Latest Odisha News

ଜିବିଏସ ନେଲା ଜଣଙ୍କ ଜୀବନ, ଶହେରୁ ଅଧିକ ସଂକ୍ରମିତ

ପୁନେ: ପୁନେରେ ବ୍ୟାପୁଛି ଗୁଇଲେନ-ବାରେ ସିଣ୍ଡ୍ରୋମ (ଜିବିଏସ) । ବର୍ତ୍ତମାନ ଜଣଙ୍କର ଜୀବନ ଯାଇଥିବାବେଳେ ଏଥିରେ ଶହେରୁ ଅଧିକ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୬ଜଣ ଭେଣ୍ଟିଲେଟରରେ ଥିବା ବେଳେ ଅନ୍ୟ ରୋଗୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

ଏହି ମାରାତ୍ମକ ରୋଗ ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ କୌଣସି ସୂଚନା ମିଳିନଥିବା ବେଳେ, ଗୁଇଲେନ-ବାରେ ସିଣ୍ଡ୍ରୋମର ୧୦୦ଟି ମାମଲା ସାମ୍ନାକୁ ଆସିବା ପରେ ପୁନେରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି ।

ଏହି ସଂକ୍ରମଣ ମୁଖ୍ୟତଃ କାମ୍ପିଲୋବାକ୍ଟର ଜେଜୁନି ନାମକ ଏକ ବ୍ୟାକ୍ଟେରିଆ ଦ୍ୱାରା ହୋଇଥାଏ ବୋଲି ଜଣାପଡିଛି । ଯାହା ପାଚନ ତନ୍ତ୍ରରେ ସଂକ୍ରମଣ ସମୟରେ ଶରୀରରେ ପ୍ରବେଶ କରିଥାଏ । ଏହି ରୋଗ ଶରୀରର ହାତ ଓ ଗୋଡ଼ରେ ଦୁର୍ବଳତା କରିଦିଏ । କହିବା, ଚୋବେଇବା ଏବଂ ଢୋକିବାରେ ସମସ୍ୟା ଦେଖାଦିଏ ଏହା ସହ ପକ୍ଷାଘାତର କାରଣ ହୋଇପାରେ ।

ଗୁଇଲେନ-ବାରେ ସିଣ୍ଡ୍ରୋମ ଏକ ଅଟୋଇମ୍ୟୁନ ନ୍ୟୁରୋଲଜିକାଲ ଡିସଅର୍ଡର ଅଟେ । ଏହି ରୋଗରେ ଇମ୍ୟୁନ ସିଷ୍ଟମ ନର୍ଭ ଉପରେ ଆଟାକ କରିଥାଏ । ଦୃଷ୍ଟି ଶକ୍ତି କମିବା, ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିବା, ପରିସ୍ରା, ମଳତ୍ୟାଗ ବେଳେ କଷ୍ଟ ଅନୁଭବ କରିବା ଏବଂ ନିଶ୍ବାସ ନେବାରେ ମଧ୍ୟ କଷ୍ଟ ଅନୁଭବ ହୋଇଥାଏ ।

କ୍ୟାମ୍ପିଲୋବାକ୍ଟର ଜୀବାଣୁ ସାଧାରଣତଃ ସଂକ୍ରମିତ ମାଂସ, ବିଶେଷକରି ଚିକେନ୍ ଏବଂ ମଟନ୍ ରେ ଦେଖାଯାଏ । ଅଧିକାଂଶ ସମୟରେ ଅଳ୍ପ ରନ୍ଧା ମାଂସ, କ୍ଷୀର କିମ୍ବା ସଂକ୍ରମିତ ପାଣି ସଂସ୍ପର୍ଶରେ ଆସିବା ଦ୍ୱାରା ଏହାର ସଂକ୍ରମଣ ବ୍ୟାପିଥାଏ । ଏହି ଜୀବାଣୁ ପେଟ ଯନ୍ତ୍ରଣା, ଝାଡ଼ା, ବାନ୍ତି ଭଳି ଲକ୍ଷଣ ସୃଷ୍ଟି କରିଥାଏ । ଯାହା ପରେ ଗୁଇଲେନ-ବାରେ ସିଣ୍ଡ୍ରୋମ ଆରମ୍ଭ ହୋଇଥାଏ ।

ଏହି ରୋଗ ଗମ୍ଭୀର ହୋଇପାରେ, କିନ୍ତୁ ଯଦି ଶୀଘ୍ର ଚିକିତ୍ସା କରାଯାଏ, ତେବେ ୯୫ ପ୍ରତିଶତ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିବେ ।

 

Comments are closed.