ଭୁବନେଶ୍ୱର: ସୈନିକ ସ୍କୁଲରେ ନାମ ଲେଖା ପାଇଁ ପ୍ରବେଶିକା ପରୀକ୍ଷା ନିମନ୍ତେ ଆଜି ଅନ୍ ଲାଇନ୍ ପଞ୍ଜୀକରଣ ଜାରି ହୋଇଛି । ଦେଶର ୩୩ଟି ସୈନିକ ସ୍କୁଲ୍ରେ ଷଷ୍ଠ ଓ ନବମ ଶ୍ରେଣୀରେ ନାମ ଲେଖା ନିମନ୍ତେ ଆସନ୍ତା ୨୧ ଜାନୁଆରୀ ୨୦୨୪ରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ଜାତୀୟ ପରୀକ୍ଷା ଏଜେନ୍ସି ପକ୍ଷରୁ ସର୍ବ ଭାରତୀୟ ପ୍ରବେଶିକା ପରୀକ୍ଷା ଆୟୋଜନ କରାଯାଉଛି । ପ୍ରବେଶିକା ପରୀକ୍ଷା ଦେଶର ୧୮୬ଟି ସହରରେ ଅନୁଷ୍ଠିତ ହେବ ।
୮ ନଭେମ୍ବର ୨୦୨୩ ଠାରୁ ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ ପଞ୍ଜୀକରଣ ଆରମ୍ଭ ହୋଇଥିବାବେଳେ, ୧୬ ଡିସେମ୍ବର ୨୦୨୩ ଶେଷ ତାରିଖ ରଖାଯାଇଛି । ଇଚ୍ଛୁକ ଛାତ୍ରଛାତ୍ରୀ ଓ ଅଭିଭାବକ ଏନଟିଏ ୱେବସାଇଟ୍ https://aissee.ntaonline.in/ରେ ଆବେଦନ କରି ପଞ୍ଜୀକରଣ କରିପାରିବେ ।
ଭୁବନେଶ୍ୱର ସୈନିକ ସ୍କୁଲ୍ରେ ଷଷ୍ଠ ଶ୍ରେଣୀରେ ୮୦ ଜଣ ଛାତ୍ର ୧୦ ଜଣ ଛାତ୍ରୀ ଏବଂ ନବମ ଶ୍ରେଣୀରେ ୧୫ ଜଣ ଛାତ୍ର ଓ ଜଣେ ଛାତ୍ରୀ ନାମ ଲେଖାଇପାରିବେ । ଷଷ୍ଠ ଶ୍ରେଣୀରେ ପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ବୟସ ୧୦ ରୁ ୧୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଅନ୍ୟପଟେ କୌଣସି ମାନ୍ୟତାପ୍ରାପ୍ତ ବିଦ୍ୟାଳୟରୁ ଅଷ୍ଟମ ଶ୍ରେଣୀ ଉତ୍ତୀର୍ଣ୍ଣ ୧୩ ରୁ ୧୫ ବର୍ଷର ଛାତ୍ରଛାତ୍ରୀ ସୈନିକ ସ୍କୁଲରେ ନବମ ଶ୍ରେଣୀରେ ନାମ ଲେଖାଇପାରିବେ ।
Comments are closed.