Latest Odisha News

ନକଲି ଔଷଧ, ୬ ଜିଲ୍ଲାରେ ରୁଜୁ ହେଲା ୧୨ ମାମଲା

ଭୁବନେଶ୍ୱର: ଦେହ ଭଲ ହେବା ପାଇଁ ଆପଣ ଖାଉଥିବା ଔଷଧ ନକଲି । ଗଳିକନ୍ଦି ସହର ବଜାର ରାଜ୍ୟର ସବୁଠି ଏହି ନକଲି ଔଷଧ ବିକ୍ରି ହେଉଛି । ଉଚ୍ଚ ରକ୍ତଚାପ ଔଷଧ ଟେଲମା-୪୦ ଭଳି ରାଜ୍ୟର ପ୍ରାୟ ଜିଲ୍ଲାରେ ନକଲି ଔଷଧ କ୍ଲାଭାମ-୬୨୫ ବେଧଡ଼କ ଭାବେ ବିକ୍ରି ହେଉଛି । ରାଜ୍ୟ ବାହାରୁ ଆସୁଥବା ଏହି ନକଲି ଔଷଧ କଟକରୁ ଧରା ପଡ଼ିବା ପରେ ଆଉ ୬ ଜିଲ୍ଲାରୁ ବି ମିଳିଛି ।

କଟକ ସହ ଅନ୍ୟ ଜିଲ୍ଲାର ବଜାରରୁ କ୍ଲାଭାମ-୬୨୫ ଔଷଧକୁ ଫେରାଇ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ନକଲି ଔଷଧକୁ ଜବତ କରିବା ସହ ୬ ଜିଲ୍ଲାରେ ୧୨ଟି ମାମଲା ରୁଜୁ କରିଛନ୍ତି । କଟକରେ ସର୍ବାଧିକ ୬ଟି ମାମଲା ରୁଜୁ ହୋଇଥିବା ବେଳେ ଝାରସୁଗୁଡ଼ାରେ ୨ଟି ମାମଲା ଏବଂ କେନ୍ଦ୍ରାପଡ଼ା, ସୁନ୍ଦରଗଡ଼ ଓ ବରଗଡ଼ରେ ଗୋଟିଏ ଲେଖାଏ ମାମଲା ରୁଜୁ ହୋଇଛି ।

ନକଲି କ୍ଲାଭାମ-୬୨୫ ଔଷଧ ମିଳିବା ପରେ ସ୍ୱାସ୍ଥ୍ୟ ବିଭାଗ ପ୍ରତିଟି ଷ୍ଟ୍ରିପର ଯାଞ୍ଚ କରିଛି । ଯେଉଁଠି ନକଲି ଔଷଧ ମିଳିବ ସେଠାରୁ ଫେରାଇ ନିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଏଥିସହ ନକଲି ଔଷଧ ଧରପଗଡ଼କୁ ଜୋରଦାର କରିବାକୁ ଡ୍ରଗ୍ସ କଣ୍ଟ୍ରୋଲର ନିର୍ଦ୍ଦେଶ ଦେଇଛନ୍ତି ।

କଟକର ଭିଆର୍ ଏଜେନ୍ସି, ପୂଜା ଇଣ୍ଟରପ୍ରାଇଜେସ, କ୍ୟାଲ ଏଜେନ୍ସି, ମହାବୀର ପ୍ରସାଦ ରାଧେଶ୍ୟାମ, ଶ୍ରୀ ଡିଷ୍ଟ୍ରିବୁଟର ଓ ଶ୍ରୀ ଏମ୍.ଏଚ୍ ବିରୋଧରେ ନକଲି କ୍ଲାଭାମ-୬୨୫ ପାଇଁ ମାମଲା ରୁଜୁ ହୋଇଛି । ସେହିଭଳି ଝାରସୁଗୁ଼ଡ଼ାର ଶ୍ୟାମ ମେଡିକାଲ, ଅମିତ ଏଜେନ୍ସି, ସୁନ୍ଦରଗଡ଼ର ପ୍ରକାଶ ମେଡିକାଲ ପ୍ରାଇଭେଟ୍ ଲିମିଟେଡ୍, ବରଗଡ଼ର ଅଶୋକ ମେଡିକାଲ ହଲ୍, ସମ୍ବଲପୁରର ଦୁର୍ଗା ଏଜେନ୍ସି ଏବଂ କେନ୍ଦ୍ରାପଡ଼ାର ସାଇ ଟ୍ରେଡର୍ସ ବିରୋଧରେ ମାମଲା ରୁଜୁ ହୋଇଛି ।

ଏଥିସହ ନିମ୍ନମାନର ଔଷଧ ଯୋଗାଇ ପାଇଁ ଇନ୍ଦୋରର ଆଇଭିଇଏସ୍ ଡ୍ରଗ୍ସ ବିରୋଧରେ ବରପାଲି ଜେଏମଏଫସିରେ ମାମଲା ରୁଜୁ କରିଛି ରାଜ୍ୟ ଔଷଧ ଯୋଗାଣ ନିଗମ । ଏଥିସହ ଔଷଧ ପ୍ରସ୍ତୁତ କରୁଥିବା ନିର୍ମାତାଙ୍କ ବାବଦରେ ମଧ୍ୟପ୍ରଦେଶ ସରକାରଙ୍କୁ ସବିଶେଷ ତଥ୍ୟ ମଗା ଯାଇଛି ।

Leave A Reply

Your email address will not be published.