ଭୁବନେଶ୍ବର: ମାଷ୍ଟରକ୍ୟାଣ୍ଟିନ୍ ଛକରେ ହୋଇଥିବା ଉତ୍ତେଜନାପୂର୍ଣ୍ଣ ଆନ୍ଦୋଳନ ଓ ଗଣ୍ଡଗୋଳ ଘଟଣାରେ ଫେରାର ଅନଲାଇନ୍ ଅଟୋ ସଂଘର ସଭାପତି ଦୀନବନ୍ଧୁ ନାୟକଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ପୁରୀରୁ ତାଙ୍କୁ ଗିରଫ କରାଯାଇଥିବା ସୂଚନା ରହିଛି ।
ମାଷ୍ଟରକ୍ୟାଣ୍ଟିନଠାରେ ଅଟୋ ଚାଳକଙ୍କ ଆନ୍ଦୋଳନ ସମୟରେ ହୋଇଥିବା ହିଂସାକାଣ୍ଡର ନେତୃତ୍ୱ ଦୀନବନ୍ଧୁ ନେଇଥିଲେ। ଏହି ଘଟଣା ପରଠାରୁ ସେ ଫେରାର ହୋଇଯାଇଥିଲେ। ଦୀନବନ୍ଧୁଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଲଗାତାର ଆଡ୍ଡା ଉପରେ ଚଢ଼ଉ ଜାରି ରଖିଥିଲା । ଶେଷରେ ପୁରୀରୁ ତାଙ୍କୁ ବାନ୍ଧିବାରେ ପୋଲିସ ସଫଳ ହୋଇଛି।
ସୂଚନାଥାଉକି,ଆଜି ଦୀନବନ୍ଧୁ ନାୟକ ସୋସିଆଲ ମିଡିଆରେ ଏକ ଭିଡିଓ ବାର୍ତ୍ତା ଜାରି କରି ସାଧାରଣ ଜନତାଙ୍କୁ କ୍ଷମା ମାଗିଥିଲେ। ସେଦିନର ଅଘଟଣ ପାଇଁ ଦୁଃଖ ପ୍ରକାଶ କରିବା ସହ ଏଥିରେ କୌଣସି ରାଜନୀତି ନାହିଁ ବୋଲି ସେ ସ୍ପଷ୍ଟୀକରଣ ଦେଇଥିଲେ। ଏହାସହ ନିଜ ହକ୍ ପାଇଁ ଡ୍ରାଇଭରମାନେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇଥିଲେ ବୋଲି ସେ ଭିଡିଓରେ ସଫେଇ ଦେଇଥିଲେ ।
ଖବରମୁତାବକ, ମାଷ୍ଟରକ୍ୟାଣ୍ଟିନ୍ ଗଣ୍ଡଗୋଳ ଘଟଣାରେ ସମ୍ପୃକ୍ତ ୧୧୩ ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇସାରିଛି। ଖାରବେଳନଗର ଥାନାରେ ୭ଟି ମାମଲା ରୁଜୁ ହେବା ସହ ମୋଟ ୩୫୪ଟି ଗାଡ଼ିକୁ ଜବତ କରିଛି । ଘଟଣାରେ ସାମିଲ ଥିବା ଗାଡ଼ିଗୁଡ଼ିକର ପରମିଟ୍ ଏବଂ ଆରସି କାହିଁକି ବାତିଲ କରାଯିବନି, ସେ ନେଇ ରାଜ୍ୟ ପରିବହନ ବିଭାଗ ଗାଡ଼ି ମାଲିକମାନଙ୍କୁ ‘ଶୋ-କଜ୍’ ନୋଟିସ୍ ଜାରି କରିଛି।

