Latest Odisha News

ଚଳଚ୍ଚିତ୍ର ‘ରାମ ନାମ ସତ୍ୟ ହେ’ରେ ଡେବ୍ୟୁ କରିବେ ଏହି ନବାଗତ ଯୋଡି

ଭୁବନେଶ୍ୱର: ମୁକ୍ତିଲାଭ କରିବାକୁ ଥିବା ଆଗାମୀ ଓଡ଼ିଆ ଚଳଚ୍ଚିତ୍ର ‘ରାମ ନାମ ସତ୍ୟ ହେ’ରେ ଦେଖିବାକୁ ମିଳିବ ଦୁଇଟି ନୂଆ ମୁଁହ । ଏହି ଚଳଚିତ୍ରର ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ ନବାଗତ ନାୟକ ସାଜନ ବିଶ୍ୱାଳ ଓ ନାୟିକା ନମିତାଙ୍କ ଯୋଡିକୁ ।

ଏହି ଚଳଚ୍ଚିତ୍ର ଜରିଆରେ ରୂପେଲି ପରଦାରେ ନମିତା ଡେବ୍ୟୁ କରିବାକୁ ଯାଉଥିବା ବେଳେ ସାଜନଙ୍କ ପାଇଁ କିନ୍ତୁ କ୍ୟାମେରା ନୂଆ ନୁହେଁ । ସେ ଏହା ପୂର୍ବରୁ ଆଦିବାସୀ ଭାଷା ‘ହୋ’ରେ ନିର୍ମିତ ଏକ ଫିଚର ସିନେମା ‘ଅମଗେ ଜୁଲି’ରେ ଅଭିନୟ କରିସାରିଛନ୍ତି । ‘ହୋ’ ହେଉଛି ଏକ ଆଦିବାସୀ ଭାଷା । ଓଡ଼ିଶାର ମୁଣ୍ଡା, କୋଲ୍ହ ଆଦି ସମ୍ପ୍ରଦାୟ ଦ୍ୱାରା ଏହି ଭାଷାର ବ୍ୟବହାର କରାଯାଏ ।

ଏହି ‘ରାମ ନାମ ସତ୍ୟ ହେ’ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ଜିତୁ ରାଉତ ସମ୍ଭାଳି ଥିବା ବେଳେ, ବାବୁ ପ୍ରଧାନ, ବ୍ରଜ ସିଂ, ସଂଗ୍ରାମ ବିଶ୍ୱାଳ, ବାପି ରାୟ ଏବଂ କାଳିଆ ଏଥିରେ ପ୍ରମୁଖ ଭୂମିକାରେ ନଜର ଆସିବେ ।

ସିନେମାଟିର କାହାଣୀ ଏକ ଯୁବକ ରାମ(ସାଜନ) ଚାରିପାଖେ ଘୁରି ବୁଲୁଛି । ଯାହାର ସରଳ ଜୀବନ ଓଲଟପାଲଟ ହୋଇଯାଏ, ଯେତେବେଳେ ସେ ଏକ ଅଣ୍ଡରୱାର୍ଲଡ଼ ଡନ ବିରୋଧରେ ଲଢ଼ିବାକୁ ସାହସ କରେ । ନ୍ୟାୟ ପାଇଁ ଲଢେଇ କରିବା ପାଇଁ ରାମକୁ ପ୍ରୋତ୍ସାହିତ କରନ୍ତି ଜଣେ ସ୍ଥାନୀୟ ମନ୍ତ୍ରୀ । କିନ୍ତୁ ଅନ୍ୟାୟ ବିରୁଦ୍ଧରେ ଲଢେଇ କରୁକରୁ ରାମ ନିଜେ ହିଁ ସେ ସହରର ନୂଆ ଡ଼ନ ହୋଇଯାଏ ।

ରାମ ଯଦି ନୂଆ ଡ଼ନ ହେଲେ ତହେଲେ ପୂର୍ବରୁ ଥିବା ଡ଼ନ ସହ କଣ ହେଲା, ସାଧାରଣ ଭାବେ ଜୀବନ ବିତାଉଥିବା ରାମର ପରବର୍ତ୍ତୀ ମୁହୂର୍ତ୍ତରେ କଣ ହେଲା? ଏହି ଆକ୍ସନ ଓ ରୋମାନ୍ସରେ ଭରପୁର ଚଳଚ୍ଚିତ୍ରଟିକୁ ଖୁବଶୀଘ୍ର ଆପଣ ମାନେ ନିକଟସ୍ଥ ସିନେମା ହଲରେ ଦେଖି ପାରିବେ।

Comments are closed.