Latest Odisha News

ବିପଦର ନାଁ ମୁକୁଳା ଡ୍ରେନ୍: ଚୁପ୍ ବସିଛି ପ୍ରଶାସନ !

Open drain is inviting danger but the administration is silent

ନୁଆପଡ଼ା: ମୁକୁଳା ଡ୍ରେନ୍ ବିପଦକୁ କରୁଛି ଆମନ୍ତ୍ରଣ । ଅନେକ ଦୁର୍ଘଟଣା ଘଟୁଥିବା ବେଳେ ପ୍ରଶାସନ କିନ୍ତୁ ଚୁପ୍ ବସିଛି । ନୂଆପଡା ଜିଲ୍ଲା ଖଡ଼ିଆଳ ସହର ଦେଇ  ଯାଇଥିବା ଖଡ଼ିଆଳ-ସିନାପାଲି ମୁଖ୍ୟ ରାସ୍ତାର ଡ୍ରେନ ମୁକୁଳା  ପଡ଼ିଛି । ଏନେଇ ଅନେକ ସମୟରେ ଲୋକେ ଦୁର୍ଘଟଣାର ଶିକାର ହୋଇଥିବା ଘଟଣା ସାମ୍ନାକୁ ଆସିଛି । ୧୫ ବର୍ଷ ତଳେ ରାସ୍ତା କାମ ହୋଇଥିଲା ବେଳେ ଡ୍ରେନ ନିର୍ମାଣ କରି ସେଥିରେ ଢ଼ାଙ୍କୁଣୀ ଦେବାକୁ ଭୁଲିଯାଇ ପୁର୍ତ୍ତ ବିଭାଗ ଆଜି ପର୍ଯ୍ୟନ୍ତ ଚୁପ୍ ବସିଛି । ମୁକୁଳା ଡ୍ରେନ୍ ବାଟ ଦେଇ ଶହଶହ ଗାଡି ମୋଟର ଯାତାୟତ କରୁଥିବା ବେଳେ ସାଧାରଣ ଲୋକ ଓ କୁନି କୁନି ଛାତ୍ରଛାତ୍ରୀମାନେ ଡରି ଡରି ଯିବା ଆସିବା କରୁଛନ୍ତି । ଯଥାଶୀଘ୍ର ଡ୍ରେନ୍ ଉପରେ ସ୍ଲାପ୍ କିମ୍ବା ଢାଙ୍କୁଣୀ ଦିଆ ଯାଉ ବୋଲି ଦାବୀ କରିଛନ୍ତି ସହର ବାସୀ ।

