ନିଜ ଭିତରକୁ ଆଖି ଖୋଲୁ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’…

ଗୋଟେ ଡଙ୍ଗାର ଚାରିପଟେ ଥିବା ପାଣି ପାଇଁ ଡଙ୍ଗାଟି ବୁଡ଼ିଯାଏ ନାହିଁ, ଡଙ୍ଗା ଭିତରେ ଥିବା ପାଣି ପାଇଁ ହିଁ ଡଙ୍ଗାଟି ବୁଡ଼ିଯାଏ । ସେହିପରି ଆମ ଚାରିପଟେ ହେଉଥିବା ଘଟଣା ସବୁ ପାଇଁ ଆମେ ଯେତିକି ଅସୁବିଧାରେ ପଡ଼ୁନାହିଁ, ଆମ ଭିତରେ ଘଟୁଥିବା ଘଟଣା ଯୋଗୁ ଆମେ ଅଧିକ ଅସୁବିଧାରେ ପଡ଼ିଥାଉ । ଯେତେବେଳେ ଆମେ ସମସ୍ୟାଗୁଡ଼ିକ ଉପରେ ଅଧିକ ଧ୍ୟାନ ଦେଉ, ସେତେବେଳେ ଆମକୁ ବହୁତ ସମସ୍ୟା ଦେଖାଯାଏ । ଯେତେବେଳେ ଆମେ ସୁଯୋଗ ପ୍ରତି ଧ୍ୟାନ କେନ୍ଦ୍ରିତ କରୁ ସେତେବେଳେ ଅଧିକରୁ ଅଧିକ ସୁଯୋଗ ସୃଷ୍ଟି ହୁଏ ।

କିଛି ଲୋକ ନିଜ ଜୀବନ କାହାଣୀକୁ ଦୁଃସାହାସିକଭରା କରିବା ପାଇଁ ସମୁଦ୍ରରେ ପହଁରନ୍ତି, ପାହାଡ଼ ଚଢ଼ନ୍ତି ବା କଷ୍ଟପ୍ରଦ କାମ ସବୁ କରନ୍ତି । କିନ୍ତୁ ସବୁଠାରୁ ଅଧିକ ଦୁଃସାହସିକ କାର୍ଯ୍ୟ ହେଉଛି ନିଜକୁ ଜାଣିବା । ନିଜ ଆଭ୍ୟନ୍ତର ବିଷୟରେ ଯାହା ସତ ତାକୁ ଠିକ୍ ସେହି ଭାବେ ଜାଣିପାରିବା ହିଁ ହେଉଛି ଦୁନିଆର ସବୁଠାରୁ ଦୁଃସାହସିକ କାର୍ଯ୍ୟ । ଆମେ କେବେ ନିଜକୁ ଜାଣିବାକୁ ଚେଷ୍ଟା କରିଛେ କି? ବାସ୍ତବରେ ଆମର ନିଜ ସହିତ ସେପରି ସଂପର୍କ ହିଁ ସ୍ଥାପନ ହୋଇନାହିଁ, ଯାହା ଦ୍ୱାରା ଆମେ ନିଜକୁ ଜାଣିପାରିବା । ଆମେ ତ ସବୁବେଳେ ନିଜକୁ ଅନ୍ୟ ଆଖିରେ ଦେଖିବାରେ ଅଭ୍ୟସ୍ତ । ଅନ୍ୟମାନେ ଆମ ବିଷୟରେ କ’ଣ ଭାବୁଛନ୍ତି, କ’ଣ କହୁଛନ୍ତି ବା ଅନ୍ୟମାନେ କିପରି ଆମକୁ ଅଧିକ ଭଲ ପାଇବେ, ସମ୍ମାନ କରିବେ, ଆମେ ସବୁବେଳେ ସେହିଥିରେ ବ୍ୟସ୍ତ । ନିଜକୁ ଚିହ୍ନିବା ପାଇଁ, ଜାଣିବା ପାଇଁ ଆମେ ସମୟ ଦେଉଛୁ କେତେବେଳେ? ସମାଜ ବା ବାହ୍ୟଜଗତ ଯେଉଁ ମାପ ଫିତା ତିଆରି କରିଛି ସେହି ମାପ ଫିତାରେ ଆମ ପଡ଼ୋଶୀ ମାନଙ୍କ ଦ୍ୱାରା ଓ ଆମ ସହକର୍ମୀ ବା ସାଙ୍ଗମାନଙ୍କ ଦ୍ୱାରା ଆମେ ନିଜ ବିଷୟରେ ଜାଣୁଛେ । ଆମେ ନିଜକୁ ଜାଣିବା ପାଇଁ କେବେ ବି ନିଜ ଆଖିକୁ ନିଜ ଭିତରକୁ ନେଇନାହୁଁ ।

