Latest Odisha News

ଜମି ବିବାଦକୁ ନେଇ ହତ୍ୟାକାଣ୍ଡ, ଜଣେ ମୃତ ୬ ଆହତ

ବଲାଙ୍ଗୀର: ମୁଣ୍ଡ ନେଇଗଲା ଜମି ବିବାଦ । ରକ୍ତାକ୍ତ ସଂଘର୍ଷରେ ଚାଲିଗଲା ଜଣକର ଜୀବନ । ଅନ୍ୟପଟେ ୬ ଜଣ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏପରି ଏକ ଅଭାବନୀୟ ଘଟଣାକୁ ନେଇ ଲଜ୍ଜା ମୁଣ୍ଡାଇଛି ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ କୁଟୁରାପାଲି ଗାଁ ।

ମିଳିଥିବା ରିପୋର୍ଟ ଅନୁଯାୟୀ ଏକ ଜମିକୁ ନେଇ କୁଟୁରାପାଲି ଗାଁର ମକରଧ୍ୱଜ ଓ ପ୍ରସନ୍ନ ବାଗଙ୍କ ମଧ୍ୟରେ ବହୁଦିନ ଧରି ତିକ୍ତତା ରହିଆସିଥିଲା । ଆଜି ସକାଳୁ ମକରଧ୍ୱଜ ନିଜର କିଛି ସାଥୀଙ୍କ ସହ ସେହି ବିବାଦୀୟ ଜମିରେ ଧାନ ବୁଣିବାକୁ ଯାଇଥିଲେ । ହେଲେ ଜମିରେ ଧାନ ନବୁଣିବାକୁ ପ୍ରସନ୍ନ ଓ ତାଙ୍କ ଭାଇମାନେ ବାରଣ କରିଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ମକରଧ୍ୱଜ ଓ ତାଙ୍କ ସାଥୀମାନେ ପ୍ରସନ୍ନ ବାଗ ଓ ତାଙ୍କ ତିନିଭାଇଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ ।

ଟାଙ୍ଗିଆ ଆକ୍ରମଣରେ ପ୍ରସନ୍ନ ବାଗଙ୍କର ମୃତ୍ୟୁ ଘଟିଥିଲାବେଳେ ତାଙ୍କ ଦୁଇ ଭାଇ ଦଶରଥ ଓ କସରତ ଗୁରୁତର ଭାବେ ଆହତ ହୋଇ ବଲାଙ୍ଗୀର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅନ୍ୟପଟେ ପାଲଟା ଆକ୍ରମଣରେ ମକରଧ୍ୱଜଙ୍କ ୪ଜଣ ସାଥୀ ମଧ୍ୟ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣାକୁ ନେଇ ଲୋଇସିଂହା ପୋଲିସ ପ୍ରସନ୍ନ ବାଗଙ୍କ ମୃତଦେହକୁ ପୋଷ୍ଟମୋର୍ଟମ ପାଇଁ ପଠାଇବା ସହ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

Leave A Reply

Your email address will not be published.