ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୮
ଘୋଡ଼ା ପୃଥିବୀରେ ନିଜର ଉପସ୍ଥିତି ସାବ୍ୟସ୍ତ କରିବା ଦିନଠାରୁ ଆଜିଯାଏଁ ସେ ତାହାର ଗତି ଏବଂ ତାହାର ବିକ୍ରମ ,ଏହି ଉଭୟ କାରଣରୁ ଆମର ଅତ୍ୟନ୍ତ ସମ୍ମାନର ପ୍ରାଣୀ ବିଶେଷ ଆଉ ଖାସ ଏଇଥି ପାଇଁ ଆରମ୍ଭରୁ ଘୋଡ଼ାନାଲ ପୃଥିବୀର ସର୍ବତ୍ର ସର୍ବଶୁଭର ଏକ କାରକ ପଦାର୍ଥ ବା “ଟୋଟେମ୍” ଆକାରରେ ଗ୍ରହଣୀୟ।
ଘୋଡ଼ାନାଲ କ’ଣ ତାହା ସମସ୍ତଙ୍କୁ ଜଣା।
ଇତିହାସ ଦୃଷ୍ଟିରୁ ଦେଖିଲେ ଏହି ଘୋଡ଼ାନାଲର ବ୍ୟବହାର ସର୍ବପ୍ରଥମେ ଗ୍ରୀକମାନେ ଜାଣିଥିଲେ ଏବଂ ଏହା ହେଉଛି ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀର କଥା। ଗ୍ରୀକମାନଙ୍କଠାରୁ ଘୋଡ଼ାର ସୁରକ୍ଷା ଉଦ୍ଦେଶ୍ୟରେ ଏବଂ ଏକ ଗୃହୋପଯୋଗୀ ଶୁଭପଦାର୍ଥ ଆକାରରେ ଏହି ଘୋଡ଼ାନାଲର ବ୍ୟବହାର ପୃଥିବୀରେ ଅନ୍ୟତ୍ର ବ୍ୟାପିଯାଇଥିଲା ।
ସାଧାରଣତଃ ଘୋଡ଼ାର ପାଦକୁ ଆଗାମୀ ଦୀର୍ଘ ଏବଂ କଷ୍ଟକର ଯାତ୍ରା ପାଇଁ ଯେମିତି ସୁରକ୍ଷିତ ଆଉ ସମର୍ଥ ଭାବରେ ପ୍ରସ୍ତୁତ କରାଯାଇ ପାରିବ ଠିକ୍ ସେହି ଉଦ୍ଦେଶ୍ୟରେ ତାହାର ପାଦତଳେ ଇଂରେଜୀ ଅକ୍ଷର “ୟୁ” ଭଳି ଗୋଟିଏ ଗୋଟିଏ ପତଳା ଲୁହାର ଆକୃତିକୁ କଣ୍ଟା ପିଟି ଲଗାଯାଇଥାଏ । ଘୋଡାର ପାଦତଳେ ଲାଗିଥିବା ସେହି ଲୁହାର ପତଳା “ୟୁ” ଆକାରର ସୁରକ୍ଷା ଉପାଦାନକୁ ଘୋଡାନାଳ ବୋଲି ଆମେ କହିଥାଉ। ଏହାକୁ ଇଂରେଜୀରେ ” ହର୍ସ ସୁ” ବା “ଘୋଡ଼ାର ଯୋତା” ବୋଲି ବି କୁହାଯାଏ।
ଗ୍ରହଶାନ୍ତି ତଥା ସର୍ବଶୁଭର କାରକ ବୋଲି ଆମ ଭିତରେ କାହାରି କାହାରି ବିଶ୍ୱାସ ରହିଥିବା କାରଣରୁ ଆଜିକାଲି ଘୋଡ଼ାର ମାଲିକମାନେ ଘୋଡ଼ାର ପାଦ ତଳରେ ଲାଗିଥିବା ଏହିଭଳି ଘୋଡ଼ାନାଲମାନଙ୍କୁ ଥରକୁ ଥର ଖୋଲି ଆଶଙ୍କାପ୍ରବଣ ସଂସାରୀ ଗ୍ରାହକମାନଙ୍କୁ ବିକ୍ରି କରୁଥିବାର ଦେଖାଯାଉଅଛି ।
ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀରୁ ଗ୍ରୀକମାନେ ଘୋଡ଼ାନାଲକୁ ଏକ ଶୁଭ ପଦାର୍ଥ ବୋଲି ପୃଥିବୀକୁ କହିବା ଆଉ ଅନ୍ୟତ୍ର ଏଇ କଥାକୁ ଗ୍ରହଣ କରିନେବା ପଛରେ କାରଣ ହିସାବରେ ଘୋଡ଼ାର ଅବିରାମ ଗତି, ଚିର ବିକ୍ରମ ପଣ ଏବଂ ଏକ ଜୀବ ହିସାବରେ ତାହାର ସାଧାରଣ ସମ୍ମାନବୋଧ ଆଦି ରହିବା ସ୍ୱାଭାବିକ । ମାତ୍ର ଏହି ସବୁ କାରଣ ଯେ ଘୋଡ଼ାନାଲକୁ ଏକ ଶୁଭ ପଦାର୍ଥ ଆକାରରେ ସର୍ବତ୍ର ଜନପ୍ରିୟ କରିଥିଲା ଏକଥା ବି ପୂରା ଠିକ୍ ନୁହଁ ।
ଏଇଠି ଗୋଟିଏ ଜନଶ୍ରୁତି ଆଧାରିତ କାହାଣୀ ରହିଛି ।
ଘୋଡ଼ାନାଲକୁ ଏକ “ଟୋଟେମ୍” ଆକାରରେ ବିଶ୍ୱ ପ୍ରସିଦ୍ଧ କରିବା ପଛରେ ଜଣେ ଖ୍ରୀଷ୍ଟାନ୍ ସନ୍ଥଙ୍କର ଅବଦାନ ରହିଅଛି । ସେହି ସନ୍ଥଙ୍କ ନାଆଁ ହେଉଛି ସେଣ୍ଟ ଡନଷ୍ଟାନ୍।
ଘୋଡ଼ାନାଲକୁ ବିଶ୍ୱପ୍ରସିଦ୍ଧ କରିବାପଛରେ ଥିବା ସେହି କାହାଣୀଟି ଏଇ ସେଣ୍ଟ ଡାନଷ୍ଟାନଙ୍କୁ କେନ୍ଦ୍ର କରି ଚାରିଆଡେ ବହୁଳ ଭାବରେ ଆଦୃତ ।
ପାରମ୍ପରିକ ଜନଶ୍ରୁତି ଅନୁସାରେ ଡନଷ୍ଟାନ୍ ବୃତ୍ତିରେ ଜଣେ କମାର ଥିଲେ ଆଉ ପରେ ସେ କାଣ୍ଟରବରୀର ଆର୍କ ବିଶପ ବା ପ୍ରମୁଖ ଧର୍ମାଧିକାରୀ ହୋଇଥିଲେ । ସେ ଆର୍କ ବିଶପ ଥିବା ସମୟରେ ଦିନେ ମାଇସଂଜ ବେଳେ ଜଣେ ବ୍ୟକ୍ତି ତାଙ୍କ ନିକଟରେ ଉପସ୍ଥିତ ହୋଇ ଗୋଟିଏ ଅଦ୍ଭୁତ ଅନୁରୋଧ କରିଥିଲା । ସେ ଅତ୍ୟନ୍ତ ବିନୟର ସହ କହିଥିଲା,” ଫାଦର୍ ମୋର ଚାଲିବାରେ ଅସୁବିଧା ହେଉଛି। ଆପଣ ଦୟାକରି ମୋ ପାଦତଳେ ଦୁଇଟି ଘୋଡାନାଳ ଲଗାଇଦିଅନ୍ତୁ।ମୋର ଅନେକ ଜାଗାକୁ ଯିବାର ଅଛି ।”
ଏହା ୯୫୯ ଖ୍ରୀଷ୍ଟାବ୍ଦର କଥା ।
ଏହି ଭଳି ଗୋଟିଏ ଅଦ୍ଭୁତ ଅନୁରୋଧରେ କାଣ୍ଟରବରିର ଆର୍କ ବିଶପ ଡନଷ୍ଟାନ୍ ଟିକିଏ ବିସ୍ମିତ ହୋଇଥିଲେ ଆଉ ତାହାପରେ ତାଙ୍କୁ ସବୁକଥା ପରିଷ୍କାର ଜଣା ପଡିଯାଇଥିଲା । ଟିକିଏ ମୁରୁକି ହସି ସେ ତାହାପରେ ଉପସ୍ଥିତ ଆଗନ୍ତୁକର ଅନୁରୋଧକୁ ରକ୍ଷା କରିବା ଭଳି କାମରେ ପ୍ରବୃତ୍ତ ହୋଇଥିଲେ ।
