ସତାନା(ମଧ୍ୟପ୍ରଦେଶ): ଭୋକ ବିକଳରେ ରୁଟି ଖଣ୍ଡେ ମାଗିଥିଲା । ରୁଟି ତ ମିଳିଲା, ହେଲେ ପିଶାଚଙ୍କ ହାବୁଡରେ ପଡିଗଲା ନିରୀହ ଝିଅଟି । ଗଣବଳାତ୍କାରର ଶିକାର ହେଲା । କେତେ ନୃଶଂସତାର କଥା ସତରେ ! ମାନବିକତା ପ୍ରତି କେତେ ବଡ ଅପମାନ ! ଏମିତି ଏକ ହୃଦୟଥରା ଘଟଣା ସମ୍ନାକୁ ଆସିଛି ମଧ୍ୟପ୍ରଦେଶର ସତନା ଜିଲ୍ଲାରୁ ।
ବାପା-ମା’ଙ୍କ ଉପରେ ରାଗି ଘର ଛାଡ଼ି ଚାଲି ଆସିଥିଲେ ଯୁବତୀ ଜଣକ । ଭୋକ ବିକଳରେ ଛଟପଟ ହେଉଥିଲା । ଏକ ଢାବା ଦେଖି ସେଠାକୁ କିଛି ଖାଇବାକୁ ଯାଇଥିଲା । ହେଲେ ଖାଇବା ପରେ ଦୁବୃର୍ତ୍ତମାନେ ଘେରି ଯାଇଥିଲେ ତାକୁ । ଅପହରଣ କରି ନେଇଥିଲେ । ୧ ୨ ଦିନ ରଖି ଜଣ ଜଣ କରି ଏକାଧିକ ବ୍ୟକ୍ତି ତାଙ୍କ ସହ ଦୁଷ୍କର୍ମ କରିଥିଲେ । ୧୨ ଦିନ ପରେ ସୁଯୋଗ ପାଇ ଯୁବତୀ ଜଣକ କୌଣସି ପ୍ରକାରେ ଖସି ପଳାଇ ଆସି ସତନା ଥାନାର ଦ୍ୱାରସ୍ଥ ହୋଇଥିଲେ । ଗୋଟି ଗୋଟି ନିଜର ନିର୍ଯାତନାର କାହାଣୀ ବଖାଣିଥିଲେ ।
ପୋଲିସ ଘଟଣାର ତଦନ୍ତ କରି ଉକ୍ତ ଢାବାର ମାଲିକ ସମେତ ଜଣେ ରୋଷେଇଆ, ଜଣେ କର୍ମଚାରୀଙ୍କୁ ଗିରଫ କରିଛି । ୨୬ ବର୍ଷୀୟ ଏହି ଯୁବତୀଙ୍କୁ ରାସ୍ତା କଡର ଏହି ଢାବାରେ ଗଣବଳାତ୍କାର କରାଯାଇଥିବା ପୋଲିସ ସ୍ୱୀକାର କରିଛି । ଯୁବତୀଙ୍କୁ ଏହି ଢାବାରେ ବନ୍ଧକ ଭାବେ ରଖି ଏହି ପଶାଚମାନେ ଏପରି ନାରକୀୟ କାଣ୍ଡ ଭିଆଇଥିଲେ । ତେବେ ମଙ୍ଗଳବାର ସୁଯୋଗ ପାଇ ଯୁବତୀଜଣକ କୌଣସି ପ୍ରକାରେ ଖସି ଆସିଛନ୍ତି । ଏହି ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ନିନ୍ଦା କରାଯିବା ସହ ଦୋଷୀକୁ କଠୋରରୁ କଠୋର ଦଣ୍ଡ ଦେବାକୁ ଦାବି ହୋଇଛି ।
Comments are closed.