Latest Odisha News

BREAKING NEWS

ହୀରାକୁଦ ଜଳଭଣ୍ଡାର ଆଉ ୫ଟି ସ୍ଲୁଇସ୍‌ ଗେଟ୍ ଖୋଲିଲା, ୧୩ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ

ସମ୍ବଲପୁର: ଗଭୀର ଅବପାତ ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ହୋଇଥିଲେ ମଧ୍ୟ ଓଡ଼ିଶାରେ ଏହାର ପ୍ରଭାବ ଏବେ ବି ସମ୍ପୂର୍ଣ୍ଣ କମିନାହିଁ। ଲ୍ୟାଣ୍ଡଫଲ୍‌ର ପ୍ରାୟ ୪୦ ଘଣ୍ଟା ପରେ ମଧ୍ୟ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗର ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା ଜାରି ରହିଛି। ଦକ୍ଷିଣ ଓଡ଼ିଶାରୁ ଆରମ୍ଭ କରି ଉପକୂଳ, ଉତ୍ତର ଓ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ପାଣିପାଗର ପ୍ରଭାବ ଦେଖିବାକୁ ମିଳିଛି। ସେପଟେ ମହାନଦୀରେ ବଢୁଛି ଜଳପ୍ରବାହ, ଏହାରି ଭିତରେ ହୀରାକୁଦ ଡ୍ୟାମର ଆଉ ୫ଟି ଗେଟ୍ ଖୋଲାଯାଇଛି। ଏବେ ମୋଟ ୧୩ଟି ଗେଟ୍ ଦେଇ ହୀରାକୁଦରୁ ଜଳ ନିଷ୍କାସନ ହେଉଛି।

ଗତକାଲି ଦୁଇଟି ପର୍ଯ୍ୟାୟରେ ହୀରାକୁଦ ଡ୍ୟାମର ୪ଟି ଗେଟ୍ ଖୋଲାଯାଇଥିଲା। ଏବେ ଆଉ ୫ଟି ଗେଟ୍ ଖୋଲିବା ପରେ ଜଳ ନିଷ୍କାସନ ପାଇଁ ମୋଟ ୧୩ଟି ଗେଟ୍ ସକ୍ରିୟ ହୋଇଛି। ସୂଚନା ଅନୁସାରେ, ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୯.୫୬ ଫୁଟ୍ ରହିଛି। ଡ୍ୟାମର ଜଳସ୍ତର ଓ ଉପରମୁଣ୍ଡରୁ ଆସୁଥିବା ଜଳପ୍ରବାହକୁ ନଜରରେ ରଖି ଗେଟ୍ ଖୋଲାଯାଉଛି। ତେବେ ଏକାଥରକେ ଗେଟ୍ ସଂଖ୍ୟା ବଢ଼ିବା ପରେ ତଳମୁଣ୍ଡରେ ମହାନଦୀର ଜଳପ୍ରବାହ ଉପରେ ମଧ୍ୟ ନଜର ରହିଛି। ନଦୀକୂଳିଆ ଅଞ୍ଚଳର ଲୋକଙ୍କୁ ଜଳସ୍ତର ଓ ପ୍ରଶାସନର ପରବର୍ତ୍ତୀ ସୂଚନା ପ୍ରତି ସତର୍କ ରହିବାକୁ କୁହାଯାଇଛି।

ସେହିପରି ଉତ୍ତର ଓ ଦକ୍ଷିଣରେ ବିଭିନ୍ନ ନଦୀ ଜଳସ୍ତର ଫୁଲି ଉଛୁଳିଲାଣି । ମହାନଦୀକୁ ଛତିଶଗଡ଼ ବର୍ଷା ଚିନ୍ତା ଘାରିଲାଣି । ପାଣିପାଗ ବିଭାଗ ଆକଳନ ହେଲା, ଆଜି ଆହୁରି ଗୋଟିଏ ଦିନ କିଛି ବର୍ଷା ହୋଇପାରେ। ସ୍ଥାନେ ସ୍ଥାନେ ପ୍ରବଳ ବର୍ଷିପାରେ। ରବିବାରଠାରୁ ବର୍ଷା ପୂରା କମିବ। ଦକ୍ଷିଣ ଓଡ଼ିଶାର ବହୁ ସ୍ଥାନରୁ ଭୂସ୍ଖଳନ, ପୋଲ ଭାସିବା, ନଦୀ ଫୁଲିବା ଏବଂ ଗଛ ଓ ପଥର ଖସି ଯୋଗାଯୋଗ ବିଚ୍ଛିନ୍ନ ଖବର ଆସିଥିବାବେଳେ ଉତ୍ତର ଓଡ଼ିଶାରେ ବି ବନ୍ୟା ସ୍ଥିତି ଦେଖା ଦେଇଛି।

Leave A Reply

Your email address will not be published.