Latest Odisha News

BREAKING NEWS

Trump Threat Iran: ଇରାନକୁ ଟ୍ରମ୍ପଙ୍କ ନୂଆ ଧମକ! କହିଲେ, “୧୦ ମିନିଟ୍‌ରେ କାମ ଶେଷ କରିଦେବୁ…”

ନୂଆଦିଲ୍ଲୀ: ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧର ଉତ୍ତେଜନା ପୁଣି ବଢ଼ିବାକୁ ଯାଉଛି କି? ଇରାନର ସର୍ବୋଚ୍ଚ ନେତା ମୋଜତବା ଖାମେନେଇଙ୍କ କଡ଼ା ଚେତାବନୀ ପରେ ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଛନ୍ତି ନୂଆ ଧମକ। ଇରାନରେ ଆମେରିକାର ଆଉ ଗୋଟିଏ କିମ୍ବା ଦୁଇଟି ଟାର୍ଗେଟ୍ ବାକି ରହିଛି ଏବଂ ଚାହିଁଲେ ମାତ୍ର ୧୦ ମିନିଟ୍‌ରେ ସେଗୁଡ଼ିକୁ ନିଷ୍କ୍ରିୟ କରିଦେଇପାରିବ ବୋଲି କହିଛନ୍ତି ଟ୍ରମ୍ପ।

ଶନିବାର ଫ୍ଲୋରିଡାସ୍ଥିତ ନିଜ ବାସଭବନରେ ସାମ୍ବାଦିକଙ୍କ ସହ କଥା ହେବାବେଳେ ଟ୍ରମ୍ପ କହିଛନ୍ତି, ଆମେରିକା ଇରାନର ସାମରିକ କ୍ଷମତା ଏବଂ ପରମାଣୁ କାର୍ଯ୍ୟକ୍ରମକୁ ବହୁ ପରିମାଣରେ ଦୁର୍ବଳ କରିଦେଇଛି। ତେବେ ଆଉ କିଛି ସ୍ଥାନକୁ ଟାର୍ଗେଟ୍ କରିବା ବାକି ଅଛି। ଏଥିମଧ୍ୟରେ ଇରାନର ନତାଞ୍ଜ ପରମାଣୁ କେନ୍ଦ୍ର ନିକଟରେ ଥିବା ସନ୍ଦିଗ୍ଧ ଭୂତଳ ପରମାଣୁ କମ୍ପ୍ଲେକ୍ସ ‘ପିକ୍‌ଆକ୍ସ ମାଉଣ୍ଟେନ୍’ ରହିଛି। ଏହି ସ୍ଥାନକୁ ମଧ୍ୟ ନିଷ୍କ୍ରିୟ କରିବାକୁ ପଡ଼ିବ ବୋଲି ଟ୍ରମ୍ପ କହିଛନ୍ତି।

ଟ୍ରମ୍ପଙ୍କ ଏହି ବୟାନ ପୂର୍ବରୁ ଇରାନର ସର୍ବୋଚ୍ଚ ନେତା ମୋଜତବା ଖାମେନେଇ ଆମେରିକା ଓ ଇସ୍ରାଏଲକୁ ଚେତାବନୀ ଦେଇଥିଲେ। ଶତ୍ରୁପକ୍ଷ ପୁଣି ଥରେ ସାମରିକ କିମ୍ବା ଆତଙ୍କବାଦୀ ଆକ୍ରମଣ କଲେ ଇରାନ ତାହାର ଜବାବ ଦେବାର ସମୟ ଓ ସର୍ତ୍ତ ନିଜେ ସ୍ଥିର କରିବ ବୋଲି ସେ କହିଥିଲେ। ଏଥିସହ ଶତ୍ରୁପକ୍ଷର ଯେକୌଣସି ବିପଦର ତୁରନ୍ତ, ପ୍ରଭାବଶାଳୀ ଏବଂ ଭୌଗୋଳିକ ସୀମା ନଥିବା ଜବାବ ଦେବାକୁ ସେ ସେନାକୁ ନିର୍ଦ୍ଦେଶ ଦେଇଥିଲେ। ଆମେରିକା ଓ ଇସ୍ରାଏଲର ସାମରିକ ସମ୍ପତ୍ତି ଓ ଅନ୍ୟାନ୍ୟ ସମ୍ବଳକୁ ନିଜ ଟାର୍ଗେଟ୍ ତାଲିକାରେ ରଖିବାକୁ ମଧ୍ୟ କହିଥିଲେ। ଏହା ସହିତ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଉତ୍ପାଦନ ବଢ଼ାଇବା, ସାମରିକ ଗୁଇନ୍ଦା କ୍ଷମତାକୁ ମଜବୁତ କରିବା ଏବଂ ନିଜସ୍ୱ ପ୍ରତିରକ୍ଷା ବ୍ୟବସ୍ଥା ବିକଶିତ କରିବାକୁ ମୋଜତବା ସେନାକୁ କହିଛନ୍ତି।

ଅନ୍ୟପଟେ, ଆମେରିକାର ମଧ୍ୟାବଧି ନିର୍ବାଚନ ପରେ ଇରାନ ଉପରେ ପୁଣି ଆକ୍ରମଣ ହୋଇପାରେ ବୋଲି MS NOWର ଏକ ରିପୋର୍ଟରେ ଦାବି କରାଯାଇଛି। ନଭେମ୍ବର ୩ ତାରିଖରେ ଆମେରିକାର ମଧ୍ୟାବଧି ନିର୍ବାଚନ ଥିବାବେଳେ, ତାହାର ପରଦିନ ଆକ୍ରମଣ ଆରମ୍ଭ ହୋଇପାରେ ବୋଲି ରିପୋର୍ଟରେ ଆଶଙ୍କା ପ୍ରକାଶ ପାଇଛି।

ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି, ଇରାନ ଉପରେ ପୁଣି ଆକ୍ରମଣ କରିବା ନେଇ ଟ୍ରମ୍ପ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହାନ୍ତି। କୂଟନୈତିକ ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ଏବେ ବି ଖୋଲା ରହିଛି। ଟ୍ରମ୍ପ ମଧ୍ୟ କହିଛନ୍ତି, ଇରାନ ସହ ଆଲୋଚନା ଆଗକୁ ବଢ଼ୁଛି, କିନ୍ତୁ ତେହେରାନର ଭରସାଯୋଗ୍ୟତା ଉପରେ ତାଙ୍କର ସନ୍ଦେହ ରହିଛି। ଆମେରିକା ଏବେ ତରବରିଆ ଭାବେ ଆଉ ଏକ ଆକ୍ରମଣ କରିବାକୁ ଚାହୁଁନାହିଁ ବୋଲି ମଧ୍ୟ ସେ କହିଛନ୍ତି।

ତେବେ ଗୋଟିଏ ପଟେ ଆଲୋଚନାର କଥା, ଅନ୍ୟପଟେ ନୂଆ ଆକ୍ରମଣର ଧମକ। ଏଭଳି ସ୍ଥିତିରେ ଆମେରିକା-ଇରାନ ମଧ୍ୟରେ ପୁଣି ସାମରିକ ମୁହାଁମୁହିଁ ହେବ କି? ନା କୂଟନୈତିକ ଆଲୋଚନାରେ ଉତ୍ତେଜନା ଥମିବ…ତାହା ଉପରେ ଏବେ ସାରା ବିଶ୍ୱର ନଜର।

Leave A Reply

Your email address will not be published.