ଖଡ଼ିଆଳ-ସିନାପାଲି ମୁଖ୍ୟ ରାସ୍ତାରେ ଦୈନନ୍ଦିନ ହଜାର ହଜାର ଗାଡି ମୋଟର ସାଙ୍ଗକୁ ସ୍କୁଲ କଲେଜ ପିଲାମାନେ ମଧ୍ୟ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ୧୫ ବର୍ଷ ତଳେ ପୂର୍ତ୍ତ ବିଭାଗ ଦ୍ୱରା ଏହି ରାସ୍ତା ନିର୍ମାଣ ହୋଇଥିଲା । ତତ୍କାଳୀନ ଠିକାଦାର ଓ ଯନ୍ତ୍ରୀ, ଡ୍ରେନ ନିର୍ମାଣ କରି ସେଥିରେ ଢ଼ାଙ୍କୁଣୀ ଦେବାକୁ ଭୁଲିଗଲେ। ସେବେଠାରୁ ସେଠାରେ ଅନେକ ଛୋଟ ବଡ଼ ଦୁର୍ଘଟଣା ଘଟିବା ସହିତ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତା ସହ ମିଶି ଯାଇଥିବା ଏହି ଡ୍ରେନ୍ ପାଦ ପାଦରେ ବିପଦକୁ ଆମନ୍ତ୍ରଣ କରୁଛି । ତିନି ଫୁଟ ଓସାର ଓ ତିନି ଫୁଟ ଗଭୀର ଏହି ଡ୍ରେନର ଦୃଶ୍ୟ ଅତି ଭୟାନକ । ବିପଦ ସଙ୍କୁଳ ରାସ୍ତାରେ ଯାତାୟତ କରୁଛନ୍ତି ସହରବାସୀ । ବିଶେଷ କରି ରାସ୍ତା କଡରେ ଦୋକାନ ବଜାର ସାଙ୍ଗକୁ ପାଖରେ ଲାଗି ରହିଛି ସାପ୍ତାହିକ ବଜାର । ସପ୍ତାହିକ ବଜାର ଦିନ ଏଠାରେ ନାହିଁନଥିବା ଭିଡ଼ ହୋଇଥାଏ । ଖଡ଼ିଆଳ ଅଞ୍ଚଳର ହଜାର ହଜାର ଲୋକେ ରାସ୍ତା କଡ଼ରେ ଥିବା ସେହି ଦୋକାନ ବଜାର ଉପରେ ନିର୍ଭର କରୁଥିବା ବେଳେ ଟିକେ ଅସାବଧାନତାରେ ଦୁର୍ଘଟଣାର ଶିକାର ହେଉଥିବା ନେଇ ଅଞ୍ଚଳ ବାସୀ କହିଛନ୍ତି । ବାରମ୍ବାର ପ୍ରଶାସନ କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଅଧିକାରୀ କିମ୍ବା କର୍ମଚାରୀ ଏଥି ପ୍ରତି ଦୃଷ୍ଟି ଦେଉନାହାଁନ୍ତି ବୋଲି ସ୍ଥାନୀୟ ବାସୀନ୍ଦା କହିଛନ୍ତି ।

ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସମେତ ନେତା ମନ୍ତ୍ରୀ ସମସ୍ତେ ଏହି ରାସ୍ତା ଦେଇ ଯାତାୟାତ କରୁଛନ୍ତି । ହେଲେ ରାସ୍ତା ଉପରେ କାହାରି ନଜର ପଡ଼ୁନି। ପଖାପାଖି ଗାଟେ କିଲୋମିଟର ଯାଏ ଲମ୍ବି ଥିବା ଏହି ଡ୍ରେନ ଦେଖିଲେ ଭୟ ଲାଗୁଛି । ଖଡ଼ିଆଳ ଆଉଟ ପୋଷ୍ଟ ପାଖରୁ ସାପ୍ତାହିକ ବଜାର ଯାଏ ଲମ୍ବି ଥିବା ଏହି ଡ୍ରେନ କଡ଼ ରେ ଦୋକାନ ବଜାର ସାଙ୍ଗ କୁ ଲୋକଙ୍କ ଘର ରହିଛି । ପ୍ରଶାସନ ସବୁ ଜାଣିଛି । ହେଲେ ସ୍ଥାନୀୟ ଅଧିକାରୀ  ଓ ନେତାମନ୍ତ୍ରୀଙ୍କ ଆନ୍ତରିକତାର ଅଭାଵ ଯୋଗୁଁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ଖଡ଼ିଆଳ ଏନ୍.ଏ.ସିର ୧୦ ଓ ୧୧ ନମ୍ବର ୱାର୍ଡ ବାସୀ ଅସୁବିଧା ଭୋଗ କରୁଛନ୍ତି ।  ଏ ବାବଦରେ ଖଡ଼ିଆଳ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଶଶାଙ୍କ ଶେଖର ଶୁକ୍ଲାଙ୍କୁ ପଚରାଯିବାରୁ ସେ କହିଥିଲେ ଯେ, ମୁଁ ନୂଆ ଆସିଛି ଓ ଏ ବିଷୟକୁ ନେଇ ମୋ ପାଖରେ କୌଣସି ଖବର ନଥିଲା । ଖବର ପାଇବା ପରେ  ଯଥା ଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଛନ୍ତି । ଏବେ ଦେଖିବାକୁ ବାକି ରହିଲା ଯେ ଏହି ସମସ୍ୟାର ସମାଧାନ କେବେ ହେଉଛି ।

Comments are closed.