Latest Odisha News

BREAKING NEWS

ଓଡିଶାର ୪୦୦ ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କୁ ସହାୟକ ଉପକରଣ ଯୋଗାଇବା ପାଇଁ ଓଏଚପିସି ଏବଂ ଏଏଲଆଇଏମସିଓ ମଧ୍ୟରେ ଏମଓୟୁ ସ୍ୱାକ୍ଷର

ଭୁବନେଶ୍ବର: ସମାବେଶୀତା, ସହାନୁଭୂତି ଓ ସାମାଜିକ ଦାୟିତ୍ୱକୁ ସୁଦୃଢ଼ କରିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଓଡିଶା ଜଳ ବିଦ୍ୟୁତ୍ ନିଗମ ଲିମିଟେଡ୍ (ଓଏଚପିସି) ଏବଂ କୃତ୍ରିମ ଅଙ୍ଗ ନିର୍ମାଣ ନିଗମ, ଭୁବନେଶ୍ୱର ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣାପତ୍ର ଅନୁଯାୟୀ, ସଂସ୍ଥାର କର୍ପୋରେଟ୍ ସାମାଜିକ ଦାୟିତ୍ୱ ଯୋଜନା ଅନ୍ତର୍ଗତ ରାଜ୍ୟର ଅନୁନ୍ୟ ୪୦୦ ଜଣ ଦିବ୍ୟାଙ୍ଗଜନ ଓ ବରିଷ୍ଠ ନାଗରିକଙ୍କୁ ଆବଶ୍ୟକୀୟ ସହାୟକ ଉପକରଣ ବଣ୍ଟନ କରାଯିବ ।

ଏହି ଯୋଜନା ପାଇଁ ସମ୍ପୂର୍ଣ୍ଣ ଅର୍ଥାୟନ ଓଡିଶା ଜଳ ବିଦ୍ୟୁତ୍ ନିଗମ ଲିମିଟେଡ୍ (ଓଏଚପିସି)ଦ୍ୱାରା କରାଯାଉଛି। ଏହାର ଉଦ୍ଦେଶ୍ୟ ହେଲା ଦିବ୍ୟାଙ୍ଗଜନ ଓ ଯୋଗ୍ୟ ବରିଷ୍ଠ ନାଗରିକଙ୍କର ଚଳାଚଳ ସୁବିଧା, ସ୍ୱାଧୀନତା ଓ ଜୀବନମାନକୁ ଉନ୍ନତ କରିବା ।

ବୁଝାମଣାପତ୍ର ଅନୁଯାୟୀ, କୃତ୍ରିମ ଅଙ୍ଗ ନିର୍ମାଣ ନିଗମ (ଏଏଲଆଇଏମସିଓ) ଦ୍ୱାରା ଦିବ୍ୟାଙ୍ଗଜନଙ୍କ ପାଇଁ ତିନିଚକିଆ ଯାନ, ମୋଟର ଚାଳିତ ତିନିଚକିଆ ଯାନ, ଚକାଚେୟାର, ନିୟନ୍ତ୍ରଣ ଯନ୍ତ୍ର ଚାଳିତ ଚକାଚେୟାର, ଚଳାଚଳ ସହାୟକ ଯନ୍ତ୍ର, ହାଟିବା ସହାୟକ ଯନ୍ତ୍ର, ସେରେବ୍ରାଲ୍ ପ୍ୟାଲସି ପୀଡ଼ିତଙ୍କ ପାଇଁ ବିଶେଷ ଚେୟାର, କାନ ଶୁଣିବା ସହାୟକ ଯନ୍ତ୍ର, ଭରସା ଦଣ୍ଡ, ଦୃଷ୍ଟିହୀନଙ୍କ ପାଇଁ ଛଡ଼ି, ଉନ୍ନତ ପ୍ରଯୁକ୍ତି ସହିତ ଛଡ଼ି, ଦୃଷ୍ଟିହୀନଙ୍କ ପାଇଁ ସଂଯୋଗ ଯନ୍ତ୍ର ଏବଂ କୁଷ୍ଠରୋଗ ପୀଡ଼ିତଙ୍କ ପାଇଁ ଦୈନନ୍ଦିନ କାର୍ଯ୍ୟ ସହାୟକ କିଟ୍ ବଣ୍ଟନ କରାଯିବ। ସେହିପରି ବରିଷ୍ଠ ନାଗରିକଙ୍କ ପାଇଁ ହାଟିବା ଦଣ୍ଡ, କୋହଣି ଓ କାଖ ଭରସା ଦଣ୍ଡ, ହାଟିବା ସହାୟକ ଯନ୍ତ୍ର, ଚକାଚେୟାର (ଶୌଚ ସୁବିଧା ସହିତ ଓ ବିନା ଶୌଚ ସୁବିଧା), ଶୌଚ ସୁବିଧା ସହିତ ଆସନ, ନରମ ଫୋମ କୁସନ, ଘୁଁଡ଼ି ସମର୍ଥନ, ମେରୁଦଣ୍ଡ ଓ ଗରଦନ ସମର୍ଥନ, କମର ସମର୍ଥନ ବେଲ୍ଟ, ବ୍ରେକ୍ ସହିତ ହାଟିବା ସହାୟକ ଯନ୍ତ୍ର, ଆସନ ସହିତ ହାଟିବା ଦଣ୍ଡ ଓ ପାଦ ଯତ୍ନ କିଟ୍ ଇତ୍ୟାଦି ବଣ୍ଟନ କରାଯିବ, ଯାହା ତାଙ୍କର ସୁରକ୍ଷା, ସୁବିଧା ଓ ସ୍ୱାଧୀନ ଚଳାଚଳକୁ ସୁନିଶ୍ଚିତ କରିବ ।

