ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କୁ ୭୦:୩୦ ଅନୁପାତରେ ଏବଂ ବାଳକ ଓ ବାଳିକାମାନଙ୍କୁ ସମାନ ଅନୁପାତରେ ଏଥିରେ ସାମିଲ କରାଯାଉଛି ।

ବିଷୟ-ଶିକ୍ଷକ
“ଅନ୍ୱେଷା” ହଷ୍ଟେଲ ପାଇଁ ଅନୁସୂଚିତ ଜାତି, ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ଓ ପଛୁଆ କଲ୍ୟାଣ ବିଭାଗ ପକ୍ଷରୁ ଗଣିତ, ଇଂରାଜୀ ଓ ବିଜ୍ଞାନରେ “ବିଷୟ ଶିକ୍ଷକ”ଙ୍କୁ ସାମିଲ କରାଯାଇଛି । ଇଂରାଜୀ ମାଧ୍ୟମ ଶିକ୍ଷାର ଆତ୍ମବିଶ୍ୱାସ ବୃଦ୍ଧି କରିବା ପାଇଁ ଏସଟି, ଏସସି ଛାତ୍ରଛାତ୍ରୀଙ୍କ ଉନ୍ନତି ପାଇଁ “ବିଦ୍ୟାଳୟ ପରବର୍ତ୍ତୀ ପରାମର୍ଶଦାତା” ଭାବରେ କାର୍ଯ୍ୟ କରିବା ଶିକ୍ଷକମାନଙ୍କର ମୂଳ ଲକ୍ଷ୍ୟ ଥିଲା ।

ଟ୍ୟୁଟରଙ୍କ କାର୍ଯ୍ୟଦକ୍ଷତାକୁ ପୂରଣ କରିବା ଲାଗି ଛାତ୍ରଛାତ୍ରୀଙ୍କ ପାଇଁ ପରବର୍ତ୍ତୀ ପର୍ଯ୍ୟାୟରେ “ବିଷୟ ଶିକ୍ଷକ”ଙ୍କୁ ନିଯୁକ୍ତ କରାଗଲା । ପ୍ରତ୍ୟେକ “ସହରାଞ୍ଚଳ ଶିକ୍ଷା କମ୍ପ୍ଲେକ୍ସରେ” ଉପରୋକ୍ତ ବିଷୟରେ ତିନି ଜଣ ଶିକ୍ଷକ ରହୁଛନ୍ତି ଏହା ଦ୍ୱାରା ପିଲାଙ୍କ ଶିକ୍ଷାଗତ ଆବଶ୍ୟକତା ପୂରଣ ହୋଇପାରିବ ।

ସୁନ୍ଦରଗଡ଼ କିରେଇ ଛକ ସ୍ଥିତ ଅର୍ବାନ ଏଜୁକେସନ କମ୍ପ୍ଲେକ୍ସରେ ପ୍ରଥମ ଶ୍ରେଣୀରୁ ଅନ୍ୱେଷା ହଷ୍ଟେଲରେ ରହୁଛନ୍ତି ସୌରଭ ମିଞ୍ଜ ଚଳିତ ବର୍ଷ ସେ ନବମ ଶ୍ରେଣୀରେ ପ୍ରବେଶ କରିଛନ୍ତି ବୋଲି କହିଛନ୍ତି ତାଙ୍କ ପିତା ନରେନ୍ଦ୍ର ମିଞ୍ଜ । “ଏହି ଅନନ୍ୟ କାର୍ଯ୍ୟକ୍ରମ ଆମକୁ ଏତେ ସବୁ ଦେଇଛି, ଯାହା ଆମେ ଆମ ଜୀବନରେ କେବେ କଳ୍ପନା କରିନଥିଲୁ । କର୍ତ୍ତୃପକ୍ଷ ସବୁ କିଛିର ଯତ୍ନ ନେଉଛନ୍ତି ଏବଂ ମୋ ପୁଅ ଉଭୟ ପାଠପଢ଼ା ଓ ପାଠ୍ୟକ୍ରମ ବ୍ୟତୀତ କ୍ରୀଡା କାର୍ଯ୍ୟକଳାପରେ ଭଲ ପ୍ରଦର୍ଶନ କରୁଛି,” ବୋଲି ନରେନ୍ଦ୍ର କହିଛନ୍ତି ।

ଉତ୍ତମ ଏବଂ ସୁସ୍ଥ ଖାଦ୍ୟ

ଫୁଲବାଣୀର ଅନ୍ୱେଷା ହଷ୍ଟେଲରେ ରହି ପାଠ ପଢୁଥିବା ଲିଜାରାଣୀ ବେହେରାମାଝୀଙ୍କ ବାପା ରମେଶ ବେହେରାମାଝୀ କହିଛନ୍ତି, “ମୋ ଝିଅର ପାଠ ପଢା ଓ ରହିବା ପାଇଁ କର୍ତ୍ତୃପକ୍ଷ ସବୁ କିଛିର ଯତ୍ନ ନେଉଛନ୍ତି ଏବଂ ମୋ ଝିଅ ସେଠାରେ ଘର ପରି ଏକ ପରିବେଶ ପାଇଥିବାରୁ ମୋ ପରିବାର ଆଦୌ ଚିନ୍ତିତ ନୁହଁନ୍ତି।”

