Latest Odisha News

BREAKING NEWS

‘ବିଜେପି ଟାର୍ଗେଟରେ’, ବିରୋଧୀ ହଟାଇବେ ନା ହଟିବେ ?

ଭୁବନେଶ୍ୱର: ବିରୋଧୀ ବିଜେପି ମୁହାଁମୁହିଁ। କେହି କାହାକୁ ଛାଡିବା ଅବସ୍ଥାରେ ନାହାଁନ୍ତି। ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ଏବେ ଲଢେଇ ଆରମ୍ଭ ହୋଇଗଲାଣି। ଦେଶର ବିଭିନ୍ନ ରାଜ୍ୟରେ ଏଭଳି ସ୍ଥିତି ଦେଖିବାକୁ ମିଳୁଛି।

ଯେଉଁ ରାଜ୍ୟରେ ଶକ୍ତ ଆଞ୍ଚଳିକ ଦଳ ଅଛନ୍ତି ଓ ବିଜେପିକୁ କଡା ବିରୋଧ କରୁଛନ୍ତି ସେ ସବୁ ଦଳ ଗୁଡିକୁ ବିଜେପି ଟାର୍ଗେଟ କରୁଥିବା ବେଳେ ବିରୋଧୀମାନେ ମଧ୍ୟ ଏଥର ଏକାଠି ହୋଇ ବିଜେପିକୁ କଡା ଜବାବ ଦେବାକୁ ସବୁ ଶକ୍ତି ଲଗାଇ ଦେଇଛନ୍ତି।

ବିରୋଧୀ ଏକତା ପାଇଁ ବିଭିନ୍ନ ପ୍ରମୁଖ ଦଳର ମୁଖ୍ୟମାନେ ଉଦ୍ୟମ କରୁଥିବା ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହାକୁ ବ୍ୟାପକ କରିଛନ୍ତି। ନୀତିଶ କୁମାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଓ ରାହୁଲ ଗାନ୍ଧୀଙ୍କ ସମେତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୂର୍ବରୁ ଭେଟିଥିବା ବେଳେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି।

କିନ୍ତୁ ପୂର୍ବରୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ବିଆରଏସ ମୁଖ୍ୟ କେସିଆର, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ପ୍ରମୁଖ ବିରୋଧୀ ଏକତା ପାଇଁ ଉଦ୍ୟମ କରିଛନ୍ତି। ପୂର୍ବରୁ ଏଭଳି ଅନେକ ଉଦ୍ୟମ ହୋଇଥିବା ବେଳେ କଂଗ୍ରେସ ମଧ୍ୟ ବିରୋଧୀଙ୍କୁ ଏକ କରିବାକୁ ଉଦ୍ୟମ କରିଛି। କିନ୍ତୁ ଏହି ଉଦ୍ୟମ ସବୁ ସଂପୂର୍ଣ୍ଣ ସଫଳ ହୋଇନାହିଁ।

ଏବେ କିନ୍ତୁ ସ୍ଥିତି ବଦଳିଛି। ରାହୁଲ ଗାନ୍ଧୀଙ୍କ ସଦସ୍ୟ ପଦ ରଦ୍ଦ ପରେ ସବୁ ବିରୋଧୀ ଏକ ହେଉଛନ୍ତି। ସେପଟେ ବିଜେପି ମଧ୍ୟ ବିରୋଧୀଙ୍କ ଉପରେ ବର୍ଷିଚାଲିଛି। ବିଭିନ୍ନ ରାଜ୍ୟରେ ପ୍ରଚାର ମାଧ୍ୟମରେ ବିଜେପିକୁ ସତ୍ତାକୁ ଆଣିବାକୁ ଯୋଜନା କରୁଛି ଦଳ।

ପଶ୍ଚିମବଙ୍ଗଠାରୁ ଆରମ୍ଭ କରି ବିହାର, ଦିଲ୍ଲୀ, ତେଲେଙ୍ଗାନା ଆଦି ରାଜ୍ୟ ବିଜେପି ଟାର୍ଗେଟରେ ଥିବା କୁହାଯାଉଛି। ଯେଉଁ ରାଜ୍ୟର ନେତାମାନେ ବିଜେପିକୁ ଅଧିକ ଟାର୍ଗେଟ କରୁଛନ୍ତି ସେ ରାଜ୍ୟଗୁଡିକ ବିଜେପିର ଟାର୍ଗେଟରେ ଥିବା କୁହାଯାଉଛି।

କିଛି ଦିନ ତଳେ ପଶ୍ଚିମବଙ୍ଗରେ ରାଜନୈତିକ କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ଅମିତ ଶାହା ଟିଏମସିକୁ ଟାର୍ଗେଟ କରିଥିବାବେଳେ ତେଲେଙ୍ଗାନାର ଚେଭେଲ୍ଲାରେ ଆୟୋଜିତ ରାଲିରେ ଅମିତ ଶାହା ଭାରତ ରାଷ୍ଟ୍ର ସମିତିକୁ ଟାର୍ଗେଟ କରିଛନ୍ତି।

ଦୁର୍ନୀତିରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଟିଆରଏସକୁ ବିଆରଏସ କରାଯାଇଥିବା ସେ କହିଛନ୍ତି। ବିଆରଏସକୁ ନ ହଟାଇବା ଯାଏ ବିଜେପି ଚୁପ ରହିବ ନାହିଁ ବୋଲି ଶାହା କହିଛନ୍ତି। ଏପରିକି ବିଆରଏସ ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଟାର୍ଗେଟ କରିଛନ୍ତି ଶାହା।

ପ୍ରଧାନମନ୍ତ୍ରୀ ହେବାକୁ କେସିଆର ସ୍ୱପ୍ନ ଦେଖୁଥିବାବେଳେ ତାଙ୍କୁ ପ୍ରଥମେ ନିଜ ଗଡ଼ ଦେଖିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଏଠାରେ ତାଙ୍କ ସ୍ଥିତି ଦୋହଲିବା ଆରମ୍ଭ କଲାଣି।

ବିଆରଏସ ସାରା ଦେଶରେ ନିଜ ସ୍ଥିତିକୁ ମଜବୁତ କରିବାକୁ ଯୋଜନା କରିବା ସହ ବିରୋଧୀଙ୍କୁ ଏକ କରିବାକୁ ଲାଗିଥିବା ବେଳେ ବିଜେପିର ଏଭଳି ଟାର୍ଗେଟ ଚର୍ଚ୍ଚାକୁ ବଢାଇଦେଇଛି। ଏହି ଲଢ଼େଇ ଭିତରେ କେଉଁ ପକ୍ଷର ବିଜୟ ହେବ ତାହା ଆଗାମୀ ନିର୍ବାଚନରେ ସ୍ପଷ୍ଟ ହେବ ବୋଲି ସାଧାରଣରେ ଆଲୋଚନା ହେଉଛି।

Leave A Reply

Your email address will not be published.