Latest Odisha News

BREAKING NEWS

ଅପରେସନ ସିନ୍ଦୂର ପାକିସ୍ତାନକୁ କେତେ କ୍ଷତି ପହଞ୍ଚାଇଛି? ପ୍ରତିରକ୍ଷା ମନ୍ତ୍ରାଳୟ କଲା ବଡ଼ ଖୁଲାସା

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରାଳୟ ବୁଧବାର କହିଛି ଯେ ‘ଅପରେସନ ସିନ୍ଦୂର’ ଭାରତର ପ୍ରତିରକ୍ଷା ଶକ୍ତି ଏବଂ ବୈଷୟିକ ଦକ୍ଷତାରେ ହୋଇଥିବା ବୃଦ୍ଧିକୁ ପ୍ରଦର୍ଶନ କରିଛି। ଭାରତୀୟ ସେନା ସୀମା ଅତିକ୍ରମ ନକରି ପାକିସ୍ତାନରେ ଆତଙ୍କବାଦୀ ଅଡ୍ଡାଗୁଡ଼ିକ ଉପରେ ଆକ୍ରମଣ କରି ସେଗୁଡ଼ିକୁ ଧ୍ବଂସ କରିଦେଇଛି। ମନ୍ତ୍ରାଳୟ କହିଛି ଯେ ଏହି ଅଭିଯାନରେ ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥା ଶତ୍ରୁର ବୈଷୟିକ ଶକ୍ତିକୁ ନଷ୍ଟ କରିବାର ପ୍ରମାଣ ମିଳିଛି, ଯେଉଁଥିରେ ଚୀନ ନିର୍ମିତ ପିଏଲ-୧୫ ମିସାଇଲ ଏବଂ ତୁର୍କୀର ‘ୟୀହା’ ନାମକ ମାନବରହିତ ବିମାନ (ୟୁଏଭି)ର ଖଣ୍ଡବିଖଣ୍ଡିତ ଅଂଶ ମିଳିଛି। ପ୍ରତିରକ୍ଷା ମନ୍ତ୍ରାଳୟ ଅପରେସନ ସିନ୍ଦୂରକୁ ସାମରିକ ଅଭିଯାନରେ ବୈଷୟିକ ଆତ୍ମନିର୍ଭରତା ହାସଲ କରିବା ଦିଗରେ ଭାରତର ଯାତ୍ରାରେ ଏକ “ମାଇଲଷ୍ଟୋନ” ବୋଲି ଅଭିହିତ କରିଛି।

୭ ମେରେ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଆତଙ୍କବାଦୀ ଅଡ୍ଡାଗୁଡ଼ିକ ଉପରେ ଆକ୍ରମଣକୁ ଇଙ୍ଗିତ କରି ମନ୍ତ୍ରାଳୟ କହିଛି ଯେ ଭାରତୀୟ ବାୟୁସେନା ପାକିସ୍ତାନକୁ ଚୀନରୁ ପ୍ରାପ୍ତ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ଅଚଳ କରିଦେଇଥିଲା ଏବଂ ମାତ୍ର ୨୩ ମିନିଟ୍‌ରେ ଅଭିଯାନ ସମ୍ପୂର୍ଣ୍ଣ କରି ଭାରତର ବୈଷୟିକ ଶକ୍ତିରେ ହୋଇଥିବା ବିଶେଷ ଉନ୍ନତିକୁ ପ୍ରମାଣିତ କରିଛି। ଅପରେସନର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ ସେନା, ନୌସେନା ଏବଂ ବାୟୁସେନାର ବିଭିନ୍ନ ବ୍ୟବସ୍ଥାରେ ସଜ୍ଜିତ ଭାରତର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଅସାଧାରଣ ସମନ୍ବୟ ସହ କାର୍ଯ୍ୟ କରି ଏକ ଅଭେଦ୍ୟ ପ୍ରାଚୀର ଗଢ଼ିଥିଲା।  ଯାହା ପାକିସ୍ତାନର ଅଧିକାଂଶ ପ୍ରତିଆକ୍ରମଣକୁ ବିଫଳ କରିଦେଇଥିଲା। ମନ୍ତ୍ରାଳୟ କହିଛି, “ଅପରେସନ ସିନ୍ଦୂର ଅସମତୁଲ ଯୁଦ୍ଧର ଉଭା ହେଉଥିବା ସ୍ବରୂପ ବିରୁଦ୍ଧରେ ଏକ ଯୋଜନାବଦ୍ଧ ସାମରିକ ପ୍ରତିକ୍ରିୟା ଭାବେ ଉଭା ହୋଇଛି, ଯେଉଁଥିରେ ସୈନ୍ୟ ସହ ନିରସ୍ତ୍ର ନାଗରିକମାନଙ୍କୁ ମଧ୍ୟ ନିଶାନା କରାଯାଉଛି।”

