Latest Odisha News

BREAKING NEWS

‘ମୁଁ ଚ୍ୟାଲେଞ୍ଜ କରୁଛି, ୪୦୦ କ’ଣ ୨୦୦ ମଧ୍ୟ ପାର କରିପାରିବ ନାହିଁ ବିଜେପି’

ଲକ୍ଷ୍ନୌ: ୨୦୨୪ ଲୋକସଭା ନିର୍ବାଚନ ପରେ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦାୟ ନିଶ୍ଚିତ । ମୋଦି ଜୀ ୪୦୦ ପାର୍ କଥା କହୁଛନ୍ତି, କିନ୍ତୁ ମୁଁ ଦାବି କରୁଛି ଯେ ସେ ୨୦୦ ମଧ୍ୟ ପାର କରି ପାରିବେ ନାହିଁ । ଉତ୍ତରପ୍ରେଦେଶର ଲକ୍ଷ୍ନୌରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କଲାବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସିଧା ସଳଖ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ।

ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସହ ଆଜି ଏକ ରାଲିରେ ଯୋଗଦେଇ ଖଡଗେ କହିଛନ୍ତି ଯେ, ‘ସମ୍ବିଧାନ ଏବଂ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଏହା ଏକ ନିର୍ବାଚନ । ଖଡଗେ ଦାବି କରିଛନ୍ତି ଯେ, ଲୋକସଭା ନିର୍ବାଚନର ଚାରୋଟି ପର୍ଯ୍ୟାୟ ଶେଷ ହେବା ପରେ ବିରୋଧୀ ‘ଇଣ୍ଟିଆ’ ମେଣ୍ଟ ଏକ ଦୃଢ ସ୍ଥିତିରେ ଅଛି । ଜୁନ୍ ୪ ପରେ ମିଳିତମଞ୍ଚ ଏକ ନୂତନ ସରକାର ଗଠନ କରିବାକୁ ଯାଉଛି । ମୁଁ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ସହ କହିବି ଯେ, ଭାରତର ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଦାୟ ଦେବାକୁ ନିଷ୍ପତ୍ତି ନେଇଛନ୍ତି’ ।

ଖଡଗେ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶକ୍ତି ବିଷୟରେ କହୁଛନ୍ତି, କିନ୍ତୁ ଯେଉଁମାନେ ସମ୍ବିଧାନ ପରିବର୍ତ୍ତନ ବିଷୟରେ ବାରମ୍ବାର କଥାବାର୍ତ୍ତା କରନ୍ତି ସେମାନଙ୍କ ବିରୋଧରେ ସେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି ନାହିଁ? ଏହା ଦେଶର ଭବିଷ୍ୟତ ପାଇଁ ଏକ ନିର୍ବାଚନ, ସମସ୍ତଙ୍କ ଅଧିକାରର ସୁରକ୍ଷା ପାଇଁ ଏକ ନିର୍ବାଚନ । ଦେଶର ଭବିଷ୍ୟତକୁ ବଞ୍ଚାଇବା ପାଇଁ ସମସ୍ତଙ୍କୁ ଏକାଠି କାମ କରିବାକୁ ପଡିବ ବୋଲି କଂଗ୍ରେସ ରାଷ୍ଟ୍ର ଅଧ୍ୟକ୍ଷ କହିଛନ୍ତି ।

ବିଜେପିକୁ ତେରଚ୍ଛା ବାଣ ମାରି ଖଡଗେ କହିଛନ୍ତି, ‘ଯଦି ଗଣତନ୍ତ୍ରକୁ ବଞ୍ଚାଇବାର ଅଛି ତେବେ ସମସ୍ତଙ୍କୁ ଏକଜୁଟ ହେବାକୁ ପଡ଼ିବ । ଗଣତନ୍ତ୍ର ଏବଂ ସମ୍ବିଧାନକୁ ବଞ୍ଚାଇବା ପାଇଁ ଏହା ଏକ ନିର୍ବାଚନ । ଆଜି ଦେଶରେ ଦୁଇଟି ବିଚାରଧାରା ମଧ୍ୟରେ ଲଢେଇ ହେଉଛି । ଗୋଟିଏ ପଟେ ଗରିବଙ୍କ ସପକ୍ଷରେ ଲଢୁଥିବା ଦଳ ଅଛି । ଅନ୍ୟ ପଟେ, ଧନୀମାନଙ୍କ ସପକ୍ଷରେ ଠିଆ ହେଉଥିବା ଲୋକ । ଆମର ସଂଗ୍ରାମ ଗରିବଙ୍କ ପାଇଁ, ଯେଉଁମାନେ ଖାଦ୍ୟ ପାଆନ୍ତି ନାହିଁ ଏବଂ ଚାକିରି ପାଉନାହାନ୍ତି । ଦେଶରେ ପ୍ରଚଳିତ ବେକାରୀ ଏବଂ ମୁଦ୍ରାସ୍ଫୀତି ବିରୋଧରେ ଆମର ସହଯୋଗୀ ଦଳ ଏହି ଯୁଦ୍ଧ ଲଢୁଛନ୍ତି ବୋଲି ଖଡଗେ କହିଛନ୍ତି ।

Leave A Reply

Your email address will not be published.