Latest Odisha News

ଘାରିଲା ଓମିକ୍ରନ ଚିନ୍ତା, ବିଦେଶୀ ଯାତ୍ରୀଙ୍କ ଉପରେ କଡ଼ା ନଜର

ନୂଆଦିଲ୍ଲୀ : ଘାରିଲା ଓମିକ୍ରନ ଚିନ୍ତା । ଏହାକୁ ଦୃଷ୍ଟିରେ ରଖି ଦେଶରେ ଜାରି ହୋଇଛି ସଂଶୋଧିକ ଗାଇଡଲାଇନ । ଦେଶକୁ ଆସୁଥିବା ସମସ୍ତ ଯାତ୍ରୀ ବିମାନ ଯାତ୍ରା ପୂର୍ବରୁ ଏକ ଆତ୍ମ ଘୋଷଣାନାମା ଫର୍ମ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ସେମାନଙ୍କୁ ନେଗେଟିଭ ଆରଟି-ପିସିଆର ଟେଷ୍ଟ ରିପୋର୍ଟ ଦାଖଲ କରିବାକୁ ପଡିବ । ଆଟ୍ ରିସ୍କ ତାଲିକାରେ ଥିବା ରାଷ୍ଟ୍ର ବ୍ୟତୀତ ଅନ୍ୟ ରାଷ୍ଟ୍ରରୁ ଆସୁଥିବା ଯାତ୍ରୀ ଭାରତରେ ପହଞ୍ଚିବା ମାତ୍ରେ ସେମାନଙ୍କ ମଧ୍ୟରୁ ୨ ପ୍ରତିଶତ ଯାତ୍ରୀଙ୍କ ରାଣ୍ଡମ ଟେଷ୍ଟ କରାଯିବ । ଯଦି ବିଦେଶ ଫେରନ୍ତା ପଜିଟିଭ ଚିହ୍ନଟ ହୁଅନ୍ତି, ତେବେ ସେହି ନମୁନାକୁ ଜିନୋମ ସିକ୍ୟୁଏନସିଂ ଲାଗି ପଠାଯିବ । ଯେଉଁମାନଙ୍କ ନମୁନା ନେଗେଟିଭ ହେବ ସେମାନଙ୍କୁ ଅତି କମରେ ୧୪ ଦିନ ହୋମ୍ କ୍ବାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି ।

ବ୍ରିଟେନ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ବାଂଲାଦେଶ, ବୋସଓ୍ବାନା, ଚୀନ, ମରିସସ, ନ୍ୟୁଜିଲାଣ୍ଡ, ଜିମ୍ବାଓ୍ବେ, ସିଙ୍ଗାପୁର, ହଂକଂ ଓ ଇସ୍ରାଏଲରୁ ଆସୁଥିବା ଯାତ୍ରୀଙ୍କୁ ବ୍ୟାପକ ସ୍କ୍ରିନିଂ ଟେଷ୍ଟ କରାଯିବ । ଆଟ୍ ରିସ୍କ ଦେଶ ତାଲିକାରେ ଥିବା ଦେଶରୁ ଆସୁଥିବା ଯାତ୍ରୀଙ୍କୁ ଯାତ୍ରାର ସବିଶେଷ ଇତିହାସ ଦାଖଲ କରିବାକୁ ହେବ । ଭାରତରେ ପହଞ୍ଚିବା ପରେ ସେମାନଙ୍କ କୋଭିଡ ଟେଷ୍ଟ କରାଯିବ । ଯେଉଁମାନେ ପଜିଟିଭ ଚିହ୍ନଟ ହେବେ ସେମାନଙ୍କୁ ସ୍ବତନ୍ତ୍ର ଆଇସୋଲେସନରେ ରହିବାକୁ ପଡିବ । ବର୍ତ୍ତମାନ ସୁଦ୍ଧା ୧୪ଟି ରାଷ୍ଟ୍ରରେ ଓମିକ୍ରନ ଠାବ ହୋଇଥିବା ବେଳେ, ଏହି ସଂଖ୍ୟା ବଢିବାରେ ଲାଗିଛି । କେତେକ ରାଷ୍ଟ୍ର ଦକ୍ଷିଣ ଆଫ୍ରିକାକୁ ବିମାନ ଚଳାଚଳ ଉପରେ କଟକଣା ଜାରି କରିଥିବା ବେଳେ, ଭାରତ ସରକାରଙ୍କ ପକ୍ଷରୁ ସଂଶୋଧିତ ଗାଇଡଲାଇନ ଜାରି କରାଯାଇଛି ।

Leave A Reply

Your email address will not be published.