ଆଗନ୍ତୁକର ଗୋଟିଏ ପାଦର ଠିକ୍ ତଳେ ଆଗ ଘୋଡ଼ାନାଲକୁ ଲଗାଇବା ବେଳେ ସେ ଆବଶ୍ୟକ ହେଉଥିବାଠାରୁ ଅଧିକ ବଡ଼ ସାଇଜର ଲୁହାକଣ୍ଟାକୁ ହାତୁଡିରେ ଏମିତି ଭାବରେ ପିଟିଥିଲେ ଯେ ଆଗନ୍ତୁକ ଜଣକ ଯନ୍ତ୍ରଣାରେ ଚିତ୍କାର କରିବାକୁ ଲାଗିଲା।
ଶେଷରେ ଯନ୍ତ୍ରଣାକୁ ଆଉ ଅଧିକ ସହିନପାରି ଆଗନ୍ତୁକ ଜଣକ ବେଶ୍ ଅନୁନୟ ହୋଇ ଆର୍କ ବିଶପ ଡନଷ୍ଟାନ୍ ଙ୍କୁ କହିଥିଲା,” ଫାଦର ରକ୍ଷା କରନ୍ତୁ । ମୋତେ ଏଇ ଦାରୁଣ କଷ୍ଟରୁ ମୁକ୍ତ କରନ୍ତୁ । ଆଉ ସହି ହେଉନାହିଁ ।”
ତଥାପି କିଛି ନଶୁଣିବା ପରି ଅତ୍ୟନ୍ତ ନିଷ୍ଠୁର ଭାବରେ ଡନଷ୍ଟାନ୍ ଆଗନ୍ତୁକର ପାଦତଳେ ସେହି ଘୋଡ଼ାନାଲରେ ଲୁହା କଣ୍ଟାମାନ ପିଟି ଚାଲୁଥାନ୍ତି ।
ଶେଷରେ ଅତ୍ୟନ୍ତ ଅନୁନୟ ବିନୟ ହୋଇ ଆଗନ୍ତୁକ ଜଣକ ଆର୍କ ବିଶପ ଡନଷ୍ଟାନ୍ ଙ୍କୁ କହିଥିଲା,” କଥା ଦେଉଛି ଫାଦର୍, ଯେଉଁ ଘରେ ଏମିତି ଗୋଟିଏ ଘୋଡ଼ାନାଲ ଥିବ ମୁଁ ସେହି ଘରକୁ ଆଦୌ ପ୍ରବେଶ କରିବି ନାହିଁ ।”
ତାହାପରେ ଫାଦର୍ ଡନଷ୍ଟାନ୍ ଆଗନ୍ତୁକକୁ ମୁକ୍ତି ଦେଇଥିଲେ ।
ନିଜ ପାଦତଳେ ଯିବା ଆସିବାର ସୁବିଧା ପାଇଁ v ଲଗାଇବା ପାଇଁ ଅଦ୍ଭୁତ ଅନୁରୋଧ କରିବା ପରେ ଆର୍କବିଶପ ଠିକ୍ ଜାଣିପାରିଥିଲେ ଯେ ଆଗନ୍ତୁକ ଜଣକ ଆଉ କେହି ନୁହଁ ,ସେ ହେଉଛି ସେହି ଦୁରାତ୍ମା, ସଇତାନ୍ ।
ଏହି ଭଳି ଗୋଟିଏ କାହାଣୀ ପରେ ଘୋଡ଼ାନାଲର ପ୍ରସିଦ୍ଧି ଏବଂ ଉପଯୋଗିତା ଅଧିକ ପରିମାଣରେ ବ୍ୟାପି ଯାଇଥିଲା । କହିବାକୁ ଗଲେ ଘୋଡ଼ାନାଲକୁ ଘରେ ରଖିଲେ ଘର ଭିତରକୁ ଯେ କୌଣସି ଦୁରାତ୍ମା ଆଉ ପ୍ରବେଶ କରିପାରିବ ନାହିଁ ,ଏହି ଭଳି ଗୋଟିଏ ବିଶ୍ୱାସର ଉତ୍ସ ହେଉଛି ଏହି ଡନଷ୍ଟାନ୍ କାହାଣୀ । କ୍ରମଶଃ ସମସ୍ତେ ନିଜ ଘରର ଦରଜାର ବାହାରେ ବିଶେଷତଃ କବାଟ ଉପରରେ ଘୋଡ଼ାନାଲକୁ ଲଗାଇ ରଖିବାକୁ ଚାହିଁଲେ , ଯାହା