ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଏକାଂତବାସୀ ହୋଇ ଜଣେ
ଲୁଚି ରହିଲେ ଘର କୋଣ
ତା ମନ କରେ ପର୍ଯଟନ
ସ୍ବେଚ୍ଛାରେ ଅନେକ ଭୁବନ
ସେ ହେଲେ କାଳ, ସ୍ଥଳାଶ୍ରୟୀ
ନିଜ ସାମର୍ଥ୍ୟ ଅନୁଯାୟୀ
ଭାବକୁ କରିପାରେ ଲିପି
ନ ରହେ ନିଷ୍କ୍ରିୟ କଦାପି
ନିଜକୁ ନିଜେ ଦେଇ ଧ୍ୟାନ
କଲେ ମନକୁ ନିୟଂତ୍ରଣ
ତଦନୁସାରେ ହୁଏ କାମ
ସଂସାର ଦେଖେ ପରିଣାମ
ନିଷ୍ଫଳା ଅସଂଖ୍ୟ ସଂପୃକ୍ତି
କରଂତିନାହିଁ ତା’ର କ୍ଷତି
ସଂଭାଳି ନିଜ ଅନନ୍ୟତା
ସେ ଖୋଜିପାଏ ନିଜ ସତ୍ତା
ଯାହା ବି ତାହାର ଉଦ୍ଦେଶ୍ଯ
ରହେନି କେବେ ଅପ୍ରକାଶ୍ୟ
ଉଦ୍ଦେଶ୍ୟ ହେଲେ ଥରେ ସ୍ଥିର
ହୁଏନି ବେଶି ହରବର
ସଂକଳ୍ପ-ଚାଳିତ ମଣିଷ
ବିକଳ୍ପ କରିଲେ ବିନାଶ
ଏକାକୀ ମଣିଷର ଶକ୍ତି
ଲକ୍ଷ୍ୟାଭିମୁଖୀ କରେ ଗତି
ତାହାର ବଢ଼ିବା ଅଭ୍ୟାସ
କେବେ ବି ହୁଏନାହିଁ ଶେଷ
ସର୍ବଦା ହୁଏ ଅଗ୍ରସର
ଏପରି ଜଣେ କର୍ମବୀର
ଘଟିଲେ ତା ଦେହାବସାନ
ତା କୃତି ନିଏ ତା’ର ସ୍ଥାନ
ଜ୍ଞାନର ଏହି ପରଂପରା
ସଂଭାଳି ରଖିଅଛି ଧରା
ଯାହାଂକ ନାହିଁ କିଛି କୃତି
ତାଂକର କୁଟୁଂବ ଓ ଜ୍ଞାତି
ପାଳିଥାଆଂତି ଶ୍ରାଦ୍ଧୋତ୍ସବ
ତାହା ହିଁ ତାଂକର ଗୌରବ
Comments are closed.