ଅନ୍ୱେଷା ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ଜଳଖିଆ, ସ୍କୁଲ-ଟିଫିନ୍, ମଧ୍ୟାହ୍ନ ଭୋଜନ, ଜଳଖିଆ ଓ ରାତ୍ରୀ ଭୋଜନରେ ସପ୍ତାହର ବିଭିନ୍ନ ଦିନ ପାଇଁ ଖାଇବା ତାଲିକା ଅଥବା ମେନୁ ଦିଆଯାଇଥାଏ ।

କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ଗଞ୍ଜାମ, ଗଜପତି, କନ୍ଧମାଳ, ନୂଆପଡ଼ା, ସମ୍ବଲପୁର, ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼ ଓ ଅନୁଗୁଳ ଆଦି ଜିଲ୍ଲାରେ ଚାଲିଥିବା ‘ଅନ୍ୱେଷା’ରେ ୮,୮୨୫ ଜଣ ଅନୁସୂଚିତ ଜନଜାତି ବାଳକ, ୭,୮୮୪ ଜଣ ଅନୁସୂଚିତ ଜନଜାତି ବାଳିକା, ୨,୯୦୧ ଜଣ ଅନୁସୂଚିତ ଜାତି ବାଳକ ଓ ୨,୭୩୦ ଜଣ ଅନୁସୂଚିତ ଜାତି ବାଳିକା ରହିଛନ୍ତି ।

କ୍ରୀଡା, ମନୋରଞ୍ଜନ ଏବଂ ସ୍ୱାସ୍ଥ୍ୟ

ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ବିଷୟ ନିର୍ଦ୍ଦିଷ୍ଟ ଶିକ୍ଷକ ଙ୍କ ଭଳି ଅନେକ ଉନ୍ନତ ଚିନ୍ତାଧାରା ପ୍ରଣୟନ କରାଯାଇଛି । ପାଠପଢା ନ ଥିବା ସମୟରେ ପିଲାମାନଙ୍କୁ ନିୟୋଜିତ କରିବା ଏବଂ ଦଳଗତ ଭାବନା ସୃଷ୍ଟି କରିବାରେ ସାହାଯ୍ୟ କରିବା ପାଇଁ ଇନ୍ ଡୋର ଏବଂ ଆଉଟଡୋର ଖେଳ ଉପକରଣ ଯୋଗାଇବା ପାଇଁ ପ୍ରତି ହଷ୍ଟେଲକୁ ୪୦ ହଜାର ଟଙ୍କା ଲେଖାଏଁ ଅନୁଦାନ ପ୍ରଦାନ କରାଯାଇଛି । ଇନଡୋର ଗେମରେ ଚେସ୍, ଲୁଡୋ, ସାପ ଓ ସିଡି, ଟେବୁଲ ଟେନିସ୍, ବ୍ୟାଡମିଣ୍ଟନ, ସ୍କ୍ରାବଲ, ପଜଲ୍ସ ଓ କ୍ୟାରମ୍ ପିଲାଙ୍କ ଭାରି ପସନ୍ଦ । ପ୍ରତ୍ୟେକ ପିଲା ବର୍ତ୍ତମାନ ଅଧ୍ୟୟନ କରିବା ସମୟରେ ଶରୀରର ମୁଦ୍ରାକୁ ସିଧା ରଖିବା ଏବଂ ଦୀର୍ଘକାଳୀନ ସ୍ୱାସ୍ଥ୍ୟ ସମସ୍ୟାରୁ ଦୂରେଇ ରହିବା ଏବଂ ଏକାଗ୍ରତା ରେ ଉନ୍ନତି ଆଣିବା ପାଇଁ ଏକ “ଫୋଲ୍ଡେବଲ୍ ଷ୍ଟଡି ଟେବୁଲ” ଯୋଗାଇ ଦିଆଯାଇଛି ।

ସହରାଞ୍ଚଳ ଶିକ୍ଷା କାର୍ଯ୍ୟକ୍ରମ “ଅନ୍ୱେଷା” ଅଧୀନରେ ଏହି ଯୁଗାନ୍ତକାରୀ ପଦକ୍ଷେପ ଏହାର ଦୀର୍ଘମିଆଦୀ ପ୍ରଭାବରେ ସୁସ୍ଥ ଶରୀର ଏବଂ ସୁସ୍ଥ ମନରେ ଅନୁସୁଚିତ ଜନଜାତି ଓ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ରକୃଷ୍ଟ ପରିବେଶ ସୃଷ୍ଟି କରେ । “ଦୁର୍ଗମ ଅଂଚଳରୁ ଆସି ଏହି ଯୋଜନା ଦ୍ୱାରା ପରିଚାଳିତ ଧାରା ମାଧ୍ୟମରେ ଉଜ୍ଜ୍ୱଳ ଆକବର ଭଳି ଚମକାଉଥିବା ପ୍ରତିଭାବାନ, କିନ୍ତୁ ଅସହାୟ ବାଳକ ଓ ବାଳିକାମାନଙ୍କୁ ମାଗଣାଶିକ୍ଷା ସୁଯୋଗ ପ୍ରଦାନ କରିବା ପାଇଁ ଆମ ବିଭାଗ ତା’ର ଦାୟିତ୍ୱ ପୂରଣ କରିବାକୁ ଚେଷ୍ଟା କରୁଛି” ବୋଲି କୁହନ୍ତି ବିଭାଗୀୟ କମିଶନର-ତଥା-ସଚିବ, ରୂପା ରୋଶନ ସାହୁ ।

Leave A Reply

Your email address will not be published.