ଫଳରେ ବାହାରେ ରାସ୍ତାରେ ଯାଉଥିବା ବେଳେ ସଇତାନ୍ ଏହିଭଳି ଘୋଡ଼ାନାଲକୁ ପ୍ରଥମଦେଖାରେ ଦେଖି ଯଥାଶିଘ୍ର ବାଟଭାଙ୍ଗି ଅପସରି ଯିବ । ସଇତାନକୁ ତଡିବା ବ୍ୟତୀତ ଆଉ ଗୋଟିଏ କାମରେ ବି ଏହି ଘୋଡ଼ାନାଲ କ୍ରମଶଃ ବ୍ୟବହୃତ ହେବାରେ ଲାଗିଲା । ତାହା ହେଉଛି କବାଟକୁ ଖଡଖଡ୍ କରି ଭିତରୁ କାହାକୁ ଡାକିବା ଭଳି ଏକ ଖିଡିକି ଆକାରରେ, ଯାହାକୁ ଆମେ ଇଂରେଜୀରେ କହିବା, ଡୋର୍-ନକର୍,ସେହି ଭଳି।
ଘୋଡ଼ାନାଲ ହେଉଛି କବାଟରେ ଲାଗୁଥିବା ଖିଡିକିର ଆଦ୍ୟରୂପ ସେ ଦୃଷ୍ଟିରୁ।
ପରେ ଆର୍କ ବିଶପ୍ ଡନଷ୍ଟାନ୍ ଜଣେ ସନ୍ଥ ହେଲେ ଏବଂ ତାଙ୍କର ସମ୍ମାନରେ ଯେଉଁ ସମ୍ମାନ-ଭୋଜର ଆୟୋଜନ ହୁଏ ସେଇଠି ସମସ୍ତେ ଘୋଡାନାଳକୁ ନେଇ ବେଶ୍ ମଜା ମଜା ଖେଳ ଖେଳିଥାନ୍ତି ।
ଘୋଡ଼ାନାଲ ସହିତ ଗତି ଏବଂ ବିକ୍ରମର ଯାଦୁଶକ୍ତି ରହିଛି ବୋଲି ଗ୍ରୀକମାନଙ୍କର ଦୃଢ ବିଶ୍ୱାସ ରହିଥିଲା। ଏହା ସହିତ ଉଭୟ ଗ୍ରୀକ୍ ଏବଂ ରୋମାନ ମାନେ ବିଶ୍ୱାସ କରୁଥିଲେ ଯେ ଘୋଡ଼ାନାଲ ଅର୍ଦ୍ଧଚନ୍ଦ୍ରାକୃତି ହୋଇଥିବାରୁ ଚନ୍ଦ୍ରଙ୍କ ପ୍ରତୀକ ଆକାରରେ ଏହା ଉର୍ବରକତାର ଏବଂ ସର୍ବଶୁଭର ପ୍ରତୀକ ।
ମଧ୍ୟଯୁଗରେ ଗୁଣିଗାରେଡିର ପ୍ରାଦୁର୍ଭାବ ସମ୍ପର୍କିତ ବିଶ୍ୱାସ ବଢିବା କାରଣରୁ ତାହାର ପ୍ରତିକାର ଆକାରରେ ଘୋଡ଼ାନାଲର ଆଦର ବି ଅନେକ ପରିମାଣରେ ବଢିବାରେ ଲାଗିଥିଲା। ଗୁଣିଗାରେଡିକୁ ପ୍ରତିହତ କରିବା ପାଇଁ ମଧ୍ୟଯୁଗୀୟ ଇଉରୋପରେ ସଇତାନର ଘୋଡ଼ାନାଲ ଲଗାଇବା ବେଳର ସେହି ପୁରୁଣା ବିଖ୍ୟାତ ଡନଷ୍ଟାନ୍ କାହାଣୀ ବି ସାମ୍ନାକୁ ଆସୁଥିଲା ଆଉ ତାହାର ଉପଯୋଗ ବି ହେଉଥିଲା । ଡାହାଣୀଠାରୁ ରକ୍ଷା ପାଇବା ପାଇଁ ଘୋଡାନାଳ ଯେ ଏକ ସାର୍ଥକ ବିକଳ୍ପ, ସମସ୍ତେ ଡନଷ୍ଟାନ୍ କାହାଣୀ ଦ୍ୱାରା ବେଶ୍ ପ୍ରଭାବିତ ହୋଇ ଏଇଭଳି ବିଶ୍ୱାସ ପୋଷଣ କରୁଥିଲେ ।
