Latest Odisha News

BREAKING NEWS

 ଆର.ଜି କର ଘଟଣା : ମମତାଙ୍କ ପାଇଁ ରାଜନୈତିକ କ୍ଷତି ?

କୋଲକାତା: କୋଲକାତା ଆର.ଜି କର ମେଡିକାଲ କଲେଜ ଓ ହସପିଟାଲ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କୁ ହରଡଘଣାରେ ପକାଇଛି । ମମତା ସରକାର ଘଟଣାରେ ଠିକ୍ ଭାବେ ହସ୍ତକ୍ଷେପ କରିପାରିଲେ ନାହିଁ । ଏକ ସଂଗୀନ ଘଟଣାକୁ ଅତି ହାଲୁକାର ସହ ନେବା ମମତା ବାନାର୍ଜୀଙ୍କ ପାଇଁ ମହଙ୍ଗା ପଡିଛି କି ବୋଲି ଉଠିଛି ପ୍ରଶ୍ନ । ଆର.ଜି କର ଘଟଣା ନେଇ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଥିବା ବେଳେ ବିରୋଧ, ବିକ୍ଷୋଭ ମଧ୍ୟ ବଢିଚାଲିଛି । ମହିଳା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣାରେ ମମତା ବିରୋଧୀ ଅଭିଯାନ ଜୋରଦାର କରି ରାଜନୈତିକ ଫାଇଦା ହାସଲ କରିବାକୁ ଜୋରଦାର ପ୍ରୟାସ ଆରମ୍ଭ କରିଦେଇଛି ବିଜେପି ।

ଚାପରେ ଅଛନ୍ତି କି ମମତା ବାନାର୍ଜୀ ?

ଆର.ଜି କର ଘଟଣା ପରଠାରୁ ବ୍ୟାକଫୁଟରେ ରହିଆସିଛନ୍ତି ମମତା ସରକାର । ଘଟଣା ପ୍ରତିବାଦରେ ଆନ୍ଦୋଳନ କରୁଥିବା ଜୁନିଅର ଡାକ୍ତରମାନଙ୍କୁ ମମତା ପରୋକ୍ଷରେ ଧମକ ଦେଇଥିବା ଅଭିଯୋଗ ହୋଇଥିଲା । ଏଥିସହ ଅନ୍ୟ ରାଜ୍ୟରେ ନିଆଁ ଜଳିବ ବୋଲି ମମତାଙ୍କ ମନ୍ତବ୍ୟର କଡା ସମାଲୋଚନା କରିଥିଲେ ବିଜେପି ଶାସିତ ରାଜ୍ୟ । ଆର.ଜି କର ଘଟଣା ପରେ ସୃଷ୍ଟି ହୋଇଥିବା ଜନଆକ୍ରୋଶ ଯୋଗୁଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚାପରେ ଅଛନ୍ତି ବୋଲି

ପଶ୍ଚିମବଙ୍ଗ ରାଜନୀତି ଉପରେ ନଜର ରଖୁଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି । ପ୍ରଥମ ଥର ପାଇଁ ମମତା ବାନାର୍ଜୀ ଚାପରେ ଥିବା ଦେଖାଯାଇଛି ବୋଲି ମତ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ଭାବେ ମମତା ବାନାର୍ଜୀଙ୍କ ସରକାର ଚଳାଇବା ଶୈଳୀରେ ସାଧାରଣ ଲୋକ ଅସନ୍ତୁଷ୍ଟ ବୋଲି କହିଛନ୍ତି କିଛି ବିଶେଷଜ୍ଞ । ଆର.ଜି କର ଘଟଣା ଏତେ ବ୍ୟାପକ ହେବ ବୋଲି ମମତା ବାନାର୍ଜୀ କି ଟିଏମସିର ବରିଷ୍ଠ ନେତା ଠଉରାଇ ନଥିଲେ ବୋଲି କେତେକ ମତ ଦେଇଛନ୍ତି ।

