Latest Odisha News

BREAKING NEWS

ଜାମୁନୀ ଗାଁରେ ଗୋଷ୍ଠୀ ସଂଘର୍ଷ; ଜଣେ ମୃତ

ବ୍ରହ୍ମପୁର: ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଜାମୁନୀ ଗାଁରେ ଗୋଷ୍ଠୀ ସଂଘର୍ଷ । ଗୋଷ୍ଠୀ ସଂଘର୍ଷରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି ।

ମୃତକ ଜଣକ ହେଲେ ଜାମୁନୀ ଗାଁର ଯୋଗେଶ ବେହେରା।ଗୁରୁତର ହୋଇଥିବା ଅଜିତ ପାଣିଗ୍ରାହୀ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ଯାମୁନୀ ସେବା ସମବାୟ ନିର୍ବାଚନ ସକାଶେ ଗତ ୩୦ ତାରିଖରେ ନାମାଙ୍କନ ଦାଖଲ ହୋଇଥିଲା । ସେହି ଦିନ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପୁରୁଷୋତ୍ତମପୁର ପୋଲିସ ପହଞ୍ଚି ଉଭୟ ଗୋଷ୍ଠୀଙ୍କୁ ବୁଝାସୁଝା କରି ମାମଲାର ସମାଧାନ କରିଥିଲା ।

ଗତ କାଲି ରାତିରେ ପୁଣି ପାଣି ଯୋଗାଣକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଯୋଗେଶ ବେହେରାଙ୍କ ମୃତ୍ୟୁ ହୋଇଥିବା ବେଳେ ଅଜିତ ପାଣିଗ୍ରାହୀ ଗୁରୁତର ହୋଇଛନ୍ତି ।

ଘଟଣା ସମ୍ପର୍କରେ ଖବର ପାଇ ପୁରୁଷୋତ୍ତମପୁର ଥାନା ପୋଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ଗାଁରେ ସାଇଣ୍ଟିଫିକ ଟିମ, ଅତିରିକ୍ତ ଏସପି ପହଞ୍ଚି ତଦନ୍ତକୁ ଆଗକୁ ବଢାଇଛନ୍ତି ।

ଗାଁରେ ଉତ୍ତେଜନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ଦୁଇ ଜଣଙ୍କୁ ଅଟକ ରଖାଯାଇ ପଚାରାଉଚରା କରାଯାଉଥିବା ବେଳେ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଏସପି।

Leave A Reply

Your email address will not be published.