ସାଧାରଣତଃ କୌଣସି ଡାହାଣୀର ମୃତ୍ୟୁହେଲେ ତାହାର କଫିନ ଉପରେ ସେତେବେଳେ ଘୋଡ଼ାନାଲ ଲଗାଯାଉଥିଲା ଯାହା ଫଳରେ କି ତାହାର ଆଉ ପୁନର୍ଜନ୍ମ ବା ରିଜରେକସନ୍ ହେବନାହିଁ ।
ମଣିଷର ବିଶ୍ୱାସ ଧାରାବାହିକ ଭାବରେ ସମସାମୟିକ ଘଟଣା ପ୍ରବାହ ଦ୍ୱାରା ଭିନ୍ନ ଭିନ୍ନ ରୂପ ଧାରଣ କରିଥାଏ । ଗୋଟିଏ ବିଶ୍ୱାସ ପୁଷ୍ଟ ହେଉଥାଏ ଆଉ ସେହି ବିଶ୍ୱାସର ବି ପ୍ରତିପକ୍ଷ ନିରନ୍ତର ପ୍ରସ୍ତୁତ ହେବାରେ ଲାଗିଥାଏ ।
ମଣିଷର ବିଶ୍ୱାସ ସମ୍ପର୍କରେ ଶେଷ କଥା ବୋଲି କିଛି ନାହିଁ ।
ଇତିହାସ ପ୍ରସିଦ୍ଧ ୧୮୧୫ ଖ୍ରୀଷ୍ଟାବ୍ଦର ଟ୍ରାଫଲଗାର୍ ଯୁଦ୍ଧ ।
ପ୍ରଖ୍ୟାତ ଇଂରେଜ ନୌ ସେନାପତି ଆଡମିରାଲ୍ ଲର୍ଡ ହୋରାସିଓ ନେଲସନ୍ ତାଙ୍କର ଯୁଦ୍ଧ ଜାହାଜ “ଏଚ୍ ଏମ୍ ଏସ୍ ଭିକ୍ଟୋରି” ରେ ଗୋଟିଏ ଘୋଡ଼ାନାଲ ଲଗାଇଥିଲେ । ଘୋଡ଼ାନାଲ ପାଖରେ ଥିଲେ ସର୍ବଶୁଭ ହେବ ବୋଲି ତାଙ୍କର ଦୃଢ ବିଶ୍ୱାସ ଥିଲା । ଏହି ନିର୍ଣ୍ଣାୟକ ନୌ- ଯୁଦ୍ଧରେ ଇଂରେଜମାନେ ନେପୋଲିଅନଙ୍କ ନୌସେନାର ବିପକ୍ଷରେ ବିଜୟ ଲାଭ କରିଥିଲେ । କହିବାକୁ ଗଲେ ଏହି ଯୁଦ୍ଧରେ ସେହି ଶୁଭ ପଦାର୍ଥ ଅର୍ଥାତ୍ ସେହି ଘୋଡ଼ାନାଲ ଖଣ୍ଡିକ ବ୍ରଟିଶ ସାମ୍ରାଜ୍ୟକୁ ସହାୟକ ହୋଇଥିଲେ ହେଁ ତାହା ସେହି ଯୁଦ୍ଧର ବିଜୟୀ ସେନାଧ୍ୟକ୍ଷଙ୍କୁ ସୁରକ୍ଷିତ କରି ରଖିପାରିନଥିଲା । ୧୮୧୫ ଟ୍ରାଫଲଗାର୍ ଯୁଦ୍ଧରେ ଆଡମିରାଲ୍ ହୋରାସିଓ ନେଲସନ୍ ବୀରଗତି ପ୍ରାପ୍ତ ହୋଇଥିଲେ ।
ବ୍ୟବହାର କଲାବେଳେ ଅନେକେ ବିଶ୍ୱାସ କରନ୍ତି, ଘୋଡାନାଳଟି ଯଦି ଉପରମୁହାଁ ଅର୍ଥାତ୍ ଆଲିଙ୍ଗନ ଧର୍ମିତାର ମୁଦ୍ରାରେ ଲଗାଯାଇଥାଏ ତେବେ ତାହା ସମସ୍ତ ଅଦୃଶ୍ୟ ଶୁଭଶ୍ରୀକୁ ଧାରଣ କରିବା ପାଇଁ ସକ୍ଷମ କିନ୍ତୁ ଏହା ଯଦି ସବୁକିଛିକୁ ଅଜାଡି ଦେବା ଭଳି ମୁହଁ ତଳକୁ କରି ମନଦୁଃଖରେ ବସିଥାଏ ତେବେ ଏହା ଏକ ଉଗୁଡା ପାଛିଆ ।
ହୁଏତ ଏହି ଦୃଷ୍ଟିରୁ ଦେଖିଲେ ଏବଂ ମଣିଷର ବିଶ୍ୱାସ ,ଉଭୟେ ସମାନ।
Comments are closed.