Latest Odisha News

BREAKING NEWS

ଆରପାରିରେ ଲୋକପ୍ରିୟ ଗାୟକ ପ୍ରଶାନ୍ତ ସାମନ୍ତରାୟ

କୋରାପୁଟ: ଆଉ ନାହାନ୍ତି ଲୋକପ୍ରିୟ ଗାୟକ ପ୍ରଶାନ୍ତ ସାମନ୍ତରାୟ । ବୁଧବାର ବିଳମ୍ବିତ ରାତିରେ ବିଶାଖାପାଟଣାରେ ତାଙ୍କର ପରଲୋକ ହୋଇଛି ।ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା ।ପ୍ରଶାନ୍ତଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ଆଦିବାସୀ ଜଗତର ସ୍ୱର୍ଗତ ପ୍ରଶାନ୍ତ ସାମନ୍ତରାୟ ଥିଲେ ଶ୍ରେଷ୍ଠ କଳାକାର ତଥା ଗାୟକ ।

ପରିବାର ଲୋକଙ୍କ ସୂଚନା ଅନୁସାରେ କୋରାପୁଟ ଜିଲ୍ଲା ଜୟପୁର ସହରର ମାଦଳା ସାହିରେ ପ୍ରଶାନ୍ତ ସାମନ୍ତରାୟଙ୍କ ଘର । ଗତକାଲି ସନ୍ଧ୍ୟାରେ ସ୍ୱର୍ଗତ ସାମନ୍ତରାୟ ଅସୁସ୍ଥତା ଅନୁଭବ କଲେ । ତାଙ୍କୁ ଜୟପୁର ସ୍ଥିତି ଏକ ଘରୋଇ କ୍ଲିନିଙ୍ଗକୁ ନିଆଯାଇଥିଲା ।ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଡାକ୍ତର ବିଶାଖାପାଟଣା ଯିବା ପାଇଁ ପରାମର୍ଶ ଦେଇଥିଲେ ।

ବିଶାଖାପାଟଣାରେ ହସ୍ପିଟାଲରେ ପହଁଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପରେ ଡାକ୍ତରଙ୍କୁ ଦେଖାଇବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି । ତାଙ୍କ ମୃତ ଦେହ ଜୟପୁରରେ ପହଁଞ୍ଚିବ ବୋଲି ସୂଚନା ମିଳିଛି । ସ୍ୱର୍ଗତ ସାମନ୍ତରାୟ ଜୟପୁର ବନାଞ୍ଚଳରେ କାର୍ଯ୍ୟ କରୁଥିଲେ । ଏହି ସହ ଆଦିବାସୀ ସଙ୍ଗୀତ ଜଗତରେ ତାଙ୍କର ବେଶ୍ ନା ଥିଲା ।ଆକାଶବାଣୀ ଓ ଦୁରଦର୍ଶନରେ ସ୍ୱର୍ଗତ ସାମନ୍ତରାୟ ସ୍ୱିକୃତି ପ୍ରାପ୍ତ କଳାକାର ଥିଲେ ।

ସ୍ୱର୍ଗତ ସାମନ୍ତରାୟଙ୍କର ”ଡୁଙ୍ଗୁ, ଡୁଙ୍ଗା ବାଜୁଲିରେ ବାଜୁଲି , ପରଜା ପିଲା ଏବେ ନାଚୁଲି ରେ ନାଚୁଲି ”ତାଙ୍କର ସଙ୍ଗୀତ ବେଶ୍ ଲୋକପ୍ରିୟ ହୋଇଥିଲା ।ଓଡିଶା ସଙ୍ଗୀତ ଜଗତ ପ୍ରତି ବେଶ୍ ଅବଦାନ ଥିଲା ସ୍ୱର୍ଗତ ସାମନ୍ତରାୟଙ୍କର । ତାଙ୍କର ଅକାଳ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

Comments are closed, but trackbacks and pingbacks are open.