ଏହି ବୁଝାମଣାପତ୍ର ଓଡିଶା ଜଳ ବିଦ୍ୟୁତ୍ ନିଗମ ଲିମିଟେଡ୍ (ଓଏଚପିସି) ପକ୍ଷରୁ ଅନିମା ତ୍ରିପାଠୀ, ମୁଖ୍ୟ ମହାପ୍ରବନ୍ଧକ (ମାନବ ସମ୍ବଳ) ଏବଂ କୃତ୍ରିମ ଅଙ୍ଗ ନିର୍ମାଣ ନିଗମ, ଭାରତ ପକ୍ଷରୁ ବିବେକ ଦ୍ୱିବେଦୀ, ସାଧାରଣ ପ୍ରବନ୍ଧକ (ବିପଣନ) ସ୍ୱାକ୍ଷର କରିଥିଲେ । ଏହି ଅବସରରେ ଓଏଚପିସି ପକ୍ଷରୁ ଶ୍ରୀଯୁକ୍ତ ସନ୍ଦୀପ ପଟ୍ଟନାୟକ, ନିର୍ଦ୍ଦେଶକ (ମାନବ ସମ୍ବଳ), ଅମୀୟ କୁମାର ମହାନ୍ତି, ନିର୍ଦ୍ଦେଶକ (ପରିଚାଳନା), ମନୋଜ କୁମାର ମହାନ୍ତି, ଉପ ମହାପ୍ରବନ୍ଧକ (ମାନବ ସମ୍ବଳ) ସହିତ କୃତ୍ରିମ ଅଙ୍ଗ ନିର୍ମାଣ ନିଗମର ବରିଷ୍ଠ ଅଧିକାରୀ ଶୈଳେନ୍ଦ୍ର କୁମାର, ଉପ ପ୍ରବନ୍ଧକ ଏବଂ ଭାରପ୍ରାପ୍ତ ଅଧିକାରୀ ଏବଂ ସ୍ମୃତି ମଲ୍ଲିକ, ସହ ପ୍ରବନ୍ଧକ ଉପସ୍ଥିତ ଥିଲେ ।

ଏହି ପଦକ୍ଷେପ ମାଧ୍ୟମରେ ଏକ ସମାବେଶୀ, ସହାନୁଭୂତିମୟ ଓ ସଶକ୍ତ ଓଡ଼ିଶା ଗଢ଼ିବା ଦିଗରେ ସଂସ୍ଥା ନିରନ୍ତର ପ୍ରଚେଷ୍ଠା ଜାରି ରଖିଛି, ଯେଉଁଠି ପ୍ରତ୍ୟେକ ବ୍ୟକ୍ତି ବୟସ କିମ୍ବା ଶାରୀରିକ ସମର୍ଥ୍ୟ ଯାହାହେଉ, ଗରିମା ଓ ସ୍ୱାଧୀନତା ସହିତ ଜୀବନ ଯାପନ କରିପାରିବେ ।

Leave A Reply

Your email address will not be published.