ପ୍ରତିରକ୍ଷା ମନ୍ତ୍ରାଳୟ କହିଛି, “ଏପ୍ରିଲରେ ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଏହି ପରିବର୍ତ୍ତନ ଆଡ଼କୁ ଦୃଷ୍ଟି ଆକର୍ଷଣ କରିଥିଲା। ଭାରତର ପ୍ରତିକ୍ରିୟା ସୁଚିନ୍ତିତ, ସଠିକ୍ ଏବଂ ରଣନୀତିଗତ ଥିଲା।” ଏହି ଅଭିଯାନରେ ରଣନୈତିକ ସହ ଜାତୀୟ ସୁରକ୍ଷା ପାଇଁ ସ୍ବଦେଶୀ ବୈଷୟିକ ବ୍ୟବସ୍ଥାର ନିରବଚ୍ଛିନ୍ନ ଏକୀକରଣ ମଧ୍ୟ ଦେଖିବାକୁ ମିଳିଛି। ‘ଅପରେସନ ସିନ୍ଦୂର’ ସାମରିକ ଅଭିଯାନରେ ବୈଷୟିକ ଆତ୍ମନିର୍ଭରତା ହାସଲ କରିବା ଦିଗରେ ଭାରତର ଏକ ଐତିହାସିକ ପଦକ୍ଷେପ ହୋଇଛି। ମନ୍ତ୍ରାଳୟ ଆହୁରି କହିଛି ଯେ ଭାରତର ଆକ୍ରମଣାତ୍ମକ ହମଲା ପାକିସ୍ତାନର ଗୁରୁତ୍ବପୂର୍ଣ୍ଣ ବାୟୁସେନା ଘାଟି ନୂର ଖାନ ଏବଂ ରହିମୟାର ଖାନକୁ ଟାର୍ଗେଟ କରିଥିଲା। ଡ୍ରୋନ ସମେତ ଅନ୍ୟାନ୍ୟ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଇଥିଲା, ଯେଗୁଡ଼ିକ ଶତ୍ରୁର ରାଡାର ଏବଂ ମିସାଇଲ ବ୍ୟବସ୍ଥା ଭଳି ଉଚ୍ଚ-ମୂଲ୍ୟ ଲକ୍ଷ୍ୟଗୁଡ଼ିକୁ ଟାର୍ଗେଟ କରି ଧ୍ବଂସ କରିଥିଲା।

ମନ୍ତ୍ରାଳୟ କହିଛି ଯେ ଶତ୍ରୁର ବିପଦକୁ ମୁକାବିଲା କରିବା ପାଇଁ ମାନବରହିତ ବିମାନ ବ୍ୟବସ୍ଥା, ଇଲେକ୍ଟ୍ରୋନିକ ଉପକରଣ, ବାୟୁ ପ୍ରତିରକ୍ଷା ଅସ୍ତ୍ରଗୁଡ଼ିକୁ ମୁତୟନ କରାଯାଇଥିଲା। ବହୁସ୍ତରୀୟ ପ୍ରତିରକ୍ଷା ବ୍ୟବସ୍ଥା ୯-୧୦ ମେ ମଧ୍ୟରାତ୍ରିରେ ଭାରତୀୟ ବିମାନବନ୍ଦର ଏବଂ ଲଜିଷ୍ଟିକ ପ୍ରତିଷ୍ଠାନଗୁଡ଼ିକ ଉପରେ ପାକିସ୍ତାନୀ ବାୟୁସେନାର ଆକ୍ରମଣକୁ ବିଫଳ କରିଦେଇଥିଲା। ମନ୍ତ୍ରାଳୟ କହିଛି, “ଗତ ଦଶନ୍ଧି ଧରି ସରକାରୀ ନିବେଶ ଦ୍ବାରା ବିକଶିତ ଏହି ବ୍ୟବସ୍ଥାଗୁଡ଼ିକ ‘ଅପରେସନ ସିନ୍ଦୂର’ ସମୟରେ ଶକ୍ତି ବୃଦ୍ଧିକାରୀ ପ୍ରମାଣିତ ହୋଇଛି।”

ମନ୍ତ୍ରାଳୟ ଅନୁସାରେ, ଏହି ବ୍ୟବସ୍ଥାଗୁଡ଼ିକ ଶତ୍ରୁର ପ୍ରତିଆକ୍ରମଣ ସମୟରେ ସମଗ୍ର ଭାରତରେ ନାଗରିକ ଏବଂ ସାମରିକ ଭିତ୍ତିଭୂମିରେ ବଡ଼ ଧରଣର କ୍ଷୟକ୍ଷତି ନହେବା ନିଶ୍ଚିତ କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସମସ୍ତ ଆକ୍ରମଣ ଭାରତୀୟ ଅସ୍ତ୍ରଶସ୍ତ୍ର ଓ ବ୍ୟବସ୍ଥାକୁ କୌଣସି କ୍ଷତି ନକରି ସମ୍ପନ୍ନ ହୋଇଛି, ଯାହା ଆମ ନିରୀକ୍ଷଣ, ଯୋଜନା ଏବଂ ବିତରଣ ବ୍ୟବସ୍ଥାର ପ୍ରଭାବଶାଳୀତାକୁ ଦର୍ଶାଉଛି।

 

Comments are closed.