ଭୁବନେଶ୍ୱର : ଗୋଟିଏ ବ୍ୟକ୍ତି ଅଙ୍ଗ ଦାନ କଲେ ଅତି କମ୍ରେ ଆଠଟି ଜୀବନ ରକ୍ଷା ହୋଇପାରିବ ବୋଲି କିମସ ନେଫ୍ରୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡ. ନିକୁଞ୍ଜ କିଶୋର ରାଉତ କହିଛନ୍ତି।
ଅଗଷ୍ଟ ୧୩ ତାରିଖ ବିଶ୍ୱ ଅଙ୍ଗଦାନ ଦିବସ ପାଳନ ଅବସରରେ ଡା ରାଉତ କହିଛନ୍ତି ଅଙ୍ଗଦାନ କ୍ଷେତ୍ରରେ ସଚେତନତା ବୃଦ୍ଧି କରିବା ପାଇଁ ସ୍କୁଲ ଏବଂ କଲେଜ ସ୍ତରରେ ଏକ ସକ୍ରିୟ ଅଭିଯାନ ଚାଲୁ କରାଯିବା ସହିତ ଭବିଷ୍ୟତରେ ଅଙ୍ଗଦାନ ପାଇଁ ଇଚ୍ଛୁକ ବ୍ୟକ୍ତିବିଶେଷଙ୍କୁ ପ୍ରମାଣପତ୍ର ଦେଇ ଉତ୍ସାହିତ କରାଯିବା ଦରକାର।
ଏବେ କିମସ୍ ପକ୍ଷରୁ ମସ୍ତିଷ୍କ ମୃତ (ବ୍ରେନ୍ ଡେଡ୍) ରୋଗୀଙ୍କୁ ନେଇ ଏକ ଆକଳନ ଆରମ୍ଭ କରିଛି। କେଉଁମାନେ ଅଙ୍ଗଦାନ କରିପାରିବେ ସେ ନେଇ ପ୍ରତ୍ୟେକ ମାସରେ ତଥ୍ୟ ସଂଗ୍ରହ କରାଯାଉଛି । ନିକଟରେ କିମସ୍ ଡାକ୍ତରୀ ଦଳ ଜଣେ ମସ୍ତିଷ୍କ ମୃତ ଶିଶୁଠାରୁ ଦୁଇଟି ବୃକକ ସୁରକ୍ଷିତ ଭାବେ ବାହାର କରିଥିଲେ। ପରେ ତାହା ଏକ ଘରୋଇ ହସ୍ପିଟାଲରେ ଦୁଇଜଣ ବ୍ୟକ୍ତିଙ୍କଠାରେ ସଫଳ ପ୍ରତିରୋପଣ ହୋଇଥିଲା।
ସେହିପରି ଜୁଲାଇ ୩୧ ତାରିଖରେ ମଧ୍ୟ ଜଣେ ବ୍ୟକ୍ତିଙ୍କ ଆଖିର ସ୍ୱଚ୍ଛ ପଟଳ ସୁରକ୍ଷିତ ଭାବେ ବାହାର କରାଯାଇଥିଲା।
ଡାଇରେକ୍ଟୋରେଟ୍ ଅଫ ମେଡିକାଲ ଏଡୁକେସନ୍ ଆଣ୍ଡ ଟ୍ରେନିଂ (ଡିଏମ୍ଇଟି)ରୁ ଅନୁମତି ପାଇବାର ଏକ ମାସରୁ କମ୍ ସମୟରେ ମଧ୍ୟରେ କିମସ୍ ହସ୍ପିଟାଲ ମସ୍ତିଷ୍କ ମୃତ ରୋଗୀଙ୍କଠାରୁ ଅଙ୍ଗ ବାହାର କରିବାରେ ସଫଳତା ପାଇଛି। ଭବିଷ୍ୟତରେ ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ କିମସ୍ ସୁପର ସ୍ପେସିଆଲିଟି ହସ୍ପିଟାଲ ରାଜ୍ୟରେ ପ୍ରମୁଖ ଭୂମିକା ତୁଲାଇବ।
ବୃକକ ବ୍ୟତୀତ ଯକୃତର ଦୁଇଟି ଅଂଶ, ଗୋଟିଏ ହୃଦୟ, ଦୁଇଟି ଫସ୍ଫୁସ୍, ଅଗ୍ନାଶୟ, ଆଖିର ସ୍ୱଚ୍ଛପଟଳ, ଚର୍ମ ଏବଂ ଶରୀରର ଅନ୍ୟାନ୍ୟ ଅଂଶକୁ ଅଙ୍ଗ ପରିସର ଭୁକ୍ତ କଲେ ଏହାର ସଂଖ୍ୟା ଆହୁରି ଅଧିକ ହେବ। ଅଙ୍ଗଦାନ କ୍ଷେତ୍ରରେ ରୋଗୀର ପରିବାର ବର୍ଗ ନିଜ ପରିବାର ଲୋକକୁ ହରାଇବାର ଦୁଃଖ ସତ୍ତ୍ୱେ ଅନ୍ୟକୁ ସାହାଯ୍ୟ କରି ଜୀବନ ରକ୍ଷା କରିବାକୁ ଅଙ୍ଗଦାନ କରିବା ପାଇଁ ଆଗେଇ ଆସିବା ଦରକାର ବୋଲି ଡା ରାଉତ କହିଛନ୍ତି।