ଜନଆକ୍ରୋଶର ଅନେକ କାରଣ

କେବଳ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ଗୋଟିଏ କାରଣ ନୁହେଁ । ଏଥିସହିତ ଜଡିତ ଅନ୍ୟ କିଛି କାରଣରୁ ମଧ୍ୟ ମମତା ସରକାରଙ୍କ ଉପରେ ଆକ୍ରୋଶ ବଢିଛି । ପୀଡିତାଙ୍କ ପରିବାର ଓ ଜୁନିଅର ଡାକ୍ତରଙ୍କ ଆକ୍ରୋଶ ସତ୍ତ୍ୱେ  ଆର.ଜି କର ମେଡିକାଲ କଲେଜ ଓ ହସପିଟାଲର ପ୍ରିନସିପାଲ ସନ୍ଦୀପ ଘୋଷଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ତାଙ୍କୁ କେବଳ କୋଲକାତା ନ୍ୟାସନାଲ ମେଡିକାଲ କଲେଜ ଓ ହସପିଟାଲର ପ୍ରିନସିପାଲ ଭାବେ ସ୍ଥାନାନ୍ତର କରାଯାଇଥିଲା । ସନ୍ଦୀପ ଘୋଷଙ୍କ ବିରୋଧରେ ଆଗରୁ ଆର୍ଥିକ ଅନିୟମିତତା ଅଭିଯୋଗ ଥିଲେ ମଧ୍ୟ ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେଇନଥିଲେ ।  ରାଜ୍ୟ ସରକାରଙ୍କ ଏହି ଉଦାସୀନ ମନୋଭାବ ଉପରେ ହାଇକୋର୍ଟ ଓ ସୁପ୍ରିମକୋର୍ଟ କଡା ଟିପ୍ପଣୀ କରିଥିଲେ ।

ଚାପରେ ଅଛନ୍ତି , କିନ୍ତୁ ଶେଷ ହୋଇନି ଦିଦିଙ୍କ ଖେଲା

କିଛି ବିଶେଷଜ୍ଞଙ୍କ ମତରେ ସମଗ୍ର ଘଟଣାରେ ମମତା ବାନାର୍ଜୀଙ୍କ ସରକାର ପରିପକ୍ୱ ଆଭିମୁଖ୍ୟ ଦେଖାଇବାରେ ବିଫଳ ହୋଇଛନ୍ତି । ଏଥିଯୋଗୁଁ ପ୍ରଥମ ଥର ପାଇଁ ମମତାଙ୍କ ଭାବମୂର୍ତ୍ତି ରେ ଆଂଚ ଆସିଛି ବୋଲି ରାଜନୀତି ବିଶେଷଜ୍ଞଙ୍କ ମତ । କିନ୍ତୁ ମମତା ବାନାର୍ଜୀ ସଂପୂର୍ଣ୍ଣ ଭାବେ ଚାପରେ ଅଛନ୍ତି ବୋଲି କୁହାଯିବା ଭୁଲ୍ ବୋଲି ମଧ୍ୟ କିଛି ବିଶେଷଜ୍ଞ କହିଛନ୍ତି । ଦୁଷ୍କର୍ମକାରୀଙ୍କୁ ମୃତ୍ୟୁ ଦଣ୍ଡର ବ୍ୟବସ୍ଥା ଥାଇ ଏକ କଠୋର ଆଇନ୍ ପ୍ରଣୟନ କଥା କହିଛନ୍ତି ମମତା ବାନାର୍ଜୀ । ଏପରିକି ପୀଡିତାଙ୍କୁ ନ୍ୟାୟ ଦାବିରେ ଅଗଷ୍ଟ ୩୧ ତାରିଖରେ ରାଜ୍ୟର ସବୁ ବ୍ଲକରେ ଟିଏମସି ଶୋଭାଯାତ୍ରା କରିବ ବୋଲି ଘୋଷଣା କରିଛନ୍ତି ଦିଦି । ଏ ପ୍ରସଙ୍ଗରେ ଗତ କିଛି ଦିନ ହେବ ମମତା ବେଶ୍ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛନ୍ତି । ଦିଦି ଏବେ ଚାପରେ ଅଛନ୍ତି ସତ, କିନ୍ତୁ ଖେଲା ଶେଷ ହୋଇନାହିଁ  ବୋଲି କିଛି ବିଶେଷଜ୍ଞଙ୍କ ମତ ।

 

Comments are closed.