Latest Odisha News

ଭାଷା ଭାଗବତ : ସରଳ ବନାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୪୮ 

ଅଂକ ଅର୍କ କି ଅଙ୍କ ଅର୍କ୍କ
ତାଂକ ତର୍କ କି ତାଙ୍କ ତର୍କ୍କ
ତୁଳନା କରି ନିଜେ ଦେଖୁଁ
ଯାହା ସରଳ ତାହା ଲେଖୁଁ

ମଂଚ ଖର୍ଚା କି ମଞ୍ଚ ଖର୍ଚ୍ଚା
କଂଚା ଚର୍ଚା କି କଞ୍ଚା ଚର୍ଚ୍ଚା
ବାଂଛା ବର୍ଛା କି ବାଞ୍ଛା ବର୍ଚ୍ଛା
ସରଳ ଧାରା ହେଉ ବଛା

ଗଂଜା ଗିର୍ଜା କି ଗଞ୍ଜା ଗିର୍ଜ୍ଜା
ଛକାପଂଝା କି ଛକାପଞ୍ଝା
ମଂଜି ମର୍ଜି କି ମଞ୍ଜି ମର୍ଜ୍ଜି
ସରଳ ଧାରା ଚଳୁ ଆଜି

ଆଂଟ ଆର୍ଟ୍‌ କି ଆଣ୍ଟ ଆର୍ଟ୍ଟ୍‌
ଅଂତ ଆର୍ତ କି ଅନ୍ତ ଆର୍ତ୍ତ
ଚିଂତା କର୍ତା କି ଚିନ୍ତା କର୍ତ୍ତା
ଜଂଦା ଜର୍ଦା କି ଜନ୍ଦା ଜର୍ଦ୍ଦା
ଯାହା ବାଛୁଛୁଁ ଲେଖୁଁ ସଦା

ଅଂଧ ଅର୍ଧ କି ଅନ୍ଧ ଅର୍ଦ୍ଧ
ସଂଧ୍ୟା ଆର୍ଦ୍ର କି ସନ୍ଧ୍ୟା ଆର୍ଦ୍ଦ୍ର
ଖଂବ ଖର୍ବ କି ଖମ୍ବ ଖର୍ବ୍ବ
କିପରି କିଆଁ ଲେଖାହେବ

ଯାହାର ଯେପରି ପସଂଦ
ବିଚାରି ସବୁ ଭଲ ମଂଦ
କରିବା ସେପରି ଲିଖନ
ସୁସ୍ପଷ୍ଟ ଦେଖିବ ନୟନ

ଭାଷାର ସ୍ଥିତିସ୍ଥାପକତା
ଦିଏ ଭାଷୀଂକୁ ସହିଷ୍ଣୁତା
ସମସ୍ତେ ଏହି ଗୁଣ ଧରି
ଲେଖିବା ଲିପି ସଫା କରି

ଏଥିରେ ହୋଇ ବେଶି ଘାଂଟି
ନ ହେଉଁ ବହୁ ଦଳେ ବାଂଟି
ପ୍ରତ୍ୟେକେ କରୁଁ ନିଜ କାମ
ନ ରଟି ଅନ୍ୟର ଦୁର୍ନାମ

Comments are closed.