ଅଙ୍ଗଦାନ କ୍ଷେତ୍ରରେ ଆଗେଇ ଆସିବା କ୍ଷେତ୍ରରେ ଲୋକଙ୍କ ମାନସିକତା ପରିବର୍ତ୍ତନ କରିବା ପାଇଁ କିମସ ଏବଂ ଷ୍ଟେଟ୍ ଅରଗାନ୍ ଆଣ୍ଡ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ୍ (ଏସ୍ଓଟିଟିଓ) ମିଳିତ ସହଯୋଗରେ ମସ୍ତିଷ୍କ ମୃତ ରୋଗୀଙ୍କ ଚିହ୍ନଟ କରି କିମସ୍ ଏକ ଉତ୍ତମ ପ୍ରୟାସ ଆରମ୍ଭ କରିଛି।
ସାଧାରଣତଃ ଦୁର୍ଘଟଣାର ଶିକାର ହେଉଥିବା ଅଧିକାଂଶ ବ୍ୟକ୍ତି ମସ୍ତିଷ୍କ ମୃତ ରୋଗୀ ହୋଇଯାଇଥାନ୍ତି। ପରିବାର ବର୍ଗଙ୍କଠାରୁ ସମ୍ମତି ମିଳିଲେ ଅଙ୍ଗଦାନ କ୍ଷେତ୍ରରେ ପ୍ରମୁଖ ପରିବର୍ତ୍ତନ ଦେଖିବାକୁ ମିଳିପାରିବ। ଅନେକ ରୋଗୀ ନୂଆ ଜୀବନ ପାଇପାରିବେ।
ଏହା ଛଡ଼ା ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କ ପରିବାର ଏବଂ ଅଙ୍ଗ ଗ୍ରହଣ କରୁଥିବା ରୋଗୀର ପରିବାର ବର୍ଗ ଯେପରି କୌଣସି ଆଇନଗତ ସମସ୍ୟାର ସମୁଖୀନ ନ ହୁଅନ୍ତି ସେନେଇ ସରକାରୀ ଏବଂ ବେସରକାରୀ ସ୍ତରରେ ପ୍ରୟାସ ହେବା ଉଚିତ।
ଏଥି ସହ ଅଙ୍ଗ ଦାନ କରିଥିବା ରୋଗୀର ଶବ ବ୍ୟବଚ୍ଛେଦ ପରେ ତୁରନ୍ତ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବା ଉପରେ ଗୁରୁତ୍ୱ ଦିଆଗଲେ ଅଙ୍ଗଦାତାଙ୍କ ସଂଖ୍ୟାରେ ବୃଦ୍ଧି ଘଟିପାରିବ। ପ୍ରତ୍ୟେକ ବର୍ଷ ଅଗଷ୍ଟ ୧୩ ତାରିଖରେ ବିଶ୍ୱ ଅଙ୍ଗ ଦାନ ଦିବସ ପାଳନ କରାଯାଏ।
୧୯୫୪ ମସିହାରେ ପ୍ରଥମଥର ଯୁକ୍ତରାଷ୍ଟ୍ର ଆମେରିକାରେ ଅଙ୍ଗଦାନ, ପ୍ରତିରୋପଣ ଆଦି କାର୍ଯ୍ୟ ଆରମ୍ଭ ହୋଇଥିଲା। ମସ୍ତିଷ୍କ ମୃତ ରୋଗୀଙ୍କ ଅଙ୍ଗ ଦାନ କରାଇବା ନେଇ ହସ୍ପିଟାଲ, ସ୍ଵେଚ୍ଛାସେବୀ ସଂଗଠନ ଏବଂ ସରକାରୀ ଏଜେନ୍ସି ମଧ୍ୟରେ ସମନ୍ଵୟ ରହିବା ଦରକାର ବୋଲି ଡା ରାଉତ କହିଛନ୍ତି।
Comments are closed.