ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୧୧
ଆମେ ତ ଖଂଡ ଖଂଡ ହୁଏ
ମୁଁ ମୁଁ ମୁଁ ମୁଁ ହିଁ ବୋଲାଏ
ବ୍ୟକ୍ତିକୁ ସ୍ତୁତି କରି ମୋହେ
ସମୂହ ଚୁପ୍ ହୋଇ ରହେ
ଆମ୍ଭର, ଆମର ଓ ଆମ
ତୁମ୍ଭର, ତୁମର ଓ ତୁମ
ଏହି ଧାରାରେ ଭାଷା କ୍ଷୟ
ଦେଖିଲେ ମନେ ପଶେ ଭୟ
‘ ତୁମେ ‘ ହେଲାଣି ‘ ତେମେ, ତମେ ‘
ଏପରି ଭାଷା ମୂଲ୍ୟ କମେ
ଲୋକେ ହୁଅଂତୁ ସାବଧାନ
ନ ଘଟୁ ଭାଷା ଅବସାନ
ସ୍ମୃତି ହିଁ ଭାଷାର ସଂବଳ
ତାହାକୁ ଆଶ୍ରୟି କେବଳ
ସାରିଦେଉଛୁଁ କାଳ, ବଳ
ପାଉଛୁଁ ତାର ଫଳାଫଳ
ଅହିତକର ନିଷ୍କ୍ରିୟତା
ଯୋଗୁଁ ଏବେ ଏ ଦୁରବସ୍ଥା
ତତ୍କାଳ ବିହିତ ବ୍ୟବସ୍ଥା
ନିମଂତେ ଖଟୁ ଆମ ମଥା
ସମକାଳୀନ ହୋଇ ଆମେ
ଲାଗିପାରିବା ଭାଷା କାମେ
ଭାଷା କହିଲେ ମନେ ପଶେ
ଲେଖିଲେ ନୟନକୁ ଦିଶେ
କହି ଓ ଲେଖି ବ୍ୟବହାର
କଲେ ହିଁ ଭାଷାର ଆଦର
ସ୍ବଜନସମାଜରେ ବଢ଼େ
ଆପେ ଆପେ ଶିଖର ଚଢ଼େ
ସ୍ବଭାଷା ପ୍ରତି ଅନୁରକ୍ତି
ଦେଖାଇ ବଢ଼ାଉଁ ତା ଶକ୍ତି
ଅଲୋଡ଼ା ତର୍କ ଆଉ ଯୁକ୍ତି
କଲାଣି ଖୁବ୍ ବେଶି କ୍ଷତି
ବାଦ ଓ ବିବାଦ ସ୍ଥଗିତ
ହେଲେ ହିଁ ସ୍ବଭାଷା ଉନ୍ନତ
ହେବାର ଅଛି ସଂଭାବନା
ଆଉ ନ କରୁଁ ବେଶି ମନା
ଭାଷୀଂକୁ ମିଳୁ ସ୍ବାୟତ୍ତତା
ବୁଝଂତୁ ସ୍ବଭାଷାର କଥା
ସମସ୍ୟା ହରାଇଲେ ସତ୍ତା
ବଢ଼େ ଭାଷାର ଗୁଣବତ୍ତା
Comments are closed.