ଆମ ସମସ୍ତଙ୍କୁ ଏକୁଟିଆ ରହିବାକୁ ଭୀଷଣ ଭୟ ଲାଗେ ବା ବୋର୍ ଲାଗେ । ତାହାର କାରଣ କେବେ ଆମେ ଖୋଜିବାକୁ ଚେଷ୍ଟା କରିଛେ କି? ଏକୁଟିଆ ରହିଲେ ନିଜ ସହ ନିଜର ଭେଟ ହୋଇଯାଏ । ଅର୍ଥାତ୍ ନିଜ ଭିତରେ ଥିବା ଦୋଷ ଗୁଣ ଆମ ସମ୍ମୁଖରେ ଉଜାଗର ହୋଇଯାଏ । ଯାହାକୁ ଦେଖିବାକୁ ଆମେ କେବେ ଚାହୁଁନା କି ଆମେ ଅଭ୍ୟସ୍ତ ବି ନୋହୁଁ । ତେଣୁ ଆମେ ସବୁବେଳେ ଆଉ ଜଣେ ମଣିଷ ବା ବାହ୍ୟ ଦୃଷ୍ଟିଟିଏ ଖୋଜୁଥାଉ ଆମକୁ ଦେଖିବା ପାଇଁ । ଆମେ ଚାହୁଁ ଆମେ ଅନ୍ୟକୁ ଦେଖିବୁ ଓ ଅନ୍ୟ ଜଣେ ବି ଆମକୁ ଦେଖୁ । କେହି ବି ନିଜକୁ ଦେଖିବାର ଦୁଃସାହସ କରୁନାହାନ୍ତି ।

ଅନ୍ୟମାନେ ଆମକୁ ଭଲ କହିପାରନ୍ତି, କିନ୍ତୁ ଆମେ ଯଦି ନିଜ ଦୃଷ୍ଟିରେ ନିଜକୁ ଭଲ କହୁନଥିବା ତେବେ ଅନ୍ୟମାନେ ଯେତେ କହିଲେ ବି ଆମ ଅନ୍ତଃସତା କେବେ ବି ସନ୍ତୁଷ୍ଟ ହୋଇପାରିବ କି? ଦିନ ସାରା ଆମେ ଯେତେ ପ୍ରଶଂସା ପାଇଲେ ବି, ଯେତେ ସମ୍ମାନ ପାଇଲେ ବି ରାତିକୁ ଶୋଇବା ବେଳକୁ ଯଦି ଆମେ ଶାନ୍ତି ଅନୁଭବ କରିପାରୁ ନାହୁଁ ତାହେଲେ ଏହି ବାହ୍ୟ ପ୍ରଶଂସାରୁ ବା କ’ଣ ଲାଭ! ତେଣୁ ପ୍ରତ୍ୟେକ ପରିସ୍ଥିତିରେ ନିଜକୁ ଦେଖିପାରିବା ତଥା ନିଜର ଦୋଷ ଗୁଣକୁ ଚିହ୍ନି ତାକୁ ଦୂର କରିବା ପାଇଁ ପ୍ରୟାସ କରିବା ହିଁ ଅସଲ ପଦକ୍ଷେପ ହେବା ଉଚିତ୍ । ଅନ୍ୟ ଅର୍ଥରେ କହିଲେ ତେତିଶ୍ କୋଟି ଦେବତାଙ୍କ ବିଷୟରେ ଜାଣିବା, ତାଙ୍କ ଆଲୌକିକ କାର୍‌ନାମା ଜାଣିବା ତଥା ତାଙ୍କ ପୂଜାବିଧି, ପ୍ରାର୍ଥନା ଜାଣିବା ଅପେକ୍ଷା ନିଜକୁ ଜାଣିବା ହିଁ ଅସଲ ଆଧ୍ୟାତ୍ମିକତା । ଅର୍ଥାତ୍ ନିଜକୁ ଭଲ ଭାବେ ଚିହ୍ନିବା ଯଥା କେତେବେଳେ ମୋତେ ରାଗ ଲାଗୁଛି, କେତେବେଳେ ମୋତେ ଅସ୍ଥିର ଲାଗୁଛି, କେତେବେଳେ ମୋତେ ବାସ୍ତବିକ ଖୁସି ଲାଗୁଛି ଓ ଅନ୍ୟର ସଫଳତା ଦେଖି କେମିତି ମୋତେ ଇର୍ଷାନ୍ୱିତ ଲାଗୁଛି ଆଦି ନିଜ ବିଷୟରେ ଜାଣିବା ହିଁ ଅସଲ ଆଧ୍ୟାତ୍ମିକତା । ସେସବୁକୁ ଜାଣି ସେସବୁରୁ ନକରାତ୍ମକତାକୁ ଦୂର କରି ସକରାତ୍ମକତା ଦିଗରେ ଯାତ୍ରା କରିବା ହିଁ ଆଧ୍ୟାତ୍ମିକତା ପଥରେ ଯାତ୍ରା । ଆମ ଶରୀରକୁ ଆରାମ୍ ପ୍ରଦାନ କରିବା ପାଇଁ ଆମେ ଅନକେ ସମୟ ଅପଚୟ କରୁଛେ ହେଲେ ଆମ ଅନ୍ତଃକରଣକୁ ଶାନ୍ତି ଦେବା ପାଇଁ ଆମେ କେବେ ସମୟ ଦେଉଛେ କି? ଏଥିପାଇଁ ଆମକୁ ନିଜ ଭିତରକୁ ଦେଖିବାକୁ ହେବ । ଆମ ମନର ବିଭିନ୍ନ କ୍ରିୟା ପ୍ରତିକ୍ରିୟା ପ୍ରତି ସଚେତନ ହେବାକୁ ହେବ ।

