Latest Odisha News

BREAKING NEWS

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ହଇଜା ନେଲା ପୁଣି ଏକ ଜୀବନ, ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

ରାୟଗଡ଼ା: କାଶୀପୁରରେ ପୁଣି ଥରେ ହଇଜା ନେଇଛି ଆଉ ଏକ ମୁଣ୍ଡ । ଏଥିସହ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ମୃତକ ଜଣକ ହେଉଛନ୍ତି ଡୁଡୁକାବାହାଲ ପଞ୍ଚାୟତ ଡେଙ୍ଗାଗୁଡା ଗ୍ରାମର ଅର୍ଜୁନ ଜାନି (୫୫) । ଡେଙ୍ଗାଗୁଡା ଗାଁର ୬ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବାରୁ ସେମାନଙ୍କୁ ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ବିଳମ୍ବିତ ରାତିରେ ଅର୍ଜୁନ ଜାନିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ହଇଜା ଧିରେ ଧିରେ ନିୟନ୍ତ୍ରଣକୁ ଆସୁଥିବା ବେଳେ ଆଜି ସ୍ଥିତି ସମୀକ୍ଷା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହଇଜା ପ୍ରବଣ ଅଞ୍ଚଳ ଗସ୍ତ କରିବାର କାର୍ଯ୍ୟ କ୍ରମ ରହିଛି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗସ୍ତର ଠିକ୍ ପୂର୍ବରୁ ଆଉ ଜଣେ ହଇଜା ଆକ୍ରାନ୍ତଙ୍କ ମୃତ୍ୟୁ ପ୍ରଶାସନର ଚିନ୍ତା ବଢ଼ାଇଛି ।

କାଶୀପୁର ବ୍ଲକର ୨୦ରୁ ଅଧିକ ଗାଁରେ ହଇଜା ବ୍ୟାପିଛି । ବିଭିନ୍ନ ଗାଁରେ ଶତାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ମଲ୍ଲୀଝରଣ, ସୁରୁଗୁଞ୍ଜା, ଟିକିରି, ଗୋବରିଘାଟି, ଜଲାକୁରା, ଦୁଡୁକାବାହାଲ, ବଡମାରିଭଟ୍ଟା, କାକୁଡିପଦର, ରାଉତଘାଟି ଭଳି ବିଭିନ୍ନ ଗାଁ ମାନଙ୍କରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ଫଳରେ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ଦୂଷିତ ପାଣି ବ୍ୟବହାର କରିବା ଯୋଗୁଁ ଝାଡ଼ାବାନ୍ତି ବ୍ୟାପୁଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ନିରଞ୍ଜନ ମିଶ୍ର ସ୍ପଷ୍ଟ କରିଛନ୍ତି । ୨୦୦୮ ମସିହାରେ ଜିଲ୍ଲାରେ ଡାଇରିଆରେ ଶହେରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ୨୦୧୦ ମସିହାରେ ବି ପୁଣି ଝାଡ଼ାବାନ୍ତି ଝଡ଼ାଇ ନେଇଥିଲୋ ଅନେକ ଜୀବନ । ଏବେ ପୁଣି ବର୍ଷା ଋତୁ ଆରମ୍ଭରୁ ଝାଡ଼ାବାନ୍ତି ଗୋଟିଏ ପରେ ଗୋଟିଏ ଗାଁକୁ ବ୍ୟାପୁଛି ।

Leave A Reply

Your email address will not be published.