ନିଜକୁ ଚିହ୍ନିବାରୁ ନିବୃତ ରହି ବାସ୍ତବରେ ଆମେ ଅନେକ ସମୟରେ ନିଜ ସହିତ ହିଁ ଛଳନା କରୁଛେ । ଯଦି ଆମେ ନିରେଖି ଦେଖିବା ତେବେ ପାଇବା ଯେ, ବାହାରର ଭୟ ଯୋଗୁ ଆମେ ଯେତିକି ଡ଼ରୁନା ତା ଠାରୁ ଅଧିକ ଡରୁ ନିଜ ଭିତରେ ସାଇତା ହୋଇଥିବା ଭୟ ଯୋଗୁ । ଯେହେତୁ ଆମେ କେବେ ନିଜକୁ ଦେଖୁନା ତେଣୁ ଆମେ ସବୁବେଳେ ବାହାରର ଭୟକୁ ଦମନ କରିବା ପାଇଁ ଚେଷ୍ଟା କରୁ । କିନ୍ତୁ ଅସଲ ଭୟ ତ ଆମ ନିଜ ଭିତରେ ଆରାମ୍‌ରେ ବସିଥାଏ । ଆମେ ଯେହେତୁ ବାହାରକୁ ଦେଖିବାରେ ହିଁ ଅଭ୍ୟସ୍ତ, ତେଣୁ ଆମ ଭିତରେ ଥିବା ଶକ୍ତି ଓ ସାମର୍ଥ୍ୟକୁ ବି ଆମେ ଦେଖିପାରୁ ନାହିଁ । ତେଣୁ ପରିସ୍ଥିତି ସମ୍ମୁଖରେ ଆମେ ନିଜକୁ ଦୁର୍ବଳ ମନେକରୁ । ଯେତେବେଳେ ଆମେ ଶକ୍ତି ଓ ସାମର୍ଥ୍ୟର ସହିତ ପରିସ୍ଥିତିକୁ ସାମ୍‌ନା କରିବାକୁ ଆରମ୍ଭ କରୁ ସେତେବେଳେ ଧିରେ ଧିରେ ଆମ ଭିତରେ ବିଶ୍ୱାସର ଦୀପଟିଏ ଜଳିଉଠେ । ସେହି ବିଶ୍ୱାସ ହିଁ ଆମକୁ ସଫଳତା ଦିଗରେ ବାଟ କଢ଼ାଏ । ଆଜିର ସୂଚନା ପ୍ରଯୁକ୍ତି ଯୁଗରେ ଆମେ ଅଧିକରୁ ଅଧିକ ବାହ୍ୟମୂଖୀ ହୋଇ ନିଜ ଭିତରକୁ ଦେଖିବା ଭୂଲି ଯାଉଛେ ।

ଯଦି ନିଜ ସହିତ ଆମର ସଂଯୋଗ ଥାନ୍ତା ତେବେ ଆମ ଭିତରେ ଥିବା ଶକ୍ତିକୁ ଆମେ ଚିହ୍ନିପାରି ପରିସ୍ଥିତିକୁ ଅଧିକ ପ୍ରସ୍ତୁତିର ସହିତ ସାମ୍‌ନା କରିପାରନ୍ତେ । ସୂଚନା ପ୍ରଯୁକ୍ତି ଗୁରୁତ୍ୱପୂର୍ଣ୍ଣ ଅଟେ କିନ୍ତୁ ନିଜ ଭିତରକୁ ଚିହ୍ନିବା ବା ଜାଣିବା ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ନିଜ ଭିତରେ ହିଁ ଶାନ୍ତି ଅନୁଭବ କରିବା ଏକାନ୍ତ ଜରୁରୀ ଅଟେ । ଏହି ଶାନ୍ତି ଅଧିକ ରୋଜଗାର, ସମ୍ମାନ ବା କାର୍ଯ୍ୟର ସିଦ୍ଧିରେ ନଥାଏ, ଏହା ନିଜ ଭିତରେ ଥାଏ । ଏହକୁ ଅନୁଭବ କରିବା ପାଇଁ ଆମ ଅନ୍ତଃଚକ୍ଷୁକୁ ନିଜ ଦିଗରେ ପ୍ରସାରିତ କରିବାକୁ ହେବ । ଆମେ ପ୍ରଥମେ ନିଜକୁ ଚିହ୍ନି ନିଜକୁ ନିୟନ୍ତ୍ରଣ କରିବାକୁ ସକ୍ଷମ ହୋଇପାରିଲେ ହିଁ ବାହ୍ୟ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ଅଧିକ ସଫଳ ହୋଇପାରିବା ।

ଭିରଙ୍ଗ, ତୀରଣ, ଜଗତ୍‌ସିଂହପୁର-୭୫୪୧୩୮